ବିଜେଡ଼ିରେ ମିଶିଲେ କାକଟପୁରର ବିଜେପି ପ୍ରାର୍ଥୀ
ନିକଟରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ପୂର୍ବତନ ବିଧାୟକ ଭାଗିରଥୀ ସେଠୀ ବିଜେପିରୁ ଟିକେଟ ପାଇବା ପରେ ବିଜେଡିରେ ସାମିଲ ହୋଇଥିବା ବେଳେ ଆଜି ଆଉ ଜଣେ ନେତା ମଧ୍ୟ ତାଙ୍କ ରାସ୍ତା ଆପଣାଇଛନ୍ତି। ୟାଙ୍କ ନାଁ ତୁଷାରକାନ୍ତି ବେହେରା। ତୁଷାରକାନ୍ତିଙ୍କୁ ବିଜେପି କାକଟପୁର ବିଧାନସଭା ଆସନରୁ ଟିକେଟ୍ ଦେଇଥିଲା। ତା’ସତ୍ତ୍ୱେ ସେ ଆଜି ବିଜେଡିରେ ମିଶିଛନ୍ତି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଥିଲେ।

ଗତ ନିର୍ବାଚନରେ ତୁଷାର ନିର୍ବାଚନ ଲଢ଼ି ୧୨ ହଜାରରୁ ଅଧିକ ଭୋଟ ମଧ୍ୟ ପାଇଥିଲେ । କିନ୍ତୁ ଆଜି ସେ ବିଜେପି ଛାଡ଼ି ବିଜେଡ଼ିରେ ସାମିଲ ହୋଇଛନ୍ତି । ଅପରପକ୍ଷରେ ପୁଣି ବିଜେଡ଼ି ରବୀନ୍ଦ୍ର ସେଠୀଙ୍କୁ ପ୍ରାର୍ଥୀ କରିଛି । ଫଳରେ ବିଜେଡ଼ିରୁ ତୁଷାର ଲଢ଼ିବାର ସମ୍ଭାବନା ନାହିଁ । ଆଜିଠାରୁ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ବିଜେପି ଅକଳରେ ପଡ଼ିଯାଇଛି ।