ଝାରସୁଗୁଡା : ରୋଚକ ହେବ ତ୍ରିମୁଖୀ ଲଢ଼େଇ
ଝାରସୁଗୁଡା ବିଧାନସଭା ନିବାର୍ଚନ ମଣ୍ଡଳୀରେ ଏଥର ତ୍ରିମୂଖୀ ପ୍ରତିଦ୍ୱନ୍ଦ୍ୱୀତା ହେବାର ଅନୁମାନ କରାଯାଉଛି। ନିବାର୍ଚନ ରଣାଙ୍ଗନରେ ହେଭିଓ୍ବେଟ ନେତା ନବ ଦାସ ଏଥର ବିଜେଡିରୁ ପ୍ରତିଦ୍ୱନ୍ଦୀତା କରୁଥିବା ବେଳେ ତାଙ୍କ ସମ୍ମୂଖରେ କଂଗ୍ରେସର ଆଦିବାସୀ ନେତା ମହେନ୍ଦ୍ର ନାଏକ ଓ ବିଜେପିର ଦୀନେଶ ଜୈନ ରହିଛନ୍ତି।

ମହେନ୍ଦ୍ର କଂଗ୍ରେସ ଭୋଟ ବ୍ୟାଙ୍କ ଉପରେ ଭରସା କରିଥିଲେ ବେଳେ ଦୀନେଶ ବିଜେପି ଅଣ୍ଡର କରେଣ୍ଟ ଓ ମୋଦି ହାୱା ଉପରେ ଭରସା କରିଛନ୍ତି। ତବେ ନବ ଦାସ ଉଭୟ ବିଜେଡି ଭୋଟବ୍ୟାଙ୍କ ସମେତ ନିଜର ପୁରୁଣା କଂଗ୍ରେସ ସମର୍ଥକଙ୍କ ଉପରେ ଭରସା କରି ରଣ କୌଶଳ ପ୍ରସ୍ତୁତ କରି ପ୍ରଚାର ଆରମ୍ଭ କରିଛନ୍ତି। ଏଣୁ ଏଥର ପ୍ରତିଦ୍ୱନ୍ଦୀତା ତ୍ରିମୁଖୀ ତଥା ରୋଚ ହେବାର ଆଶା କରାଯାଉଛି।

କଂଗ୍ରେସ ଛାଡି ବିଜେଡିକୁ ଆସିବା ପୂର୍ବରୁ ଓ ପରେ ପ୍ରଥମେ ବିଜେଡି ନେତା ଓ କିଛି ସମୟ ପାଇଁ ଅସନ୍ତାଷ ପ୍ରକାଶ କରିଥିଲେ। ମାତ୍ର ପରେ ପରେ ରାଜ୍ୟସ୍ତରୀୟ ବିଜେଡି ନେତାମାନେ ଘନଘନ ଝାରସୁଗୁଡା ଗସ୍ତକରି ସମସ୍ତଙ୍କୁ ବୁଝାସୁଝା କରିଥିଲେ। ଏହାପରେ ଯାଇ ନବ ଦାସ ଏବେ ବିଜେଡି ନେତା ଓ କର୍ମୀ ମହଲରେ ଏକ ପ୍ରକାରର ଗ୍ରହଣୀୟ ହୋଇଥିଲେ ।
ଏବେ ସମସ୍ତ ଅସନ୍ତୁଷ୍ଟ ବିଜେଡି କର୍ମୀ ଓ ନେତା ନବ କ୍ୟାମ୍ପରେ ଅଛନ୍ତି। ୨୦୧୪ରେ କଂଗ୍ରେସ ଟିକଟରୁ ଲଢି ନବ ୭୪୪୯୯ (୪୫.୫ପ୍ରତିଶତ) ଭୋଟ ପାଇଥିଲେ। ବିଜେଡିରୁ କିଶୋର ମହାନ୍ତି ୬୨୯୩୬ (୩୮.୪ ପ୍ରତିଶତ) ଭୋଟ ପାଇ ଥିଲେ। ନବ ନିଜ ଭୋଟ ସହ ବିଜେଡିର ଏହି ଭୋଟ ବ୍ୟାଙ୍କକୁ ହାତେଇବା ପାଇଁ ପ୍ରଚାର ମଧ୍ୟ ଜୋରଦାର ଭାବରେ ଆରମ୍ଭ କରିଛନ୍ତି। କିନ୍ତୁ ଚପିଯାଇଥିବା ଅସନ୍ତୋଷ ଯଦି ଶେଷବେଳକୁ ଫୁଟି ବାହାରି ଆସେ ତେବେ ଅନୁପଙ୍କ ପରି ଅବସ୍ଥା ହେବ ନାହିଁ ତ ନବଙ୍କର?

ଏହା ମଧ୍ୟ ଆଲୋଚନା ହେଉଛି। ଅନ୍ୟ ପକ୍ଷରେ କଂଗ୍ରେସ ପ୍ରାର୍ଥି ମହେନ୍ଦ୍ର ନାଏକ ରାଜନୀତିରେ ନୂଆ। ପୂର୍ତ୍ତ ବିଭାଗରେ ଅନୁସଚିବ ଥିଲେ। ସେ ସରକାରୀ ଚାକିରି ଛାଡି ରାଜନୀତିକୁ ଆସିଛନ୍ତି। ସେ କଂଗ୍ରେସର ୪୫.୫ ପ୍ରତିଶତ ଭୋଟକୁ ହାତେଇବା ପାଇଁ ଉଦ୍ୟମ କରୁଛନ୍ତି। ରାଜନୀତିରେ ନୂଆ ହୋଇଥିଲେ ମଧ୍ୟ ମହେନ୍ଦ୍ର ଗୋଣ୍ଡୱାନା ତଥା ଆଦିବାସୀ ସମାଜର ଭୋଟ ଉପରେ ଭରସା କରିଛନ୍ତି।

ଏକଦା କଂଗ୍ରେସର ଗଡ କୁହାଯାଉଥିବା ଏହି ବିଧାନସଭା ଆସନ ପରେ ଅଣକଂଗ୍ରେସ ଦଖଲକୁ ଯାଇଥିଲା। ପରେ ପୁଣି କଂଗ୍ରେସ ଦଖଲକୁ ଆସିଥିଲା। ସୂଚନା ଅନୁସାରେ, ଏହି ଆସନ ୧୯୭୪ରୁ ୧୯୮୫ ଯାଏ କଂଗ୍ରେସ ଦଖଲରେ ଥିଲା। ପରେ ୧୯୯୦ରେ ଜନତା ଦଳ ତରଫରୁ କିଶୋର ମହାନ୍ତି ବିଜୟୀ ହୋଇଥିଲେ। ୧୯୯୫ରେ ପୁଣି କଂଗ୍ରେସର ବିରେନ୍ଦ୍ର ପାଣ୍ଡେ କିଶୋର ମହାନ୍ତିଙ୍କୁ ପରାସ୍ତ କରିଥିଲେ। ବିଜେଡି ଗଠନ ହେବା ପରେ ୨୦୦୦ ମସିହା ନିବାର୍ଚନରେ ବିଜେଡି ତରଫରୁ ପୁଣି କିଶୋର ମହାନ୍ତି ବିଜୟୀ ହୋଇଥିଲେ।
ମାତ୍ର ଏହାପରେ ଝାରସୁଗୁଡା କଂଗ୍ରେସରେ ନବ ଦାସଙ୍କ ଅଭ୍ୟୁଦୟ ହୋଇଥିଲା। ୧୯୮୦ ମସିହାରୁ ଛାତ୍ର ରାଜନୀତିରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ନବ ଜାନକୀବଲଭ ପଟ୍ଟନାୟକଙ୍କ ପାଖ ଲୋକ ଥିଲେ। ଏଣୁ ସେହି ସମୟର ସମସ୍ତ ଆଇଏଏସ ଓ ଆଇପିଏସଙ୍କ ବଦଳି କରିବା ତାଙ୍କର ବାଁ ହାତର କାମଥିଲା। ଏପରି ପ୍ରଭାବ କାରଣରୁ ହିଁ ସେ ରାଜନିତିରେ ଏକ ଚର୍ଚ୍ଚିତ ତଥା ପ୍ରଭାବଶାଳି ବାକ୍ତିତ୍ୱ ଭାବରେ ଉଭା ହୋଇଥିଲେ।
ସେ ସମ୍ୱଲପୁରରୁ ଆସି ଝାରସୁଗୁଡା କଂଗେସ ମଙ୍ଗ ସମ୍ଭାଳିଥିଲେ। ୨୦୦୪ରେ ସେ କଂଗ୍ରେସ ଟିକଟ ହାସଲ କରି ନିବାର୍ଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିଲେ। କିଶୋର ମହାନ୍ତି ବିପକ୍ଷରେ ଲଢି ପରାସ୍ତ ହୋଇଥିଲେ। ପୁଣି ଏହି ଆସନ ଅଣ କଂଗ୍ରେସ ତଥା ବିଜେଡି ହାତକୁ ଯାଇଥିଲା। ଏହାପରେ ୨୦୦୯ ଓ ୨୦୧୪ରେ ନବ କିଶୋରଙ୍କୁ କ୍ରମାଗତ ଭାବରେ ପରାସ୍ତ କରିଥିଲେ। ଝାରସୁଗୁଡା ଆସନ ପୁଣି କଂଗ୍ରେସ ଦଖଲ କରିଥିଲା।
ମାତ୍ର ଏତିକି ବେଳକୁ ନବ କଂଗ୍ରେସ ଅପେକ୍ଷା ନିଜର ବ୍ୟକ୍ତିଗତ ପରିଚୟ ସୃଷ୍ଟି କରି ସାରିଥିଲେ। ଏହାର ସୁଯୋଗ ହିଁ ସମଗ୍ର ରାଜ୍ୟରେ ନବୀନ ହାୱା ବହୁଥିବା ବେଳେ ଝାରସୁଗୁଡା ଆସନରେ ନବ ବିଜୟୀ ହୋଇଥିଲେ। ପରେ ପିସିସି କାର୍ଯକାରୀ ସଭାପତି ରହିଥିଲେ।

ଅନ୍ୟ ପକ୍ଷରେ ଝାରସୁଗୁଡା ଆସନରେ ବିଜେପିର ସ୍ଥିତି ମଧ୍ୟ ଧିରେ ଧିରେ ମଜଭୂତ ହେବାରେ ଲାଗିଛି। ଚଳିତ ଥର ବିଜେପିର ଜଣାଶୁଣା ବରିଷ୍ଠ ଆଇନଜୀବୀ ଦୀନେଶ ଜୈନ ପ୍ରାର୍ଥୀ ହୋଇଛନ୍ତି। ୨୦୧୩ରେ ଦୀନେଶ ଜୈନ ବାର ସଭାପତି ଥିଲେ। ଜଣେ ଉଚ୍ଚ ଶିକ୍ଷିତ। ଏମକମ, ଏଲଏଲବି ସହ ଆଇନ ବୃତ୍ତିରେ ବେଶ ପାରଙ୍ଗମ। ସେ ରାଜ୍ୟ ବିଜେପିର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ରହିଛନ୍ତି। ଗତ ୨୦୦୯ ନିବାର୍ନରେ ୧୫୦୯୫ (୧୧.୮ ପ୍ରତିଶତ) ଭୋଟ ହୋତେଇ ଥିଲେ। ୨୦୧୪ରେ ବିଜେପିର ଭୋଟ ପ୍ରତିଶତ ବଢି ୨୧୦୪୭ (୧୨ପ୍ରତିଶତ) ହୋଇଥିଲା। ଗତ ୨୦୧୭ରେ ପଞ୍ଚାୟତ ନିବାର୍ଚନରେ ବିଜେପି ଭୋଟ ପ୍ରତିଶତ ମଧ୍ୟ ବଢିଥିଲା ଯାହାକି ବିଜେପି ପାଇଁ ଉତ୍ସାହ ଜନକ ହୋଇଛି।