ପୂର୍ବତନ ବିଧାୟକ କେ.ନାରାୟଣ ରାଓଙ୍କ ବିଜେଡିରୁ ଇସ୍ତଫା

ପାରଳାଖେମୁଣ୍ଡି ବିଧାନସଭା ଆସନ ଲାଗି ବିଜେଡି ଟିକେଟ ପାଇ ନଥିବା ପୂର୍ବତନ ବିଧାୟକ କେ.ନାରାୟଣ ରାଓ ମଧ୍ୟ ଦଳ ଛାଡ଼ିଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ପରେ ପାରଳାଖେମୁଣ୍ଡି ବିଜେଡିରେ ଅସନ୍ତୋଷ ଦେଖାଯାଇଥିଲା। କାରଣ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ତାଲିକାରେ ପୂର୍ବତନ ବିଧାୟକ କେ. ନାରାୟଣ ରାଓଙ୍କ ନାଁ ନଥିଲା। ସେ ପାରଳାଖେମୁଣ୍ଡି ଆସନରୁ ଟିକେଟ୍ ପାଇବେ ବୋଲି ଆଶା ରଖିଥିଲେ। ତେବେ ଦଳ ତାଙ୍କ ବଦଳରେ କଲ୍ୟାଣୀ ଗଜପତିଙ୍କୁ ପ୍ରାର୍ଥୀ କରିଛି।

ଏ ଖବର ପ୍ରଚାରିତ ହେବା ପରେ ନାରାୟଣ ରାଓଙ୍କ ସମର୍ଥକମାନେ ପ୍ରତିକ୍ରିୟାଶୀଳ ହୋଇପଡ଼ିଥିଲେ। ସେମାନେ ନାରାୟଣଙ୍କ କାର୍ଯ୍ୟାଳୟରେ ଲାଗିଥିବା ବିଜେଡି ପତାକା ଓ ନବୀନ ପଟ୍ଟନାୟକଙ୍କ ପୋଷ୍ଟର ଚିରିବା ସହିତ ଜଳାପୋଡ଼ା କରିଥିଲେ।

ନାରାୟଣଙ୍କ ଦୃଢ଼ ସମର୍ଥକ ଭାବେ ଜଣାଶୁଣା କାଶୀନଗର ବ୍ଲକ୍ ଅଧ୍ୟକ୍ଷ ଚିତ୍ରୀ ସୀମାଦ୍ରି କହିଛନ୍ତି, ନାରାୟଣ ରାଓ ଦୀର୍ଘ ବର୍ଷ ହେଲା ପାରଳାଖେମୁଣ୍ଡିରେ ଦଳୀୟ ସଂଗଠନକୁ ମଜବୁତ କରିବାକୁ କାର୍ଯ୍ୟ କରି ଆସୁଛନ୍ତି। ଦଳ ତାଙ୍କୁ ଟିକେଟ୍ ନଦେଇ ଅପମାନିତ କରିଛି। ସେଥିପାଇଁ ତାଙ୍କ ସମର୍ଥକମାନେ ଏମିତି କାଣ୍ଡ ଭିଆଇଛନ୍ତି।

ଅନ୍ୟପକ୍ଷରେ କନ୍ଧମାଳ ଲୋକସଭା ଆସନରୁ କିଟ୍ ଓ କିସ୍‌ର ପ୍ରତିଷ୍ଠାତା ତଥା ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ପ୍ରାର୍ଥୀ କରାଯିବା ନେଇ ମଧ୍ୟ ଅସନ୍ତୋଷ ଦେଖା ଦେଇଛି। କନ୍ଧମାଳ ଜିଲ୍ଲାର ଅନେକ ବିଜେଡି ନେତା ଓ କର୍ମୀ ଏହାକୁ ବିରୋଧ କରିଛନ୍ତି। ଏପରିକି ଗତକାଲି ସନ୍ଧ୍ୟାରେ ଫୁଲବାଣୀର ବିଜୁ ପଟ୍ଟନାୟକ ଛକରେ ବିଜେଡି ନେତା ଓ କର୍ମୀମାନେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିରେ ଫୁଲବାଣୀ ନଗର ବିଜେଡି ସଭାପତି ସୁଧୀର କହଁର, ଉପସଭାପତି ମିଲନ କହଁର, ମହିଳା ବିଜେଡି ଉପସଭାନେତ୍ରୀ ନମିତା ବେହେରା, ପୂନମ କହଁର ଓ ନଗର ବିଜେଡି କୋଷାଧ୍ୟକ୍ଷ ପ୍ରଣଦ ନାୟକଙ୍କ ସମେତ ଶତାଧିକ କର୍ମୀ ସାମିଲ ହୋଇଥିଲେ। ଜିଲ୍ଲା ବାହାର ଲୋକଙ୍କୁ କାହିଁକି ପ୍ରାର୍ଥୀ କରାଯାଉଛି ବୋଲି ସେମାନେ ପ୍ରଶ୍ନ କରିଥିଲେ।

କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଟିକେଟରୁ ବଞ୍ଚତ ହୋଇଛନ୍ତି। କନ୍ଧମାଳରେ ବିଜେଡି ପକ୍ଷରୁ ଡ଼ ଅଚ୍ୟୁତ ସାମନ୍ତଙ୍କୁ ଲୋକସଭା ପ୍ରାର୍ଥୀ କରାଯାଇଛି। ତେବେ ପ୍ରତ୍ୟୁଷା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନୟାଗଡ ବିଧାନସଭା ଆସନରୁ ନିର୍ବାଚନ ଲଢିବାକୁ ଆଗ୍ରହୀ ବୋଲି କହିସାରିଛନ୍ତି। ଏଥିସହ ସେ ଆଜି ଏକଥା ମଧ୍ୟ ପ୍ରକାଶ କରିଛନ୍ତି ଯେ ତାଙ୍କୁ ଟିକେଟ ନ ମିଳିଲେ ସେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ। ଅନ୍ୟପକ୍ଷରେ ସେ ବିଜେପି ସହ ଯୋଗାଯୋଗରେ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି। ସେ ଏବେ ଦିଲ୍ଲୀରେ ଥିବା ଦେଖି ଆଲୋଚନା ହେଉଛି।

Leave a Reply

Your email address will not be published.