ଜିକା ଭାଇରସ୍ ପାଇଁ ଉପଯୋଗୀ ମ୍ୟାଲେରିଆ ଔଷଧ
ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ (ଆଇଆଇଟି) ପକ୍ଷରୁ ଜିକା ଭାଇରସ୍ ସଂକ୍ରମଣକୁ ରୋକିବା କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଗବେଷଣା କରାଯାଇଛି । ଏହି ଗବେଷଣାରୁ ଜଣାପଡ଼ିଛି ଯେ ମ୍ୟାଲେରିଆ ନିରାକରଣ ପାଇଁ ବ୍ୟବହୃତ ହେଉଥିବା ଔଷଧ ‘ହାଇଡ୍ରାକ୍ସିକ୍ଲୋରୋକୁଇନ୍’ ଏବେ ଜିକା ଭାଇରସ୍ ସଂକ୍ରମଣରୁ ରକ୍ଷା କରିପାରିବ । ଜିକା ଭାଇରସ୍ ରୋକିବା ପାଇଁ ପ୍ରସ୍ତୁତ ହେଉଥିବା ଔଷଧ କ୍ଷେତ୍ରରେ ଏହା ଏକ କ୍ରାନ୍ତିକାରୀ ପଦକ୍ଷେପ ଆଣିଛି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ।
‘ଆଇଆଇଟି’ର ପ୍ରୋଫେସର୍ ଡ. ରଜନୀଶ୍ ଗୀରିଙ୍କ ତତ୍ୱାବଧାନରେ ଏକ ଗବେଷଣା କରାଯାଇଥିଲା । ଏହା ପୂର୍ବରୁ ଆମେରିକାର ସେଣ୍ଟ୍ଲୁଇ ସ୍ଥିତ ୱାସିଙ୍ଗ୍ଟନ୍ ୟୁନିଭର୍ସିଟିର ପ୍ରେଫେସର୍ ଇନ୍ଦିରା ମୈସୁର୍କର୍ଙ୍କ ଗବେଷଣାରୁ ମଧ୍ୟ ଜିକା ଭାଇରସ୍ ସମ୍ପର୍କିତ ଏହି ତଥ୍ୟ ଜଣାପଡ଼ିଥିଲା । ଗର୍ଭବତୀ ମା’ଠାରୁ ତା’ର ଶିଶୁକୁ ଜିକା ସଂକ୍ରମଣ ହୋଇପାରେ । ଏହି ଆଧାରରେ ଡ, ଗିରୀ ପ୍ରୟୋଗଶାଳାରେ ଏହାର ପ୍ରୋଟିନର ପରୀକ୍ଷାନିରୀକ୍ଷା ଚଳାଇଥିଲେ ।
ସୂଚନାଯୋଗ୍ୟ ଜିକା ଭାଇରସ୍ ମଶା କାମୁଡିବା ଦ୍ୱାରା ହୋଇଥାଏ, ଯାହାକି ଏବେ ସମ୍ପୂର୍ଣ୍ଣ ବିଶ୍ୱରେ ଏକ ମାରାତ୍ମକ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଦେଖାଦେଇଛି ।