‘ସତ୍ୟମେବ ଜୟତେ’ ପାର୍ଟ ୨
ଆଗାମୀ ଅଗଷ୍ଟ ୧୫ ତାରିଖରେ ଜନ୍ ଆବ୍ରାହମଙ୍କ ଅଭିନୀତ ଅପକମିଙ୍ଗ୍ ଫିଲ୍ମ ‘ବାଟଲା ହାଉସ୍’ ଅକ୍ଷୟ କୁମାରଙ୍କ ‘ମିଶନ୍ ମଙ୍ଗଲ’ ଓ ପ୍ରଭାଷଙ୍କ ‘ସାହୋ’ ସହିତ ଟକ୍କର ଦେବ ବୋଲି ଖବର ମିଳିଥିଲା । ଏବେ ଆଉ ଏକ ଖବର ଆସିଛି ଯେ ଆଗାମୀ ବର୍ଷ ସ୍ୱାଧୀନତା ଦିବସରେ ଜନଙ୍କ ‘ସତ୍ୟମେବ ଜୟତେ’ର ସିକ୍ୱେଲ ରିଲିଜ୍ ହେବ । ମିଲାପ ଜାଭେରିଙ୍କ ନିର୍ଦ୍ଦେଶିତ ଏବଂ ଜନଙ୍କ ଅଭିନୀତ ‘ସତ୍ୟମେବ ଜୟତେ’ ବକ୍ସ ଅଫିସରେ ଧମାକେଦାର୍ ବ୍ୟବସାୟ କରିଥିଲା । ସେହି ସମୟରେ ଆଉ ଏକ ଦମଦାର୍ କାହାଣୀ ମିଳିଥିଲେ ଫିଲ୍ମଟିର ସିକ୍ୱେଲ୍ ଆରମ୍ଭ କରାଯିବ ବୋଲି ମିଲାପ୍ କହିଥିଲେ । ମିଲାପଙ୍କ ସେହି ଅପେକ୍ଷାର ଅନ୍ତ ଘଟିଛି ଏବଂ ତାଙ୍କୁ ଆଉ ଏକ ନିଆରା କାହାଣୀ ମିଳିଯାଇଛି । ତେବେ ଖୁବ୍ ଶୀଘ୍ର ଏହାର ସୁଟିଂ ଆରମ୍ଭ ହେବ ବୋଲି ସୂୂଚନା ମିଳିଛି ।
କାହାଣୀ ଅନୁଯାୟୀ ଏଥିରେ ଜନଙ୍କ ସହିତ ଆଉ କେତେଜଣ ତାରକାଙ୍କୁ ସାଇନ୍ କରାଯିବ ବୋଲି ଚର୍ଚ୍ଚା ହେଉଛି । ଏହାକୁ ଆଗାମୀ ବର୍ଷ ଅଗଷ୍ଟ ୧୫ ତାରିଖରେ ରିଲିଜ୍ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ମିଲାପ୍ । କିନ୍ତୁ କଥା ହେଉଛି ଏହି ଫିଲ୍ମ ବାହୁବଳୀ ଫେମ୍ ରାଜାମୌଳୀଙ୍କ ଫିଲ୍ମ ‘ଆରଆରଆର୍’କୁ ଟକ୍କର ଦେବ । ଏହା ସହିତ ଅଜୟଙ୍କ ଅଭିନୀତ ‘ଭୁଜ୍: ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’ର ସହିତ ମଧ୍ୟ ‘ସତ୍ୟମେବ ଜୟତେ ୨’ର ଟକ୍କର ହୋଇପାରେ । ତେବେ ଚଳିତବର୍ଷ ଓ ଆସନ୍ତା ବର୍ଷ ଅଗଷ୍ଟ ୧୫ ତାରିଖ ଜନଙ୍କ ପାଇଁ କଡ଼ା ମୁକାବିଲାର ସମୟ ବୋଲି ପ୍ରଶଂସକ ମହଲରେ ଚର୍ଚ୍ଚା ହେଉଛି ଏବଂ ଏହି ବକ୍ସ ଅଫିସ୍ ଯୁଦ୍ଧରେ ଜନଙ୍କ ବିଜୟ ହେଉ ବୋଲି ପ୍ରଶଂସକ ଶୁଭକାମନା ଜଣାଇଛନ୍ତି ।