ଥମୁନି ଜେଏନ୍ୟୁ ବିବାଦ: କ୍ୟାମ୍ପସ୍ ଥରହର, ତେଜୁଛି ଛାତ୍ର ଅଶାନ୍ତି
ନୂଆଦିଲ୍ଲୀ: କିଛିଦିନର ନିରବତା ପରେ ପୁଣିଥରେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍ୟୁ) ଅଶାନ୍ତ ହୋଇଉଠିଛି । ଫଳରେ ଏହାକୁ ନେଇ ସାରା ଦେଶରେ ଅଶାନ୍ତି ଦେଖା ଦେଇଛି । ଗତ ରବିବାର ସନ୍ଧ୍ୟାରେ ବିଶ୍ୱବିଦ୍ୟାଳୟ ପରିସରରେ ବ୍ୟାପକ ଭଙ୍ଗାରୁଜା ଓ ଆକ୍ରମଣ ପ୍ରତି ଆକ୍ରମଣରେ ଥରହର ହୋଇଛି କ୍ୟାମ୍ପସ୍ । ଏଥିରେ ଦୁଇ ଛାତ୍ର ଗୋଷ୍ଠୀ ପରସ୍ପରକୁ ସମ୍ପୃକ୍ତି ଥିବା ଅଭିଯୋଗ ହେଉଥିବାବେଳେ ଦୁଇ ଗୋଷ୍ଠୀ ପରସ୍ପର ଉପରକୁ ଦୋଷ ଲଦିବାରେ ଲାଗିଛନ୍ତି ।
ବିଶ୍ୱବିଦ୍ୟାୟ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଶିକ୍ଷକ ସଂଘର ବୈଠକ ଚାଲିଥିବାବେଳେ ମୁଖାପିନ୍ଧିଥିବା କେତେକ ଯୁବକ ହଠାତ୍ ପହଞ୍ଚି ଉତ୍ପାତ କରିଥିଲେ । ସେମାନେ ବିଦ୍ୟୁତ୍ ସରବରାହକୁ ବନ୍ଦ କରିଦେବା ସହ ସର୍ଭର୍ ରୁମରେ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଗଣ୍ଡଗୋଳରେ ଜେଏନ୍ୟୁ ଛାତ୍ରସଂଘ ସଭାପତି ଆଏଶି ଘୋଷ ଓ ସାଧାରଣ ସମ୍ପାଦକ ସତୀଶ ଚନ୍ଦ୍ର ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ତେବେ ଏଥିପାଇଁ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଦାୟୀ ବୋଲି ଛାତ୍ର ସଂଘ ଅଭିଯୋଗ କରିଥିବାବେଳେ ସମାନ ଅଭିଯୋଗ ପ୍ରତିପକ୍ଷରୁ ହୋଇଛି । ଆଇସା, ଏସ୍ଏଫ୍ଆଇ ଓ ଡିଏସ୍ଏଫ୍ ସଦସ୍ୟ ମିଳିତ ଭାବେ ସେମାନଙ୍କୁ ଆକ୍ରମଣ କରିଥିବା ଏବିଭିପି ଅଭିଯୋଗ କରିଛି । ତେବେ ଆକ୍ରମଣ ଘଟଣାରେ ପ୍ରାୟ ୨୦ରୁ ଅଧିକ ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି । ଏହାକୁ ନେଇ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ ଦିଲ୍ଲୀ ପୁଲିସ୍ କମିଶନର୍ ଅମୂଲ୍ୟ ପଟ୍ଟନାୟକ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ସହ ତଦନ୍ତ ରିପୋର୍ଟ ମାଗିଛନ୍ତି । ଅନ୍ୟପକ୍ଷରେ କ୍ୟାମ୍ପସ୍କୁ ତୁରନ୍ତ ୭ଟି ଆମ୍ବଲାନ୍ସ ପଠାଯାଇଥିଲା ଓ ବ୍ୟାପକ ପୁଲିସ୍ ମୁତୟନ କରାଯାଇଥିଲା । ପୁଲିସ୍ ଫ୍ଲାଗମାର୍ଚ୍ଚ କରିବା ସହ ଅଭିଯୁକ୍ତମାନଙ୍କୁ ଖୋଜାଖୋଜି ଚଲାଇଥିବାବେଳେ ଶେଷ ଖବର ସୁଦ୍ଧା କେହି ଗିରଫ ହୋଇନଥିଲେ ।
ଜେଏନ୍ୟୁରେ ଏଭଳି ଅଭାବନୀୟ ଘଟଣାକୁ ନେଇ ଦେଶରେ ରାଜନୀତି ସରଗରମ ହୋଇଥିବା ବେଳେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ସମ୍ପୃକ୍ତ ଛାତ୍ର ଗୋଷ୍ଠୀଗୁଡ଼ିକ ନିଜନିଜ ସମର୍ଥକଙ୍କ ସପକ୍ଷରେ ଦେଶର ବିଭିନ୍ନ ସ୍ଥାନରେ ପ୍ରତିବାଦ ଓ ବିକ୍ଷୋଭ କରିଛନ୍ତି । ସେହିଭଳି ରାଜନୀତି ଦଳଗୁଡ଼ିକ ପରସ୍ପରକୁ ଦୋଷ ଲଦିବାରେ ଲାଗିଛନ୍ତି । ସୋସିଆଲ୍ ମିଡିଆରେ ମଧ୍ୟ ଏହାକୁ ନେଇ ଅନେକ ପୋଷ୍ଟ ଘୂରି ବୁଲୁଛି ଏବଂ ଆକ୍ରମଣ ସମୟର ଭିଡିଓ ଓ ଛବି ସେୟାରିଂ ହେଉଛି । ଏଭଳି ଘଡ଼ିସନ୍ଧି ବେଳେ ଆଜି ଦିଲ୍ଲୀ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ଫଳରେ ଚର୍ଚ୍ଚା ଆହୁରି ରୋଚକ ସ୍ତରକୁ ଯାଇଛି । ନିର୍ବାଚନ ପୂର୍ବରୁ ଏହା ବିଭିନ୍ନ ରାଜନୀତିକ ଦଳର ପ୍ରାୟୋଜିତ କାଣ୍ଡକାରନାମା ବୋଲି ମଧ୍ୟ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।
ନିନ୍ଦାକଲେ ନବୀନ
ଜେଏନ୍ୟୁ ଅଘଟଣକୁ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମୁହଁ ଖୋଲିଛନ୍ତି । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ ବୋଲି ଟ୍ୱିଟ୍ କରି ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ । ଏଥିସହ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ସେ ଦିଲ୍ଲୀ ପୁଲିସ୍କୁ ନିବେଦନ କରିବା ସହ ଆହତ ଛାତ୍ରମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ( ଏସ୍ପି)