ବିଜେଡ଼ିରେ ସୁନ୍ଦରଗଡର ପୂର୍ବତନ ବିଧାୟକ ଯୋଗେଶ ସିଂ

ଓଡ଼ିଶାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୁଲୁଥିବାବେଳେ ତାଙ୍କ ଦଳର ନିଲମ୍ୱିତ ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିହଂ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଶାସକ ବିଜେଡ଼ିରେ ଯୋଗ ଦେଇଛନ୍ତି। ଯୋଗେଶଙ୍କ ସହ ସୁନ୍ଦରଗଡ ନିର୍ବାଚନ ମଣ୍ଡଳୀରୁ ତାଙ୍କର ହଜାର ହଜାର ସମର୍ଥକମାନେ ମଧ୍ୟ ବିଜେଡିରେ ଯୋଗଦେଇଛନ୍ତି। ଗୋଟିଏ ପଟେ ରାଉରକେଲାରେ ଆଜି ସମାବେଶ କରିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି , ଆଉ ସେତିକି ବେଳେ ଭୁବନେଶ୍ୱର ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଯୋଗଦେଲେ ବିଧାୟକ ପଦ ଓ କଂଗ୍ରେସ ଦଳ ଛାଡିଥିବା ସୁନ୍ଦରଗଡର ପୂର୍ବତନ ବିଧାୟକ ଯୋଗେଶ ସିଂ।

ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଅନେକ ରାଜନେତାଙ୍କର ଦଳବଦଳ ଜାରି ରହିଛି। ଏହି କ୍ରମରେ ବିଜେଡ଼ିରେ ମଧ୍ୟ ଆଜି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ସୁନ୍ଦରଗଡର ପୂର୍ବତନ ବିଧାୟକ ଯୋଗେଶ ସିଂ ହାତ ଛାଡ଼ି ଶଙ୍ଖ ଧରିଛନ୍ତି। ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି। ତେବେ ବିଜେଡ଼ିରେ ଯୋଗଦେବା ପରେ ଦଳ ଆହୁରି ମଜଭୁତ ହେବ ବୋଲି କୁହାଯାଉଛି। ଅନ୍ୟପଟେ କଂଗ୍ରେସକୁ ଝଟକା ଲାଗିବ। କାରଣ ଗତ କିଛି ଦିନ ତଳେ କଂଗ୍ରେସର ଟାଣୁଆ ନେତା ତଥା ଝାରସୁଗୁଡ଼ା ବିଧାୟକ ବିଜେଡ଼ିରେ ଯୋଗଦେଇଥିଲେ। ନିର୍ବାଚନକୁ ଦୃଷ୍ଟିରେ ରଖିଲେ ସ୍ପଷ୍ଟ ଜଣାପଡ଼ୁଛି ରାଜ୍ୟରେ କଂଗ୍ରେସ ସ୍ଥିତି ଟଳମଳ ହେଉଛି । ହେଲେ ବିଜେଡ଼ି କିନ୍ତୁ ସ୍ଥିତି ସୁଦୃଢ଼ କରିବାରେ ଲାଗିଛି।

ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ବ ଓ ଜନ କଲ୍ୟାଣ କାର୍ଯ୍ୟକ୍ରମ ଆଦିରେ ପ୍ରଭାବିତ ହୋଇ ସେ ଏହି ପଦକ୍ଷେପ ନେଉଥିବା ପୂର୍ବରୁ କହିଥିଲେ। ଜାନୁଆରୀ ୧୭ ତାରିଖରେ ଯୋଗେଶ ସିଂହଙ୍କୁ ପ୍ରାଥମିକ ସଦସ୍ୟ ପଦରୁ କଂଗ୍ରେସରୁ ବହିଷ୍କୃତ କରାଯାଇଥିଲା। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ନିଲମ୍ବନ କରାଯାଇଥିଲା। କଂଗ୍ରେସରୁ ନିଲମ୍ବନ ହେବା ପରେ ଜାନୁଆରୀ ୨୨ ତାରିଖରେ ଯୋଗେଶ ସିଂହ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ଯୋଗେଶ ସିଂହ ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କୁ ଭେଟି ନିଜର ଇସ୍ତଫା ପତ୍ର ଦେଇଥିଲେ। ଯୋଗେଶ ସିଂହ ୨୦୦୯ ମସିହାରୁ ସୁନ୍ଦରଗଡ଼ ବିଧାନସଭା ଆସନରୁ କଂଗ୍ରେସ ଟିକେଟରେ ବିଜୟୀ ହୋଇ ଆସୁଛନ୍ତି।

Leave a Reply

Your email address will not be published.