ଡ.ଅଚ୍ୟୁତ ସାମନ୍ତଙ୍କୁ ନେଇ ବଲିଉଡର ଆଗାମୀ ଫିଲ୍ମ ‘ଜଙ୍ଗଲ୍ କ୍ରାଏ’
ଅନେକ ଦିନରୁ ବଲିଉଡରୁ ଗାଏବ ହୋଇଯାଇଥିବା ଅଭୟ ଦେଓଲଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖୁସି ଖବର । ଅପକମିଙ୍ଗ୍ ଫିଲ୍ମ ‘ଜଙ୍ଗଲ୍ କ୍ରାଏ’ ମାଧ୍ୟମରେ ଅଭୟ ପୁଣିଥରେ ବଡ଼ ପରଦାକୁ ଫେରୁଛନ୍ତି । ସାଗର ବେଲ୍ଲାରିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଏମଲି ଶାହଙ୍କୁ ମଧ୍ୟ ସାଇନ୍ କରାଯାଇଛି । ପୋଷ୍ଟ୍ ପ୍ରଡକସନ୍ ଷ୍ଟେଜରେ ଥିବା ଏହି ଫିଲ୍ମର ପୋଷ୍ଟର୍ ଓ ଟ୍ରେଲର୍ ଦେଖିବା ପରେ ଓଡ଼ିଶା ସରକାର ଏହାକୁ ଟ୍ରାକ୍ସ ଫ୍ରି କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଖବର ଆସିଛି । ଏହା ବ୍ୟତୀତ ବ୍ରିଟିଶ୍ ପାର୍ଲାମେଣ୍ଟରେ ଫିଲ୍ମର ନିର୍ମାତା-ନିର୍ଦ୍ଦେଶକ ସମ୍ମାନିତ ହୋଇସାରିଛନ୍ତି । କେବଳ ଏତିକି ନୁହେଁ ଜାପାନରେ ଆୟୋଜିତ ହେବାକୁ ଥିବା ରଗବି ୱାଲର୍ଡ଼ କପ୍ ସମୟରେ ଫିଲ୍ମର ପ୍ରିମିୟର୍ କରାଯିବାର ପ୍ଲାନିଙ୍ଗ୍ ରହିଛି ।
ତେବେ ଏହି ଫିଲ୍ମକୁ ଏତେସବୁ ସଫଳତା ମିଳିବା ପଛର କାରଣ ମଧ୍ୟ କହିରଖୁଛୁ । ଓଡ଼ିଶାର ପ୍ରଖ୍ୟାତ ସମାଜସେବୀ, ଶିକ୍ଷାବିତ୍, ସାଂସଦ ଡ.ଅଚ୍ୟୁତ ସାମନ୍ତଙ୍କ ଜୀବନୀକୁ ନେଇ ଏହାର କାହାଣୀ ରଚନା କରାଯାଇଛି । ତାଙ୍କୁ ୪ ବର୍ଷ ହୋଇଥିବାବେଳେ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା । ଘରେ ଖାଇବା ଓ ପିନ୍ଧିବା ପାଇଁ ମଧ୍ୟ ସମ୍ଭଳ ନଥିଲା । ଏଭଳି ଆର୍ଥିକ ଅନାଟନ ମଧ୍ୟରେ ସେ ଖୁବ୍ କଷ୍ଟରେ ଉଚ୍ଚଶିକ୍ଷା ସମାପ୍ତ କରିଥିଲ । କିନ୍ତୁ ଆଜିର ସମୟରେ ତାଙ୍କର ନିଜସ୍ୱ ଶିକ୍ଷାନୁଷ୍ଠାନ ‘କିସ୍’ରେ ପ୍ରାୟ ୩୦ ହଜାର ଅନାଥ, ଆଦିବାସୀ ଓ ଗରୀବ ଶିଶୁଙ୍କୁ ଶିକ୍ଷା ଓ କ୍ରିଡ଼ା କ୍ଷେତ୍ରରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଇଂଲାଣ୍ଡରେ ୪ଟି ଦେଶ ସହିତ ରଗବି ମ୍ୟାଚ୍ ଅନୁଷ୍ଠିତ ହେଉଛି ଏବଂ ଏଥିରେ ସେ କିଭଳି ମ୍ୟାଚ୍ ଜିତୁଛନ୍ତି ତାହାକୁ ଦର୍ଶକ କାହାଣୀରେ ଦେଖିବାକୁ ପାଇବେ । ଫିଲ୍ମରେ ଅଭୟ ଦେଓଲ୍ ରଗବି ଦଳର କୋଚ୍ ରୁଦ୍ରାକ୍ଷ ଜିନାଙ୍କ ଭୂମିକାରେ ଥିବାବେଳେ ଏମଲିଙ୍କୁ ଫିଜିଓଥେରାପିଷ୍ଟ୍ ଭାବେ ଅଛନ୍ତି । ଡ. ସାମନ୍ତଙ୍କ ଭୂମିକା ପାଇଁ ଅତୁଲ କୁମାରଙ୍କୁ ସାଇନ୍ କରାଯାଇଛି । ସବୁଠାରୁ ବଡ଼ କଥା ହେଉଛି ‘କିସ୍’ରେ ଥିବା ୧୦୦ ଜଣ ଶିଶୁଙ୍କୁ ଏହି ଫିଲ୍ମର ଷ୍ଟାରକାଷ୍ଟ୍ ଭାବେ ଦେଖିବାକୁ ମିଳିବ । ପ୍ରକୃତରେ ଏଭଳି ଏକ ଫିଲ୍ମ ପାଇଁ ଓଡ଼ିଶାବାସୀ ଖୁବ୍ ଗର୍ବିତ ।











