ବିଧାୟକ ପଦରୁ ଇସ୍ତଫା ଦେଲେ ଯୋଗେଶ ସିଂହ
କଂଗ୍ରେସର ବିଧାୟକ ପଦରୁ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହଇସ୍ତଫା ଦେଇଛନ୍ତି। ସେ ବାଚସ୍ପତି ପ୍ରଦୀପ ଅମାତଙ୍କୁ ଭେଟି ଏହି ଇସ୍ତଫା ପତ୍ର ଦେଇଛନ୍ତି। ଯୋଗେଶ ବାରମ୍ବାର ଦଳ ବିରୋଧୀ ମନ୍ତବ୍ୟ ପାଇଁ ଗତ ୧୭ ତାରିଖରେ କଂଗ୍ରେସରୁ ନିଲମ୍ବନ ହୋଇଥିଲେ। ଏହାପରେ ଯୋଗେଶ ଦଳରୁ ଇସ୍ତଫା ଦେବା ପରେ ଆଜି ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ରାହୁଲଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଦଳର ବରିଷ୍ଠ ନେତାମାନେ କଂଗ୍ରେସର ହାତ ଛାଡ଼ୁଛନ୍ତି ତ ଆଉ କାହାକୁ ‘ହାତ’ ନିଜେ ଛାଡ଼ି ଦେଉଛି। ସେପଟେ ଏଭଳି ଜଣକ ପରେ ଜଣ ବିଧାୟକ ଦଳ ଛାଡ଼ିବା ଆଉ ବହିଷ୍କାର ହେବା ବିଧାନସଭାରେ ବିରୋଧିଦଳନେତା ପଦ ସଙ୍କଟରେ ପଡ଼ିଛି ବୋଲି କୁହାଯାଉଛି।

ଦଳବିରୋଧୀ କାର୍ଯ୍ୟ ପାଇଁ ଚଳିତମାସ ୧୭ତାରିଖରେ ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ କଂଗ୍ରେସ ନିଲମ୍ବନ କରିଥିଲା। ଶ୍ରୀ ସିଂ ଖୁବଶୀଘ୍ର ବିଜେଡିରେ ସାମିଲ ହେବେ ବୋଲି ସୂଚନା ମିଳିଛି। ଶ୍ରୀ ସିଂ ୨୦୦୯ ମସିହାରୁ ସୁନ୍ଦରଗଡ଼ ବିଧାନସଭା ଆସନରୁ କଂଗ୍ରେସ ଟିକେଟରେ ବିଜୟୀ ହୋଇ ଆସୁଛନ୍ତି।
ଅନ୍ୟପକ୍ଷରେ କଂଗ୍ରେସରୁ ଦଳବିରୋଧୀ କାର୍ଯ୍ୟ ପାଇଁ ବହିଷ୍କୃତ ନବ ଦାସ ଆସନ୍ତା ୨୪ତାରିଖରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ନବଙ୍କ ବିରୁଦ୍ଧରେ ଗତକାଲି ଝାରସୁଗୁଡ଼ା କଂଗ୍ରେସ କର୍ମୀମାନେ ଏକଜୁଟ ହୋଇ ସ୍ଥିତି ପାଇଁ ନୀତି ଆଦର୍ଶକୁ ବଦଳାଇବାରେ ନବ ମାହିର ବୋଲି କହିବା ସହ ନୈତିକତା ଦୃଷ୍ଟିରୁ ସେ ତୁରନ୍ତ ବିଧାୟକ ପଦରୁ ଇସ୍ତଫା ଦେବାର ଆବଶ୍ୟକତା ରହିଛି ବୋଲି ମତ ଦେଇଥିଲେ।