ଭାରତର ଫିଚର୍ ଫୋନ୍ ବଜାରରେ ଅଗ୍ରଣୀ ହାସଲ କଲା ଜିଓଫୋନ୍
ଭୁବନେଶ୍ୱର, (ଓଟି): ଭାରତର ଫିଚର ଫୋନ୍ ବଜାରରେ ଅଗ୍ରଣୀ ହୋଇଛି ଜିଓ ଫୋନ୍ । ଚଳିତ ବର୍ଷର ପ୍ରଥମ ତିନିମାସ ଭିତରେ ଏହା ସମୁଦାୟ ଫିଚର ଫୋନ୍ ବଜାରର ୩୦ ପ୍ରତିଶତ ଅଂଶ ଅକ୍ତିଆର କରିବାରେ ସକ୍ଷମ ହୋଇପାରିଛି । ‘କାଉଣ୍ଟରପଏଣ୍ଟ’ ରିସର୍ଚ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି ।
‘କାଉଣ୍ଟରପଏଣ୍ଟ’ ଦ୍ୱାରା ପ୍ରକାଶିତ “ଭାରତ ସ୍ମାର୍ଟଫୋନ୍ ବଜାର ଅଂଶ ପ୍ରଥମ ତ୍ରୟମାସ ୨୦୧୯’ ରିପୋର୍ଟରେ କୁହାଯାଇଛି ଯେ, ଭାରତୀୟ ବଜାରରେ ସ୍ମାର୍ଟଫୋନ୍ ପାଇଁ ବିପୁଳ ସୁଯୋଗ ରହିଛି । କିନ୍ତୁ ଏହି କ୍ଷେତ୍ରରେ ୪୦ କୋଟି ଫିଚର୍ ଫୋନ୍ ବ୍ୟବହାରକାରୀଙ୍କୁ ଅଣଦେଖା କରାଯାଇପାରିବ ନାହିଁ । ପୁଣି ଆଗାମୀ ୫ ବର୍ଷ ଯାଏ ଏହି ଫିଚର ଫୋନ୍ର ପ୍ରଭାବ ବଜାୟ ରହିବ ବୋଲି ଏଥିରେ କୁହାଯାଇଛି ।
ଫିଚର ଫୋନ୍ ବଜାରରେ ୧୫% ବଜାର ଅଂଶ ସହ ସାମସଙ୍ଗ୍ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ସ୍ଥାନୀୟ ହ୍ୟାଣ୍ଡ୍ସେଟ୍ ନିର୍ମାତା ‘ଲାଭା’ ୧୩% ବଜାର ଅଂଶ ସହ ତୃତୀୟ ସ୍ଥାନ ଦଖଲ କରିଛି । ସ୍ମାର୍ଟଫୋନ୍ ବଜାର ଯେଉଁଥିରେ ପ୍ରଥମଥର ପାଇଁ ୨୦୧୮ରେ ହ୍ରାସ ଦେଖାଦେଇଥିଲା, ସେଠାରେ ଫିଚର ଫୋନ୍ ବଜାର ବିଗତ ତିନି ବର୍ଷ ଧରି ଅଭିବୃଦ୍ଧି ପଥରେ ଆଗେଇ ଚାଲିଛି ।
କାଉଣ୍ଟର ପଏଣ୍ଟର ମାର୍ଚ ମାସ ରିପୋର୍ଟରେ ରେ ପ୍ରକାଶ ପାଇଥିଲା ଯେ, ୨୦୧୯ରେ ସାରା ବିଶ୍ୱରେ ୪୦ କୋଟିରୁ ଅଧିକ ଫିଚର୍ ଫୋନ୍ ବିକ୍ରି ହେବ । ୨୦୨୧ରେ ଫିଚର୍ ଫୋନ୍ ସିପ୍ମେଣ୍ଟ ବା ଆମଦାନୀ ପରିମାଣ ୧ ବିଲିଅନ୍ ବା ୧୦୦ କୋଟିରୁ ଅଧିକ ହୋଇଯିବ ବୋଲି ଆକଳନ କରାଯାଇଥିଲା ।
ବ୍ରୋକରେଜ୍ ସଂସ୍ଥା ସିଏଲ୍ଏସ୍ଏର ଦୂରସଂଚାର କ୍ଷେତ୍ର ଆକଳନ ୨୦୧୯ ଫେବ୍ରୁଆରି ରିପୋର୍ଟରେ କୁହାଯାଇଥିଲା ଯେ ଚଳିତ ବର୍ଷ ଗ୍ରାହକ ବା ଉପଭୋକ୍ତା ବଜାର ଅଂଶରେ ଜିଓ ଆଗରେ ରହିବ ।
ସିଏଲ୍ଏସ୍ଏ ଏହାର ଦୂରସଂଚାର ରିପୋର୍ଟରେ କହିିଛି ଯେ, ମୋବାଇଲ୍ ଗ୍ରାହକ ସଂଖ୍ୟା ଫେବ୍ରୁଆରୀରେ ୨ ନିୟୁତ ବୃଦ୍ଧି ପାଇ ୧୧୮.୪ କୋଟି ହୋଇଛି ଏବଂ ରିଲାଏନ୍ସ ଜିଓ ୮୦ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଛି । ଜିଓ ପାଖରେ ଏବେ ଦେଶରେ ୩୦.୬ କୋଟି ଗ୍ରାହକ ରହିଛନ୍ତି । ମାତ୍ର ୫୦୧ ଟଙ୍କାର ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଥିବା ଯୁଗାନ୍ତକାରୀ ଜିଓ ଫୋନ୍ ଭାରତର ଗ୍ରାମାଚଂଳରେ ବିଶେଷ ଭାବେ ଆଦୃତି ଲାଭ କରିଛି ଏବଂ ସ୍ମାର୍ଟଫୋନ୍ ଭଳି ଭିଡିଓ କଲିଂ, ଫେସବୁକ, ହ୍ୱାଟସଆପ୍, ନିରବଚ୍ଛିନ୍ନ ଇଣ୍ଟରନେଟ୍ ସେବା ଆଦି ସୁବିଧା ଉପଲବ୍ଧ କରାଉଛି ।