ଲକ୍‌ଡାଉନ୍‌ରେ ଜେଏସ୍‌ପିଏଲ୍‌ ବିକ୍ରି ୧୦୯ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍‌):  ନବୀନ ଜିନ୍ଦଲ ନେତୃତ୍ୱାଧୀନ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ଲିଃ (ଜେଏସ୍‌ପିଏଲ୍‌) ଇସ୍ପାତ ନିର୍ମାଣରେ ଗତ ଅପ୍ରେଲ (୨୦୨୦) ମାସରେ ନୂତନ ରେକର୍ଡ ପ୍ରତିଷ୍ଠା କରିବା ସହିତ ସର୍ବୋଚ୍ଚ ପରିମାଣର ଇସ୍ପାତ ଏବଂ ତାହା ସଂବନ୍ଧିୟ ଉତ୍ପାଦ ରପ୍ତାନୀ କରିଛି ।  ଅପ୍ରେଲ ମାସରେ ଜେଏସ୍‌ପିଏଲ୍ ୨୪୮ ହଜାର ମେଟ୍ରିକ୍ ଟନ୍ ଇସ୍ପାତ ଏବଂ ତାହା ସମ୍ବନ୍ଧୀୟ ଉତ୍ପାଦ ରପ୍ତାନୀ କରିଛି, ଯାହାକି ଗତ ମାର୍ଚ ମାସ ତୁଳନାରେ ୧୦୯ ପ୍ରତିଶତ ଅଧିକ । ସମୁଦାୟ ବିକ୍ରୟରେ ରପ୍ତାନୀର ୭୪ ପ୍ରତିଶତ ଯୋଗଦାନ ରହିଥିଲା ।
କୋଭିଡ୍‌-୧୯ ଯୋଗୁଁ ଦେଶବ୍ୟାପୀ ଲକ୍‌ଡାଉନ୍ ସତ୍ତ୍ୱେ ଜେଏସ୍‌ପିଏଲ୍ ଭାରତରେ ଅପ୍ରେଲ ମାସରେ ୫ ଲକ୍ଷ ୫୦ ହଜାର ମେଟ୍ରିକ୍ ଟନ୍ ଇସ୍ପାତ ଓ ଗ୍ରାନୁଲେଟେଡ୍ ପିଗ୍ ଆଇରନ୍ ଉତ୍ପାଦନ କରି ୫ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି ।  ଅପ୍ରେଲ ମାସରେ ଜେଏସ୍‌ପିଏଲ୍ ଗ୍ରୁପ ସମୁହ ୬ଲକ୍ଷ ୫୫ ହଜାର ମେଟ୍ରିକ୍ ଟନ୍ ଇସ୍ପାତ ଉତ୍ପାଦନ କରିଛି । କୋଭିଡ୍‌-୧୯ ସମ୍ବନ୍ଧୀୟ ଭାରତ ସରକାରଙ୍କ ଗୃହ ମନ୍ତ୍ରାଣଳୟ ନିର୍ଦ୍ଦେଶନାମା ଅନୁଯାୟୀ ଜେଏସ୍‌ପିଏଲ୍ ତାର ସମସ୍ତ କାରଖାନା ପରିଚାଳନା କରିବା ସହିତ ଆବଶ୍ୟକୀୟ ସାମାଜିକ ଦୁରତ୍ୱ ନିଶ୍ଚିନ୍ତ କରିବା ପାଇଁ ସମସ୍ତ ବ୍ୟବସ୍ଥା ମଧ୍ୟ କରିଛି ।


ଅନୁଗୁଳ ଠାରେ ଥିବା ଭାରତର ସର୍ବବୃହତ ବ୍ଲାଷ୍ଟ ଫର୍ନେସ ଅପ୍ରେଲ ୨୦୨୦ ରେ ସର୍ବାଧିକ ୨୯୮,୦୦୦ ମେଟ୍ରିକ୍ ଟନ୍ ହଟ୍ ମେଟାଲ୍ ଉତ୍ପାଦନ କରିଥିଲା ।


ଜେଏସ୍‌ପିଏଲ୍‌ର ପରିଚାଳନା ନିର୍ଦେଶକ  ଭି.ଆର. ଶର୍ମା ଏହି ସଫଳତାର ଶ୍ରେୟ ଏହାର କର୍ମଚାରୀମାନଙ୍କୁ ଦେବା ସହିତ  କହିଥିଲେ ଯେ,  ଭାରତୀୟ ରେଳବାଇ ଏବଂ ପୂର୍ବ ଭାରତର ବିଭିନ୍ନ ବନ୍ଦର କତ୍ତୃପକ୍ଷଙ୍କ ସହଯୋଗ ହେତୁ ଜେଏସ୍‌ପିଏଲ୍ ଇସ୍ପାତ ଉତ୍ପାଦନ ଜାରି ରଖିବା ସହିତ, ତାର ଉତ୍ପାଦ ରପ୍ତାନୀ କରି ମୂଲ୍ୟବାନ ବିଦେଶମୂଦ୍ରା ଆଣି ଭାରତୀୟ ଅର୍ଥନୀତିକୁ ସୁଦୃଢ କରିବା ପାଇଁ ଚେଷ୍ଠା କରୁଛି ।


ସେ ଆହୁତି ମଧ୍ୟ କହିଥିଲେ ଯେ, ଜେଏସ୍‌ପିଏଲ୍ ସର୍ବଦା ସୁଯୋଗର ସଦୁପୋଯୋଗ କରିବା ପାଇଁ ଚେଷ୍ଠା କରିଥାଏ, ତେଣୁ କୋଭିଡ୍ – ୧୯ ସଂକଟ ସତ୍ତ୍ୱେ ଜେଏସ୍‌ପିଏଲ୍ ଚୀନ୍‌, ମାଲେସିଆ, ଜର୍ମାନୀ, ସ୍ପେନ୍‌, ଇଟାଲି, ଡେନ୍‌ମାର୍କ, ଫ୍ରାନ୍ସ, ସାଉଦି ଆରବ, ଓମାନ, କତାର ଏବଂ ୟୁ.ଏ.ଇ ପରି ଦେଶକୁ ଇସ୍ପାତ ରପ୍ତାନୀ କରୁଛି ।  ଆମେ ଫ୍ରାନ୍ସରେ ଦ୍ରୁତରେଳ ପାଇଁ ରେଲ୍ ବ୍ଲୁମ୍ ଅର୍ଡର ମଧ୍ୟ ଯୋଗାଇବା ପାଇଁ କାର୍ଯ୍ୟ କରୁଛୁ ।  


ଅପ୍ରେଲ୍ ମାସରେ ୩୩୫,୦୦୦ ମେଟ୍ରିକ୍ ଟନ୍‌ର ବିକ୍ରୟ ରେକର୍ଡ କରାଯାଇଥିବା ବେଳେ, ଅବଶିଷ୍ଠ ଉତ୍ପାଦ ଗୁଡିକ ବିଭିନ୍ନ ବନ୍ଦରରେ ୨୦୨୦ ମେ ମାସରେ ରପ୍ତାନୀ ପାଇଁ ରଖାଯାଇଛି ।


ଅପ୍ରେଲ ୨୦୨୦ରେ ଜେଏସ୍‌ପିଏଲ୍‌ର ସାମୁଦାୟ ବିକ୍ରୟ ୪୫୬,୦୦୦ ମେଟ୍ରିକ୍ ଟନ୍ ରେକର୍ଡ କରାଯାଇଛି। ଅପ୍ରେଲ ୨୦୨୦ରେ ଜେଏସ୍‌ପିଏଲ୍‌ର ଓମାନରେ ଥିବା ଇସ୍ପାତ କାରଖାନାରେ ୧୦୬,୦୦୦ ମେଟ୍ରିକ୍ ଟନ୍ ଇସ୍ପାତ ଉତ୍ପାଦନ ହୋଇଥିବା ବେଳେ, ୧୨୦,୦୦୦ ମେଟ୍ରିକ୍ ଟନ୍ ଇସ୍ପାତ ବିକ୍ରୟ ହୋଇଛି ।
ଭାରତୀୟ ରେଳବାଇ ପାଇଁ ଜେଏସ୍‌ପିଏଲ୍  ଆର୍‌.୨୬୦ ଗ୍ରେଡ୍ ରେଳ ବିକାଶ କରିଛି । ସାଧାରଣ ରେଳର ଧାରଣ କ୍ଷମତା ୱାଗନ୍ ପିଛା ୬୪ ଟନ୍ ଥିବା ବେଳେ, ଏହି ରେଳର ଧାରଣ କ୍ଷମତା ୱାଗନ୍ ପିଛା ୭୫ ଟନ୍  ।

Leave a Reply

Your email address will not be published.