କେନ୍ଦ୍ରାପଡ଼ାରେ ଜୟ-ବିଜୟ: ଅନୁଭବଙ୍କୁ ଟକ୍କର ଦେବାକୁ ବାବୁସାନଙ୍କୁ ସାହାରା କଲା ବିଜେପି
କେନ୍ଦ୍ରାପଡ଼ା, (ପ୍ରଦୀପ କୁମାର ଜେନା):କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ଓ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଛତା ହାଟପଡ଼ିଆରେ ଜୟ-ବିଜୟ ବିଦ୍ଧିବଦ୍ଧ ଭାବେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ଏଥିରେ ନେତାଙ୍କ ସହ ଅଭିନେତା ପ୍ରଚାରର ମୁଖ୍ୟ ଅସ୍ତ୍ର ପାଲଟିଛନ୍ତି । ଫିଲ୍ମ ଅଭିନେତା ତଥା ବିଜେପି ନେତ୍ରୀ ଅପରାଜିତାଙ୍କ ପୁଅ ବାବୁ ସାନ୍ ବୈଜୟନ୍ତଙ୍କ ଲାଗି ପ୍ରଚାର କରିଛନ୍ତି ।
ଦୈତାରୀ-ପାରାଦୀପ ଜାତୀୟ ରାଜପଥ କଡ଼ରେ ଛତା ହାଟପଡ଼ିଆରେ ବିଜେପି ପକ୍ଷରୁ ଏକ ବିଶାଳ ଜନସଭାର ଆୟାଜନ କରାଯିବା ସହ ମିଶ୍ରଣ ପର୍ବର ଆୟାଜନ କରାଯାଇଥିଲା । ଏହି ସଭାରେ ବିଜେପିର କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ପାଟକୁରା ବିଧାନସଭା କ୍ଷେତ୍ର ପାଇଁ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ସହ ସିନେ ତାରକା ବାବୁସାନ ଯୋଗ ଦେଇ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପକ୍ଷରୁ ବିଦ୍ଧିବଦ୍ଧ ଭାବେ ନିର୍ବାଚନ ପ୍ରଚାର ଆରମ୍ଭ କରି ବିଜେପିକୁ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି । ବିଜେଡିର କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ଅନୁଭବ ପଟ୍ଟନାୟକଙ୍କ ସିନେ ଲୋକପ୍ରିୟତାକୁ ଟକ୍କର ଦେବାକୁ ବିଜେପି ରାଷ୍ଟ୍ରିୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବାବୁସାନଙ୍କ ସାହରା ନେଇଥିବା କୁହାଯାଉଛି ।
ତେବେ କେନ୍ଦ୍ରପଡ଼ାରେ ଏହି ନିର୍ବାଚନ ପ୍ରଚାରରେ ଲୋକଙ୍କୁ ଆକର୍ଷିତ କରିବାକୁ ବୈଜୟନ୍ତ ଓ ବାବୁସାନଙ୍କ ମଧ୍ୟରେ ଯେତିକି ଲଢେଇ ନହେବା ବାବୁସାନ ଓ ଅନୁଭବଙ୍କ ମଧ୍ୟରେ ସେତିକି ଲଢେଇ ହେବ ଏବଂ ବୈଜୟନ୍ତଙ୍କୁ ମୁକାବିଲା କରିବାକୁ ବିଜେଡି ଅନୁଭବଙ୍କୁ ପ୍ରାର୍ଥୀ କରିଥିବା ବେଳେ ଅନୁଭବଙ୍କୁ ମୁକାବିଲା କରିବାକୁ ବୈଜୟନ୍ତ ବାବୁସାନଙ୍କୁ ଧରିଥିବା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି ।
ଓଡ଼ିଶାରେ ଆଗାମୀ ନିର୍ବାଚନ ଏକ ଅସାଧାରଣ ନିର୍ବାଚନ ହେବ ବୋଲି ଏହିି ସଭାରେ ବିଜୟ କହିବା ସହିତ ଯୁବକମାନେ ସାହସର ସହିତ ଆଗକୁ ବାହାରି ନିର୍ବାଚନ ପ୍ରଚାର କରିବାକୁ ଯୁବକମାନଙ୍କୁ ଆହ୍ୱାନ ଦେଇଛନ୍ତି । ଏଥିସହ ବଂଚିଥିବା ପର୍ଯ୍ୟନ୍ତ ସେ ଲୋକଙ୍କ ସହ ରହିବେ ବୋଲି ଏହି ଜନସଭାରେ ବିଜୟ କହି ଆଗାମୀ ନିର୍ବାଚନରେ ବିଜେପିକୁ ଭୋଟ ଦେବାକୁ ଉପସ୍ଥିତ ଲୋକଙ୍କୁ କହିଛନ୍ତି । ସେହିପରି ଏହି ଜନସଭାରେ ବୈଜୟନ୍ତ ରାଜ୍ୟସରକାରଙ୍କୁ କଟୁ ସମାଲୋଚନା କରିଛନ୍ତି ।
ନବୀନଙ୍କ ଶାସନ ସମୟରେ ରାଜ୍ୟରେ ଗୁଣ୍ଡାରାଜ ବୃଦ୍ଧି ପାଇଥିବା, ସାଧାରଣ ଲୋକେ ରାଜରାସ୍ତାରେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜର ଶୀକାର ହେଉଥିବା, ରାଜ୍ୟରେ ସର୍ବାଧିକ ନାରୀ ନିର୍ଯ୍ୟାତନ ହେଉଥିବା, ଯୁବକମାନେ ରାଜ୍ୟରେ କର୍ମନିଯୁକ୍ତି ନପାଇ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା, ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ଅବନତି ଘଟିଥିବା ଓ ଗର୍ଭବତୀମାନେ ଖଟିଆରେ ବୁହା ହୋଇ ଡାକ୍ତରଖାନା ଯାଉଥିବା ଆଦି କହି ରାଜ୍ୟ ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଥିବା ଶ୍ରୀ ପଣ୍ଡା ଏହି ସଭାରେ କହିଛନ୍ତି ।
ସେହିପରି ସ୍ୱାସ୍ଥ୍ୟ ସେବାରେ ଉନ୍ନତି ପାଇଁ କେନ୍ଦ୍ର ସରକାର ପିଏମ କିସାନ ଯୋଜନା ପ୍ରଣୟନ କରିଥିଲେ ବି ରାଜ୍ୟ ସରକାର ଏହି ଯୋଜନାକୁ ଲାଗୁ ନକରି ଲୋକଙ୍କର କ୍ଷତି କରୁଛନ୍ତି ବୋଲି ଶ୍ରୀ ପଣ୍ଡା କହି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ରାଜ୍ୟର ବିକାଶ ପାଇଁ କେନ୍ଦ୍ରସରକାର ରାଜ୍ୟକୁ ହଜାର ହଜାର କୋଟି ଟଙ୍କା ଅନୁଦାନ ଦେଉଥିଲେ ବି ରାଜ୍ୟ ସରକାର ଖର୍ଚ୍ଚ କରିପାରୁ ନଥିବାରୁ ତାହା ପଡ଼ି ରହୁଛି ବୋଲି ମଧ୍ୟ ଏହି ସଭାରେ ବୈଜୟନ୍ତ ଅଭିଯୋଗ କରି ନବୀନ ସରକାରଙ୍କୁ ରାଜ୍ୟରୁ ହଟାଇବାକୁ ଏହି ସଭାରେ ଆହ୍ୱାନ ଦେଇଛନ୍ତି ।
ଏଥିସହ ବୈଜୟନ୍ତ ଓ ବିଜୟଙ୍କ ସହ ଏହି ସଭାରେ ଉପସ୍ଥିତ ବାବୁସାନ ବୈଜୟନ୍ତଙ୍କ ସପକ୍ଷରେ କହିବାକୁ ଯାଇ କହିଥିଲେ ଯେ ଗତ ୧୦ ବର୍ଷ ଧରି ବୈଜୟୟନ୍ତ ପଣ୍ଡା କେନ୍ଦ୍ରାପଡ଼ାର ଉନ୍ନତି ପାଇଁ କାମ କରିଆସୁଛନ୍ତି ଏବଂ କେନ୍ଦ୍ରରେ ମୋଦୀ ସରକାର ଓ ରାଜ୍ୟରେ ବିଜେପି ସରକାର ଆସିଲେ ଉଭୟ ଦେଶ ତଥା ରାଜ୍ୟର ବିକାଶ ହୋଇପାରିବ । ତେବେ ବିଜେଡି ପ୍ରାର୍ଥୀ ଅନୁଭବ ପଟ୍ଟନାୟକଙ୍କୁ ଟକ୍କର ଦେବା ପାଇଁ ବିଜେପି ପକ୍ଷରୁ ବାବୁସାନଙ୍କୁ ବାରମ୍ବାର କେନ୍ଦ୍ରପଡ଼ା ଅଣାଯାଇ ଭୋଟ ପ୍ରଚାର କରାଯିବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।