ନୂଆ ଟାଇଟେଲ୍ ସହିତ ରିଲିଜ୍ ହେବ ‘ମେଣ୍ଟାଲ୍ ହେ କ୍ୟା’
କଙ୍ଗନା ରଣାୱତ୍ ଓ ରାଜକୁମାର ରାଓଙ୍କ ଅଭିନୀତ ‘ମେଣ୍ଟାଲ୍ ହେ କ୍ୟା’ ଏକ ନୂଆ ଟାଇଟେଲ୍ ସହିତ ରିଲିଜ୍ କରାଯିବ ବୋଲି ପ୍ରଡକସନ୍ କମ୍ପାନୀ ବାଲାଜି ଟେଲି ଫିଲ୍ମସ୍ ପକ୍ଷରୁ ସୂଚନା ମିଳିଛି । କମ୍ପାନୀର ପ୍ରବକ୍ତା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଫିଲ୍ମର ଟାଇଟେଲକୁ ନେଇ ପୂର୍ବରୁ ବହୁ ବାଦବିବାଦ ଚାଲିଥିଲା । ଏବେ ସେ ସବୁର ପରିସମାପ୍ତି ଘଟିଛି ଏବଂ ଫିଲ୍ମର ନୂଆ ଟାଇଟେଲ୍ ରଖାଯାଇଛି ‘ଜଜମେଣ୍ଟାଲ୍ ହେ କ୍ୟା’ । ସେନସର୍ ବୋର୍ଡ଼ ପକ୍ଷରୁ ଏହି ଫିଲ୍ମକୁ ୟୁ/ଏ ସାର୍ଟିଫିକେଟ୍ ମିଳିଛି । ସେ ଆହୁରି ମଧ୍ୟ କହିଛନ୍ତି ଫିଲ୍ମର କାହାଣୀ, ସୁଟିଂ ଓ ସମସ୍ତ କଳାକାର ବହୁତ ପରିଶ୍ରମ କରିଛନ୍ତି । କାହାକୁ ମାନସିକ ସ୍ତରରେ ଦୁର୍ବଳ କହି ଉପହାସ କରିବା କିମ୍ବା କାହାର ସମ୍ବେଦନଶୀଳ ଭାବନାକୁ କୁଠାରଘାତ କରିବା କାହାଣୀର ଉଦ୍ଦେଶ୍ୟ ନୁହେଁ । ତେଣୁ ଏହାର ଟାଇଟେଲକୁ ନେଇ ଚାଲିଥିବା ବିବାଦରେ ପୁର୍ଣ୍ଣଛେଦ ଲଗାଯାଇଛି ।
କହିରଖୁଛୁ ଜୁନ୍ ୧୯ ତାରିଖରେ ଫିଲ୍ମର ଟ୍ରେଲର୍ ରିଲିଜ୍ କରାଯାଇଥିଲା । ଏହାକୁ ଦେଖିବା ପରେ ‘ଦ ଇଣ୍ଡିଆନ୍ ସାଇକାଇଟ୍ରିକ୍ ସୋସାଇଟି’ର ଡାକ୍ତରମାନେ ଟାଇଟେଲକୁ ନେଇ ଆପତ୍ତି ଅଭିଯୋଗ ଉଠାଇଥିଲେ । ସୋସାଇଟି ପକ୍ଷରୁ ଅଭିଯୋଗ ହୋଇଥିଲା ଯେ ଏଭଳି ଏକ ଟାଇଟେଲ୍ ମାନସିକ ଅନଗ୍ରସର ଓ ସେମାନଙ୍କର ପରିବାର ପାଇଁ ଏକ ଉପହାସ ସଦୃଶ । ତେଣୁ ଏହାକୁ ବଦଲାଇବା ଉଚିତ୍ । ଏଭଳି କିଛି ଅଭିଯୋଗ ପରେ ଫିଲ୍ମର ପ୍ରମୋସନ୍ ଇଭେଣ୍ଟ୍ ରଦ୍ଦ କରାଯାଇଥିଲା । ବର୍ତ୍ତମାନ ପରିସ୍ଥିତିରେ ସବୁକିଛି ଠିକ୍ ଅଛି । ତେଣୁ ଆସନ୍ତା ଜୁଲାଇ ୨୬ ତାରିଖ ଦିନ ଏହା ସିନେମାଘରକୁ ଆସିବ ।