ଜେଏନୟୁ ଆକ୍ରମଣ ଘଟଣା: ଛାତ୍ରସଂଘ ସଭାପତି ସମେତ ୨୦ ଜଣଙ୍କ ନାଁରେ ମାମଲା
ନୂଆଦିଲ୍ଲୀ: ଜବାହରଲାଲ ନେହରୁ ୟୁନିଭର୍ସିଟି ହିଂସା ଘଟଣାରେ ନୂଆମୋଡ ନେଇଛି ସ୍ଥିତି। ଆକ୍ରମଣ ଘଟଣାର ଦିନକ ପରେ ଛାତ୍ରସଂଘ ସଭାପତି ଆଏଶୀ ଘୋଷଙ୍କ ସମେତ ୨୦ ଜଣଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି । ଜେଏନୟୁ କର୍ତ୍ତୃପକ୍ଷଙ୍କ ଅଭିଯୋଗ ଭିତ୍ତିରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁଲିସ। ସୂଚନାଯୋଗ୍ୟ ଯେ ଏହି ଘଟଣାକୁ ନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସମେତ ଦିଲ୍ଲୀ ପୁଲିସ୍ କମିଶନର୍ ତ୍ୱରିତ୍ ତଦନ୍ତ ନିର୍ଦ୍ଦେଶ ଦେବା ସହ ରିପୋର୍ଟ ମାଗିଥିଲେ।
ସମ୍ପ୍ରତି ୨୦ଜଣଙ୍କ ବିରୋଧରେ କ୍ୟାମ୍ପସରେ ଭଙ୍ଗାରୁଜା ଓ ସିକ୍ୟୁରିଟି ଗାର୍ଡମାନଙ୍କୁ ଆକ୍ରମଣ କରିବା ଅଭିଯୋଗ ରହିଛି। ଅନ୍ୟପକ୍ଷରେ ଜେଏନୟୁ ହିଂସାର ପ୍ରତିବାଦରେ ମୁମ୍ବାଇ ଗେଟୱେ ଅଫ ଇଣ୍ଡିଆରୁ ଆଜାଦ ମଇଦାନକୁ ବିକ୍ଷୋଭ ସ୍ଥାନାନ୍ତର ହୋଇଛି। ଗେଟୱେ ଅଫ ଇଣ୍ଡିଆରେ ଦୁଇଦିନ ଧରି ବିକ୍ଷୋଭ ପ୍ରଦର୍ଶନରେ ମାନବାଧିକାର କର୍ମୀ, ଛାତ୍ରଛାତ୍ରୀ ଓ ସେଲିବ୍ରିଟିଙ୍କ ସମେତ ବିଭିନ୍ନବର୍ଗର ଲୋକେ ସାମିଲ ହୋଇଥିଲେ ଏବଂ ଜେଏନୟୁ ହିଂସାକୁ ନିନ୍ଦା କରିଥିଲେ।
ପ୍ରମାଣ ପାଇଛି ପୁଲିସ୍
ଆକ୍ରମଣ ସମ୍ପର୍କରେ ପୁଲିସ ପାଇଛି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ। ସେହି ଅନୁସାରେ ମାମଲାକୁ ଖୁବଶୀଘ୍ର ସମାଧାନ କରିବାକୁ ଉଦ୍ୟମ ଚଳାଇଛୁ ଏବଂ ଏହାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ଦିଆଯାଇଛି ବୋଲି ଦିଲ୍ଲୀ ପୁଲିସର ଲୋକସମ୍ପର୍କ ଅଧିକାରୀ ଏମ୍ଏସ୍ ରନ୍ଧୱା କହିଛନ୍ତି। ତଦନ୍ତରେ ବିଳମ୍ବ ନହେବା ଲାଗି ଜେସିପିଙ୍କ ନେତୃତ୍ୱରେ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ମଧ୍ୟ ଗଢ଼ାଯାଇଛି। ସେହିପରି ସିସିଟିଭି ଫୁଟେଜ୍ ସମେତ ଅନ୍ୟାନ୍ୟ ପ୍ରମାଣ ଏକତ୍ରିତ କରାଯାଉଛି। ରନ୍ଧୱାଙ୍କ ସୂଚନା ଅନୁସାରେ ପ୍ରାୟ ୩୪ ଜଣ ହିଂସାକାଣ୍ଡରେ ଆହତ ହୋଇଛନ୍ତି ଓ ସମସ୍ତଙ୍କୁ ଟ୍ରମା କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଛି। ଗତ ରବିବାର ସନ୍ଧ୍ୟାରେ ମୁଖାପିନ୍ଧା ୪୦ରୁ ୫୦ଜଣ ଠେଙ୍ଗା, ଲୁହାରଡ୍ ଆଦି ନେଇ କ୍ୟାମ୍ପସ୍ ରେ ଆକ୍ରମଣ କରିଥିଲେ। ଏଥିରେ ଛାତ୍ରସଂଘ ସଭାପତି ଆଏଶୀ ଘୋଷ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ତେବେ ପ୍ରସଙ୍ଗ ଆଧାରରେ ଦିଲ୍ଲୀ ପୁଲିସ ଓ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଭୂମିକାକୁ ନେଇ ମଧ୍ୟ ସାଧାରଣରେ ପ୍ରଶ୍ନ ଉଠିଛି।
[] ରିପୋର୍ଟ: ଏସପି