ଓଡ଼ିଶାରେ ବଢ଼ୁଛି ଜିଓ: ଅକ୍ଟୋବରରେ ୬.୧୪ ଲକ୍ଷ ନୂଆ ଗ୍ରାହକ
ଭୁବନେଶ୍ୱର, (ଓଟି): ଓଡ଼ିଶାର ସବୁଠୁ ପସନ୍ଦଯୋଗ୍ୟ ମୋବାଇଲ ସେବା ପ୍ରଦାନକାରୀ ଭାବରେ ନିଜର ଜୟଯାତ୍ରାକୁ ଜାରି ରଖି ରିଲାଏନ୍ସ ଜିଓ ୨୦୧୯ ଅକ୍ଟୋବର ମାସରେ ଓଡ଼ିଶାରେ ୬.୧୪ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଛି ବୋଲି ଟ୍ରାଇ ପକ୍ଷରୁ ୨୦୧୯ ଡିସେମ୍ବର ୩୦ରେ ଜାରି କରାଯାଇଥିବା ସଦ୍ୟତମ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି । ଅକ୍ଟୋବର ମାସରେ ରାଜ୍ୟରେ ଗ୍ରାହକ ଯୋଡ଼ିବା କ୍ଷେତ୍ରରେ କଂପାନି ୫.୫% ଅଭିବୃଦ୍ଧି ହାସଲ କରିଛି ଯାହା ଜିଓ ପାଇଁ ଦେଶର ସମସ୍ତ ଟେଲିକମ ସର୍କଲଗୁଡ଼ିକ ଭିତରେ ସର୍ବାଧିକ ବୋଲି ଟ୍ରାଇ ତଥ୍ୟରୁ ଜଣାପଡ଼ିଛି । ଏହା ସହିତ ୨୦୧୯ ଅକ୍ଟୋବର ଶେଷ ସୁଦ୍ଧା ଓଡ଼ିଶାରେ ଜିଓର ମୋଟ ଗ୍ରାହକ ସଂଖ୍ୟା ୧.୧୬ କୋଟିକୁ ବୃଦ୍ଧି ପାଇଥିବା ବେଳେ ରାଜ୍ୟର ମୋବାଇଲ ଗ୍ରାହକ କ୍ଷେତ୍ରରେ କଂପାନି ୩୪.୯% ବଜାର ଅଂଶ ହାସଲ କରିଛି । ରାଜ୍ୟରେ ଜିଓ ଗ୍ରାହକଙ୍କ ସଂଖ୍ୟାରେ ହୋଇଥିବା ଏଭଳି ଦ୍ରୁତ ବୃଦ୍ଧିର ପ୍ରମୁଖ କାରଣଗୁଡ଼ିକ ମଧ୍ୟରେ ରହିଛିି ଏହାର ସମ୍ପୂର୍ଣ୍ଣ ୪ଜି ନେଟୱର୍କ, ଅପହଂଚ ତଥା ଆଭ୍ୟନ୍ତରୀଣ ଅଂଚଳଗୁଡ଼ିକୁ ଏହାର ୪ଜି ନେଟୱର୍କର ଦ୍ରୁତ ସଂପ୍ରସାରଣ ଏବଂ ଗ୍ରାମାଂଚଳ ଓ ଅର୍ଧ ସହରାଚଂଳଗୁଡ଼ିକରେ ଅତ୍ୟଧିକ ଲୋକପ୍ରିୟ ସୁଲଭ ଜିଓ ଫୋନ-ଭାରତର ସ୍ମାର୍ଟ ଫୋନ । ସବୁଠୁ ଲୋକପ୍ରିୟ ଜିଓଫୋନ ଦୀପାବଳି ଅଫରକୁ ୨୦୧୯ ଅକ୍ଟୋବରରେ ଘୋଷଣା କରାଯାଇଥିଲା ଯେଉଁଥିରେ ଏହି ୪ଜି ଏଲ୍ଇଟି ଫୋନ ମାତ୍ର ୬୯୯ ଟଙ୍କାରେ ଉପଲବ୍ଧ ହୋଇଥିଲା, ଯାହା ଏହି ମାସରେ ଜିଓ ଗ୍ରାହକ ସଂଖ୍ୟାରେ ଘଟିଥିବା ଉଲ୍ଲେଖନୀୟ ବୃଦ୍ଧିରେ ସହାୟକ ହୋଇଥାଇପାରେ।
ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ଗ୍ରାହକ ତଥ୍ୟ ଅନୁଯାୟୀ, ଜିଓ ବ୍ୟତିରେକ ବିଏସଏନଏଲ ହେଉଛି ଏକମାତ୍ର ଅନ୍ୟତମ ଟେଲିକମ ଅପରେଟର ଯାହା ଏହି ମାସରେ ରାଜ୍ୟରେ ନୂତନ ଗ୍ରାହକ ଯୋଡ଼ିଛି । ବିଏସଏନଏଲ ୨୦୧୯ ଅକ୍ଟୋବରରେ ୫୯,୦୦୦ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ଏୟାରଟେଲ ଓ ଭୋଡାଫୋନ ଆଇଡିଆ ହଜାର ହଜାର ଗ୍ରାହକ ହରାଇଥିବାର ଧାରା ଜାରି ରଖିଛନ୍ତି । ଭୋଡାଫୋନ ଆଇଡିଆ ଏହି ମାସରେ ରାଜ୍ୟରେ ୯୫୦୦୦ରୁ ଅଧିକ ଗ୍ରାହକ ହରାଇଥିବା ବେଳେ ଏୟାରଟେଲ ୧୩୦୦୦ରୁ ଉଦ୍ଧ୍ୱର୍ ଗ୍ରାହକ ହରାଇଛି । ମାତ୍ର ରିଲାଏନ୍ସ ଜିଓ ସର୍ବାଧିକ ୬.୧୪ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଥିବାରୁ ରାଜ୍ୟରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟାରେ ୨୦୧୯ ଅକ୍ଟୋବର ୩୧ ସୁଦ୍ଧା ୫.୬୮ ଲକ୍ଷ ବୃଦ୍ଧି ଘଟି ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ୩.୩୪ କୋଟିରେ ପହଂଚିଛି ବୋଲି ଟ୍ରାଇ ରିପୋର୍ଟରୁ ଜଣାପଡ଼ିଛି ।
ଜାତୀୟ ସ୍ତରରେ ଜିଓ ଅକ୍ଟୋବର ମାସରେ ୯୧ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡ଼ି ସର୍ବାଧିକ ସଂଖ୍ୟକ ଗ୍ରାହକ ଯୋଡ଼ିବାର ଧାରାକୁ ଜାରି ରଖିଛି, ଯାହା ଫଳରେ ଦେଶରେ ଏହାର ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ୩୬.୪ କୋଟିରୁ ଉଦ୍ଧ୍ୱର୍ରେ ପହଂଚିଛି ।