‘କରୋନା’ ପାଇଁ ବିଳମ୍ବ ହେବ ଟୋକିଓ ଅଲିମ୍ପିକ୍ସ!
ନୂଆଦିଲ୍ଲୀ (ଓଟି): ସ୍ଥିର ହୋଇଥିଲା ଜୁଲାଇ ୨୪ରେ ଆରମ୍ଭ ହେବ ଟୋକିଓ ଅଲିମ୍ପିକ୍ସ। ତେବେ କରୋନା ଆତଙ୍କ କାରଣରୁ ବର୍ଷ ଶେଷ ପର୍ଯ୍ୟାୟକୁ ବିଶ୍ଵର ଏହି ଶ୍ରେଷ୍ଠ କ୍ରୀଡ଼ା ମହାକୁମ୍ଭକୁ ଘୁଞ୍ଚାଇ ଦିଆଯାଇପାରେ। ଜାପାନର ଅଲିମ୍ପିକ୍ସ କ୍ରୀଡ଼ା ଦାୟିତ୍ୱରେ ଥିବା ମନ୍ତ୍ରୀ ଏଭଳି ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, କରୋନା ସମ୍ପ୍ରତି ମହାମାରୀ-ମହାଆତଙ୍କ ଭାବେ ବିଶ୍ୱରେ ବ୍ୟାପି ଯାଇଥିବା କାରଣରୁ ଏବଂ ସୁରକ୍ଷା ଦୃଷ୍ଟିରୁ ଆନ୍ତର୍ଜାତିକ ଅଲିମ୍ପିକ୍ସ କମିଟି ଆୟୋଜନକୁ ବିଳମ୍ବ କରିବାକୁ ଅନୁମତି ଦେଇଛି। ଅଲିମ୍ପିକ୍ସ ମନ୍ତ୍ରୀ ସିକୋ ହାସିମୋଟୋ ଜାପାନ ସଂସଦରେ ଜଣେ ସଦସ୍ୟଙ୍କ ପ୍ରଶ୍ନର ଉତ୍ତରରେ ଉପରୋକ୍ତ ତଥ୍ୟ ଦେଇଛନ୍ତି। ଇଣ୍ଟରନାସ୍ନାଲ ଅଲିମ୍ପିକ୍ କମିଟି(ଆଓସି) ସହିତ ଜାପାନ ସରକାରଙ୍କ ନୂଆ ଚୁକ୍ତିପତ୍ର ଅନୁସାରେ, ୨୦୨୦ ଭିତରେ ଏହି କ୍ରୀଡ଼ା ମହାକୁମ୍ଭ ସମ୍ପନ୍ନ ହେବ। ତେବେ କାର୍ଯ୍ୟକ୍ରମକୁ ଶେଷ ପର୍ଯ୍ୟନ୍ତ ଘୁଞ୍ଚାଇଦେବା ଲାଗି ସୂଯୋଗ ସୃଷ୍ଟିହୋଇଛି।
ଅନ୍ୟପକ୍ଷରେ ଆଓସିର ସଭାପତି ଥୋମାସ ବାକ୍ ବୟାନ ଦେଇଛନ୍ତି ଯେ, କରୋନା ଭୟ ସତ୍ତ୍ୱେ ନିର୍ଦ୍ଧାରିତ ସୂଚୀ ଆଧାରରେ ଅଲିମ୍ପିକ୍ସ ଆୟୋଜନ କରିବାକୁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ଜାପାନ ସରକାର ଓ ଟୋକିଓ ମହାନଗର ପ୍ରଶାସନ ମଧ୍ୟ ପୂର୍ବ ଯୋଜନା ପ୍ରକାରେ ଅଲିମ୍ପିକ୍ସ କ୍ରୀଡ଼ା ସଙ୍ଗଠିତ କରିବା ପାଇଁ ପ୍ରଚେଷ୍ଟା ଚଳାଇଥିବା ସେ ପ୍ରକାଶ କରିଛନ୍ତି। କାରଣ କ୍ରୀଡ଼ା ଅସ୍ଥାୟୀ ଭାବେ ବନ୍ଦହେଲେ ମଧ୍ୟ ବ୍ୟୟ ବଢ଼ିଯିବା ଆଶଙ୍କା କରାଯାଉଛି। ସମ୍ପ୍ରତି ଅଲିମ୍ପିକ୍ସ ପାଇଁ ବଜେଟ୍ ୧.୩୫ ଟ୍ରିଲିୟନ ୟେନ୍ ବା ୧୨.୫୧ ବିଲିଅନ ଡଲାର ରହିଛି। ଆୟୋଜକ ରାଷ୍ଟ୍ର ଭାବେ ଜାପାନ ଷ୍ଟାଡିୟମ୍ ନିର୍ମାଣ ପାଇଁ ୧୨୦ ବିଲିଅନ ୟେନ୍ ଦେଉଥିଲାବେଳେ ୨୦୨୦ ପାରାଅଲିମ୍ପିକ୍ସ ପାଇଁ ୩୦ ବିଲିଅନ ୟେନ୍ ଯୋଗାଇଦେବ ବୋଲି ସୂଚନା ମିଳିଛି।
ତେବେ କରୋନା ପାଇଁ କ୍ରୀଡ଼ା ମହାକୁମ୍ଭର ଭବିଷ୍ୟତ ରୂପରେଖ କଣ ହେବ ସେନେଇ ବିଶ୍ଵସ୍ତରରେ ଉତ୍କଣ୍ଠା ବଢ଼ିଯାଇଛି।