ଚର୍ଚ୍ଚାରେ ‘ଚାମ୍ପିଅନ୍’ ଝୁଲିମା
ଭୁବନେଶ୍ୱର(ଓଟି): କନ୍ଧମାଳର ସେଇ ଝିଅଟି। ସମ୍ପ୍ରତି ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ନିଜ ଜୀବନ ସଂଘର୍ଷ ଆଉ ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ମିଳିଛି ଢେର୍ ପ୍ରଶଂସା। ହଁ, ସେ ହେଉଛନ୍ତି ୨୧ ବର୍ଷୀୟା ସମାଜସେବୀ ଝୁଲିମା। କନ୍ଧମାଳ ଜିଲ୍ଲା ବାନ୍ଦୁଡ଼ି ଗାଁର ଝିଅ ଝୁଲିମା ମଲ୍ଲିକ। ବାଲ୍ୟ ବିବାହ ରୋକିବା ଆଉ ଏଦିଗରେ ସଚେତନତା କରାଇବାରେ ଝୁଲିମାଙ୍କ ରହିଛି ବଡ଼ ଅବଦାନ। ପ୍ରତିକୂଳ ପରିସ୍ଥିତିରେ ଅପହଞ୍ଚ ଅଞ୍ଚଳରେ ସମାଜ ପାଇଁ ସେ ଲଢ଼େଇ ଜାରି ରଖିଛନ୍ତି। ଆଉ ଏଇଥିପାଇଁ ଗତ ଡିସେମ୍ବର ୫ରେ ଅନ୍ତର୍ଜାତୀୟ ସ୍ଵେଚ୍ଛାସେବୀ ଦିବସ ଅବସରରେ ତାଙ୍କୁ ମିଳିଥିଲା ବଡ଼ ପୁରସ୍କାର। ନୂଆଦିଲ୍ଲୀସ୍ଥିତ ମିଳିତ ଜାତିସଂଘ (ୟୁଏନ ହାଉସ୍) ଶାଖା କାର୍ଯ୍ୟାଳୟରେ ୟୁନିସେଫ୍ ସହାୟତାରେ ହୋଇଥିବା କାର୍ଯ୍ୟକ୍ରମରେ ଲିଲିମାଙ୍କୁ ‘ଭି-ଆୱାର୍ଡ’ ପ୍ରଦାନ କରାଯାଇଥିଲା। ସମ୍ପ୍ରତି ଖୁବ୍ କମ ଦିନ ବ୍ୟବଧାନରେ ଲିଲିମା ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଆଉ ସବୁଠି ଆଲୋଚନା ହେଉଛି ଚାମ୍ପିଅନ୍ ଝୁଲିମା ଓଡ଼ିଶାର ଗୌରବ।
ସାଧାରଣତନ୍ତ୍ର ଦିବସ ଅବସରରେ ରାଜସ୍ଥାନ ଜୟପୁରରେ ଚାଲିଥିବା ଜୟପୁର ଲିଟେରେସି ଫେଷ୍ଟିଭାଲରେ ଉନ୍ମୋଚିତ ହୋଇଯାଇଛି ‘ଉଇ ଆର୍ ଦି ଚାମ୍ପିଅନ୍ସ’ (We Are The Champions)। ଉକ୍ତ ପୁସ୍ତକରେ ସ୍ଥାନ ପାଇଛି ଝୁଲିମାଙ୍କ କାହାଣୀ। ଖ୍ୟାତାନାମା ଲେଖିକା ରଶ୍ମି ବଂଶଲ୍ ଓ ଦେବେନ୍ଦ୍ର ତକ୍ଙ୍କ ଦ୍ୱାରା ଲେଖାଯାଇଥିବା ଉକ୍ତ ପୁସ୍ତକରେ ଦେଶର ୧୫ଜଣ ସ୍ଵତନ୍ତ୍ର ବ୍ୟକ୍ତିତ୍ୱଙ୍କ କାହଣୀ ସ୍ଥାନ ପାଇଛି। ସାମାଜିକ ପରିବର୍ତ୍ତନ ଓ ସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ କନ୍ଧମାଳର ଝୁଲିମାଙ୍କ ସଂଘର୍ଷର ଗାଥା ରହିଛି। ବାଲ୍ୟ ବିବାହକୁ ବନ୍ଦ କରିବା ଓ ବାଳିକା ଶିକ୍ଷାକୁ ପ୍ରୋତ୍ସାହନ ଦେବାରେ ତାଙ୍କ କାର୍ଯ୍ୟଧାରା ଓ ବାସ୍ତବ କାହାଣୀ ବହିରେ ସ୍ଥାନ ପାଇଛି। ପୁସ୍ତକ ଉନ୍ମୋଚନବେଳେ ରାଜସ୍ଥାନର ରାଜକୁମାରୀ ତଥା ସାଂସଦ ଦୀୟା କୁମାରୀ, ଆନ୍ତର୍ଜାତୀକ ସଂସ୍ଥା ସେଭ୍ ଦି ଚିଲିଡ୍ରେନ୍ସର ଭାରତ ମୁଖ୍ୟ ବିଦିଶା ପିଲ୍ଲାଇ, ଅଧ୍ୟକ୍ଷ ଅରୁଣ ମାଇରା, ଲେଖିକା ରଶ୍ମୀ ବଂଶଲ୍ ଓ ଝୁଲିମା ଉପସ୍ଥିତ ଥିଲେ। ଝୁଲିମାଙ୍କୁ ଖୁବ୍ ପ୍ରଶଂସା କରିଥିଲେ ସମସ୍ତେ ଆଉ ଏବେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି।