ବିଧାନସଭା ଲଢ଼ିବେ ଜୁଏଲ!
ହାରିବା ଭୟରେ ଛାଡ଼ିବେ ଲୋକସଭା
ଚଳିତ ନିର୍ବାଚନରେ ୧୨୦+ ଆସନରେ ଜିତିବା ପାଇଁ ଆସ୍ପର୍ଦ୍ଧା କରୁଥିବା ବିଜେପିର ଏକମାତ୍ର ସାଂସଦ ତଥା କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ଲୋକସଭା ପରିବର୍ତ୍ତେ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ଆଲୋଚନା ହେଉଛି। ଜୁଏଲ ଏତର ସୁନ୍ଦରଗଡ଼ ଲୋକସଭା ଆସନ ପରିବର୍ତ୍ତେ ତାଙ୍କର ପୁରୁଣା ବିଧାନସଭା ଆସନ ବଣାଇରୁ ଲଢ଼ିବା ପାଇଁ ଯୋଜନା କରୁଛନ୍ତି।
ଲୋକସଭା ପ୍ରତି ଜୁଏଲଙ୍କ ବୈରାଗ୍ୟ ପଛରେ ରାଜ୍ୟ ବିଜେପି ନେତାମାନଙ୍କର ଗୋଛିକଟା ନୀତି ସମ୍ପର୍କରେ ସେ ଆଗୁଆ ସୂଚନା ପାଇଯାଇଛନ୍ତି। ଯଦି ସେ ଲୋକସଭା ନିର୍ବାଚନ ଲଢ଼ନ୍ତି ତେବେ ଜିତିବା ଅପେକ୍ଷା ହାରିବା ଭୟ ଅଧିକ ରହିଛି। କାରଣ ଗତ ନିର୍ବାଚନରେ ଦିଲ୍ଲୀପ ରାୟଙ୍କ ସମର୍ଥନ ଯୋଗୁଁ ସେ ରାଉରକେଲା ବିଧାନସଭା କ୍ଷେତ୍ରରେ ଆଗୁଆ ରହି ବିଜୟ ହାସଲ କରିଥିଲେ। ଏବେ ଦିଲ୍ଲୀପ ରାୟ ରାଜ୍ୟ ନେତାମାନଙ୍କର ବୈମାତୃକ ମନୋଭାବ ଯୋଗୁଁ ଦଳରୁ ଇସ୍ତଫା ଦେଇସାରିଛନ୍ତି। ବିଜେପିରେ ଦିଲ୍ଲୀପ ରାୟ ନଥିବାରୁ ଆଗାମୀ ନିର୍ବାଚନରେ ସେ ଜିତିବା ନେଇ ସନ୍ଦେହରେ ପଡ଼ିଯାଇଛନ୍ତି।
ଗତ ନିର୍ବାଚନ ଅପେକ୍ଷା ଚଳିତ ନିର୍ବାଚନରେ ଶାସକ ବିଜେଡ଼ି ଓ କଂଗ୍ରେସ ପକ୍ଷରୁ ଦୁଇ ଜଣ ଟାଣୁଆ ଭେଟେରାନ ନେତାଙ୍କୁ ପ୍ରାର୍ଥୀ କରାଯାଉଛି। ବିଜେଡ଼ି ପକ୍ଷରୁ ପୂର୍ବତନ କଂଗ୍ରେସ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳଙ୍କୁ ପ୍ରାର୍ଥୀ କରାଯିବା ସମ୍ଭାବନା ଥିବାବେଳେ କଂଗ୍ରେସର ଜର୍ଜ ତୀର୍କୀଙ୍କୁ ପ୍ରାର୍ଥୀ କରାଯିବ। ଏହି ଦୁଇ ଜଣ ସମ୍ଭାବ୍ୟ ପ୍ରାର୍ଥୀଙ୍କର ଜିଲ୍ଲାର ମତଦାତାଙ୍କ ଭିତରେ ଲୋକପ୍ରିୟତା ରହିଛି; ଯାହାକି ଜୁଏଲଙ୍କ ଜିତିବା ପାଇଁ ସମସ୍ୟା ସୃଷ୍ଟି କରିବ।
ଏଭଳି ସମସ୍ୟା ଓ ପରାଜୟରୁ ରକ୍ଷା ପାଇବା ପାଇଁ ଜୁଏଲ ଚଳିତ ନିର୍ବାଚନରେ ତାଙ୍କ ପୁରୁଣା ବଣାଇ ଆସନରୁ ଲଢ଼ିବା ପାଇଁ ମନ ସ୍ଥର କରିଥିବା ତାଙ୍କ ନିକଟତମ ମହଲରୁ ଜଣାପଡ଼ିଛି।
ଅନ୍ୟ ଖବର ପାଇଁ କ୍ଲିକ୍ କରନ୍ତୁ :