କେରଳରେ ମହିଳା ଶ୍ରମିକ ନିର୍ଯାତିତ, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ବୈଜୟନ୍ତ

କେନ୍ଦ୍ରାପଡା, (ଓଡ଼ିଶା ଟାଇମ୍‌): କରେଳର ଏଣ୍ଣାକୁଲମ ଜିଲ୍ଲାରେ ଥିବା ଏକ କପଡ଼ା ଫ୍ୟାକ୍ଟ୍ରୀରେ ନିର୍ଯାତନା ଭୋଗୁଛନ୍ତି ଓଡ଼ିଆ ମହିଳା। ଏ ସମସ୍ତେ କେନ୍ଦ୍ରାପଡ଼ା ଜିଲ୍ଲାର। ସେମାନଙ୍କୁ ପାରିଶ୍ରମିକ କି ଖାଦ୍ୟ ପେୟ ମିଳୁ ନାହିଁ ବୋଲି ଘର ଲୋକଙ୍କଠାରୁ ଖବର ପାଇବା ପରେ ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ସେଠାକାର ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।

ଗଣମାଧ୍ୟମର ପ୍ରକାଶିତ ଏକ ଖବରକୁ  ଆଧାର କରି  ଶ୍ରୀ ପଣ୍ଡା ସେଠାରେ ନିର୍ଯାତନା ପାଉଥିବା ଏହି ଓଡିଆ ମହିଳା ଶ୍ରମିକଙ୍କୁ ଉଦ୍ଧାର ପାଇଁ କେରଳ ମୁଖ୍ୟମନ୍ତ୍ରୀ ପିନାରୀ ବିଜୟନଙ୍କୁ ଏକ ପତ୍ରରେ ଲେଖିଛନ୍ତି, କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକର କଣ୍ଡିରା, କୁରୁଣ୍ଟି, ସାତଭାୟା ପଞ୍ଚାୟତ ଓ ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନ ପଞ୍ଚାୟତର ଶହ ଶହ ମହିଳା ଓ ଯୁବତୀ କେରଳର ଏର୍ନ୍ନାକୁଲମ୍‌ ଜିଲ୍ଲାର ଏକ ଘରୋଇ କପଡା କମ୍ପାନୀ କିଟେକ୍ସ ଗାର୍ମେଣ୍ଟରେ ଟେଲରିଂ କାର୍ଯ୍ୟ କରନ୍ତି। କରୋନା କଟକଣା ଲାଗୁ ପରେ କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ ଖାଦ୍ୟପେୟ ନଦେଇ ମାଗଣା କାମ କରାଇବା ସହ ଧମକ ଦେଉଥିବା କିଛି ଯୁବତୀ ଲୁଚି ଛପି ଫୋନ ଯୋଗେ କାନ୍ଦି କାନ୍ଦି ଘର ଲୋକଙ୍କୁ ଜଣାଇଥିଲେ ଏବଂ ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ଗୁହାରି କରିଛନ୍ତି। ସେମାନଙ୍କୁ ଠିକ୍‌ ଭାବେ ଖାଇବାକୁ ଦିଆଯାଉନି କି ପାରିଶ୍ରମିକ ବି ମିଳୁନି। ମହିଲା ଶ୍ରମିକ ମାନଙ୍କୁ ଟେଲରିଂ ସହ ଘର କାମରେ ନିୟୋଜିତ କରାଯାଉଛି ଏବଂ ବାହାରକୁ ଯିବାକୁ ଅନୁମତି ଦିଆନଯାଇ ନାନା ପ୍ରକାର ଧମକ ଚମକ ଦିଆଯିବା ସହ ପୋଲିସ ଲଗାଇ ଚାପ ପକାଯାଉଥିବା କିଛି ଯୁବତୀ ଅଭିଯୋଗ କରିଛନ୍ତି।

ଏହି ମହିଳା ଶ୍ରମିକ ମାନଙ୍କୁ ଉଦ୍ଧାର କରି ସେମାନଙ୍କ ରହିବା ଓ ଖାଇବା ବ୍ୟବସ୍ଥା କରିବା ସହ ସେମାନଙ୍କ ଓଡିଶା ଫେରିବା ପାଇଁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇଦେବାକୁ ସେ ବିଜୟନ୍‌ଙ୍କୁ  ଅନୁରୋଧ କରିଛନ୍ତି। ଶ୍ରୀ ପଣ୍ଡା ଗତ ମାସ ୨୫ ତାରିଖରେ, ଫେରିବାକୁ ଥିବା ପ୍ରବାସୀ ଓଡିଆଙ୍କ ପାଇଁ କେନ୍ଦ୍ରାପଡାରେ ନିଜ ସାଂସଦ ପାଣ୍ଠି ନିର୍ମିତ ପ୍ରକଳ୍ପଗୁଡିକୁ ସଙ୍ଗରୋଧ କେନ୍ଦ୍ର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ।

Leave a Reply

Your email address will not be published. Required fields are marked *