ରିଭ୍ୟୁ : ‘ଜଜମେଣ୍ଟାଲ୍ ହେ କ୍ୟା’

ଏଥର ଫ୍ରାଇଡେ’ ରିଲିଜ୍ରେ ସିନେମାଘରକୁ ଆସିଛି କଙ୍ଗନା ଓ ରାଜକୁମାରଙ୍କ ଅଭିନୀତ ‘ଜଜମେଣ୍ଟାଲ୍ ହେ କ୍ୟା’ । ପ୍ରକାଶ କୋଭେଲାମୁଦିଙ୍କ ନିର୍ଦ୍ଦେଶିତ ଏହି ସାଇକୋ ଥ୍ରୀଲର୍ ବ୍ଲାକ୍ କମେଡ଼ି ଫିଲ୍ମ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିପାରିଛି । ଏହାର କାହାଣୀ ଶେଷ ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛି । କାରଣ କାହାଣୀରେ ଅନେକ ଟ୍ୱିଷ୍ଟ୍ ଓ ରୋମାଞ୍ଚ ଭରି ରହିଛି । ଫିଲ୍ମର ନାୟିକା ବବି(କଙ୍ଗନା) ଓ କେଶବ (ରାଜକୁମାର ରାଓ)ଙ୍କ ମଧ୍ୟରେ ଥିବା ଅନସ୍କ୍ରୀନ୍ କେମେଷ୍ଟ୍ରୀ ଓ ଉଭୟଙ୍କ ଦକ୍ଷ ଅଭିନୟ ଫିଲ୍ମକୁ ହିଟ୍ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ବୋଲି ଫିଲ୍ମ ସମୀକ୍ଷକମାନେ ମତ ଦେଇଛନ୍ତି ।

କାହାଣୀରେ ଦେଖିବାକୁ ମିଳିଛି ବବି ଛୋଟ ଥିବା ସମୟରେ ତା’ର ବାପା ମା’ଙ୍କୁ ହରାଇଛି ଏବଂ ଜେଜେ ବାପାଙ୍କ ପାଖରେ ରହି ବଡ଼ ହୋଇଛି । ବବି ‘ଏକ୍ୟୁଟ୍ ସାଇକୋସିସ୍’ ନାମକ ଏକ ମାନସିକ ରୋଗରେ ପୀଡ଼ିତ । ଏହି ରୋଗରେ ବ୍ୟକ୍ତି ବାସ୍ତବତା ଓ ଭ୍ରମ ଭିତରେ ଥିବା ପାର୍ଥକ୍ୟ ଜାଣିପାରେନାହିଁ । ତେଣୁ ଏହାକୁ ଆଧାର କରି ବବିର ଦୃଷ୍ଟିଭଙ୍ଗୀ ଅନୁଯାୟୀ କାହାଣୀ ରଚନା କରାଯାଇଛି । ସମୟ ଗଡ଼ିଚାଲିଛି ଏବଂ କାହାଣୀରେ ଏଣ୍ଟ୍ରୀ ହେଉଛନ୍ତି କେଶବ ଓ ତାଙ୍କର ସ୍ତ୍ରୀ ରିମା । ଏହି ଯୋଡ଼ି ବବିଙ୍କ ଘରେ ଭଡ଼ାରେ ରହିବା ପାଇଁ ଆସିଛନ୍ତି । କେଶବ ଓ ରିମାଙ୍କ ମଧ୍ୟରେ ଥିବା ପ୍ରେମ ଦେଖିବା ପରେ କଙ୍ଗନାଙ୍କ ମନରେ ଅନେକ କିଛି ପରିବର୍ତ୍ତନ ଆସିଛି ଏବଂ ସେ କେଶବଙ୍କ ପ୍ରତି ଆକୃଷ୍ଟ ହୋଇଛନ୍ତି । ଅଚାନକ ଘରେ ଗ୍ୟାସ୍ ହାଣ୍ଡି ଫାଟିଯାଇ ରିମାଙ୍କ ମୃତ୍ୟୁ ହୋଇଯାଉଛି । ଏହି ର୍ଦୁଘଟଣାକୁ ପୁଲିସ୍ ଆଗରେ ମର୍ଡ଼ର୍ ବୋଲି କହିଛନ୍ତି କଙ୍ଗନା ଏବଂ କେଶବ ହିଁ ଦୋଷୀ ବୋଲି କହିବା ପରେ ପୁଲିସ୍ କେଶବଙ୍କ ବିରୁଦ୍ଧରେ ଆକ୍ସନ୍ ନେଇଛି । କିନ୍ତୁ ପରବର୍ତ୍ତି ସମୟରେ କେଶବ ଦୋଷମୁକ୍ତ ବୋଲି ଜଣାପଡ଼ିବା ପରେ ସେ ଜେଲରୁ ବାହାରି ଆସି ବିଦେଶ ଚାଲିଯାଇଛନ୍ତି । ଅନ୍ୟ ପକ୍ଷରେ ଜେଜେ ବବିଙ୍କୁ ବିଦେଶ ଯିବା ପାଇଁ କହିଛନ୍ତି । ସେଠାରେ ବବି ଓ କେଶବଙ୍କ ପୁଣିଥରେ ଦେଖାହେଉଛି । କାହାଣୀ ଆଗକୁ କ’ଣ ନୂଆ ମୋଡ଼ ନେଉଛି, ତାହା ଜାଣିବାକୁ ହେଲେ ଆପଣଙ୍କୁ ଫିଲ୍ମଟି ଦେଖିବାକୁ ପଡ଼ିବ । କାହାଣୀ ଭଳି ଫିଲ୍ମର ସଙ୍ଗୀତ ଦର୍ଶକଙ୍କ ମନ କିଣିପାରିଛି । ଦର୍ଶକଙ୍କ ପ୍ରତିକ୍ରିୟା ଓ ସମୀକ୍ଷା ପରେ ଫିଲ୍ମ ସମୀକ୍ଷକମାନେ ଏହି ଫିଲ୍ମକୁ ୫ ଅଙ୍କରୁ ୩ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *