କାଦର୍ ଖାନ୍
ପୁରୁଣାବର୍ଷ ସହିତ ଅଭିନୟ ଜଗତର ଖ୍ୟାତନାମା ଅଭିନେତା କାଦର୍ ଖାନ୍ ଆମ ସମସ୍ତଙ୍କଠାରୁ ଚିର ବିଦାୟ ନେଇଛନ୍ତି । ୩୧ ତାରିଖ ରାତିରେ କାଦର୍ଙ୍କ ମୃତ୍ୟୁ ହୋଇଯାଇଛି । ୮୧ ବର୍ଷୀୟ କାଦରଙ୍କ ମୃତ୍ୟୁରେ ବଲିଉଡ୍ ସ୍ତବ୍ଧ ହୋଇଯାଇଛି । କାଦର୍ଙ୍କ ବିୟୋଗରେ ଏକ ଅପୂରଣୀୟ କ୍ଷତି ହୋଇଛି । ୧୯୩୭ ମସିହାରେ ଆଫ୍ଗାନିସ୍ତାନ୍ ର କାବୁଲ୍ ଠାରେ ଜନ୍ମଗ୍ରହଣ କରିଥିବା କାଦର୍ ୩୦୦ରୁ ଊଦ୍ଧ୍ୱର୍ ଫିଲ୍ମରେ ଅଭିନୟ କରିବା ସହିତ ୨୫୦ରୁ ଅଧିକ ଫିଲ୍ମର ସଂଳାପ ରଚନା କରିଥିଲେ । ୯ଥର ବେଷ୍ଟ୍ କମେଡ଼ିଆନ୍ ଭାବେ ସେ ଫିଲ୍ମ ଫେୟାର୍ ଆୱାର୍ଡ଼ ଜିତିଥିଲେ । କାଦର୍ଙ୍କୁ ସାହିତ୍ୟ ଶିରୋମଣୀ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଥିଲା ।
ଗୁଲ୍ସନ୍ ଗ୍ରୋଭର୍ଙ୍କ ପାଇଁ ପିତା ଭଳି ଥିଲେ କାଦର୍ ଖାନ୍ । କାଦର୍ଙ୍କ ମୃତ୍ୟୁରେ ଲତା ମଙ୍ଗେସ୍କର୍, ମନୋଜ୍ ବାଜପେୟୀ, ଅନିସ୍ ବଜ୍ମି, ଅନୁପମ୍ ଖେର୍, ତରଣ ଆଦର୍ଶ, ଅର୍ଜୁନ୍ କପୁର୍, ମଦଉର୍ ଭଣ୍ଡାର୍କର୍, ସବାନା ଆଜ୍ମୀ, ପରେଶ ରାୱଲ୍, ତୁଷାର କପୁର୍, ରାଜ୍ ବାବର୍, ଅନିଲ୍ କପୁର୍, ଅକ୍ଷୟ କୁମାର ଋଷି କପୁର୍, ଶକ୍ତି କପୁର୍, ବରୁଣ ଧୱନ୍ଙ୍କ ସହିତ ଅନେକ ବଲିଉଡ୍ ଅଭିନେତା ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । କେବଳ ଅଭିନେତା ନୁହେଁ ନରେନ୍ଦ୍ର ମୋଦି ମଧ୍ୟ କାଦର୍ଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି ।
କମେଡ଼ି ଫିଲ୍ମ କ୍ଷେତ୍ରରେ ଗୋବିନ୍ଦା ଓ କାଦର୍ଙ୍କ ଯୋଡ଼ି ସୁପର୍ହିଟ୍ ଥିଲା । ତେଣୁ କାଦର୍ଙ୍କ ବିୟୋଗରେ ଗୋବିନ୍ଦା ମିୟମ୍ରାଣ ହୋଇପଡ଼ିଛନ୍ତି । ବିଗ୍ ବି ମଧ୍ୟ କାଦର୍ଙ୍କ ମୃତ୍ୟୁରେ ଭାଙ୍ଗିପଡ଼ିଛନ୍ତି । କାଦର୍ ଖାନ୍ ପ୍ରୋଗ୍ରେସିଭ୍ ସୁପ୍ରାନ୍ୟୁକ୍ଲିୟର୍ ପଲ୍ସି ଡିସ୍ଅର୍ଡ଼ର୍(ପିଏସ୍ପି)ରୋଗର ଶିକାର ହୋଇଥିବାରୁ ତାଙ୍କର ମସ୍ତିଷ୍କ କାମ କରୁନଥିଲା । ବସିବା ଓ କଥା ହେବା ପାଇଁ ସେ ସମର୍ଥ ନଥିଲେ । କାନାଡ଼ାରେ ତାଙ୍କର ଚିକିତ୍ସା ହେଉଥିଲା । ୧୯୭୩ରୁ ସେ ଅଭିନୟ କ୍ୟାରିୟର୍ ଆରମ୍ଭ କରିଥିଲେ ।