#କୋଭିଡ୍-୧୯: ସ୍ଥଗିତ ରହିଲା ‘ଜେଇଇ ମେନ୍’
ଭୁବନେଶ୍ୱର (ଓଟି): ମହାମରୀ କରୋନା ପାଇଁ ଜେଇଇ ମେନ୍ ସ୍ଥଗିତ ରହିଛି। ସୁରକ୍ଷା ଓ ସତର୍କ ଦୃଷ୍ଟିରୁ ଏହାକୁ ପ୍ରାୟ ଦେଢ଼ମାସରୁ ଅଧିକ ଘୁଞ୍ଚାଇ ଦିଆଯାଇଛି। କିନ୍ତୁ ସ୍ଥିତି ଅନୁସାରେ ଏଥିରେ ପରିବର୍ତ୍ତନ କରାଯାଇପାରେ ବୋଲି କୁହାଯାଇଛି। ସମ୍ପ୍ରତି ସମଗ୍ର ଦେଶ ଲକ୍ଡାଉନ୍ରେ ରହିଛି। ଫଳରେ ପୂର୍ବରୁ ମଧ୍ୟ ଅନେକ ପରୀକ୍ଷାକୁ ସରକାର ସ୍ଥଗିତ ରଖିଥିଲେ। ଏହିକ୍ରମରେ ଜେଇଇ ମେନ୍ ଆସନ୍ତା ୫, ୭, ୯ ଓ ୧୧ ତାରିଖରେ ହେବାକୁ ଥିବାବଳେ ସମସ୍ତ ପରୀକ୍ଷାକୁ ବାତିଲ କରିଛି ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି।
ସୂଚନା ଅନୁସାରେ ମେ’ ଶେଷ ସପ୍ତାହରେ ଜେଇଇ ମେନ୍ ପରୀକ୍ଷା କରାଯିବା ନିମନ୍ତେ ପ୍ରସ୍ତାବ ରହିଛି। ତେବେ ପରିସ୍ଥିତି ଦେଖି ଆଗାମୀ କିଛି ସପ୍ତାହ ମଧ୍ୟରେ ପରୀକ୍ଷାର ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି ଜେଇଇ ମେନ୍ ପାଇଁ ଆଡମିଟ କାର୍ଡ ଏପ୍ରିଲ ୧୫ ପରେ ମିଳିବ ବୋଲି ଜଣାପଡ଼ିଛି।