ସୁପର୍ ମଡେଲ୍ଙ୍କୁ ‘କରୋନା’
ନୂଆଦିଲ୍ଲୀ (ଓଟି): ବିଶ୍ଵର ଅନ୍ୟତମ ସୁପରମଡେଲ ତଥା ବଣ୍ଡ ଗାର୍ଲ ସୁନ୍ଦରୀ ଓଲଗା କୁରେଲେଙ୍କୋ ହୋଇଛନ୍ତି କରୋନା ଆକ୍ରାନ୍ତ। ସେ ତାଙ୍କ ସୋସିଆଲ ମିଡିଆ ସାଇଟ୍ରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଗତ ଏକ ସପ୍ତାହ ହେଲା ସେ ଅସୁସ୍ଥ ଥିବା ମଧ୍ୟ ଉଲ୍ଲେଖ କରିଛନ୍ତି। କରୋନା ପଜେଟିଭ ଜଣାପଡ଼ିବା ପରେ ନିଜକୁ ଘରେ ବନ୍ଦ କରି ରଖିଥିବା ଦର୍ଶାଇଛନ୍ତି।
ସୂଚନା ଅନୁସାରେ ୨୦୦୮ରେ ମୁକ୍ତିଲାଭ କରିଥିବା ଜେମସ୍ବଣ୍ଡ ସିରିଜିର ‘ଦି କ୍ୱାଣ୍ଟମ ଅଫ୍ ସୋଲେସ୍’ରେ ଓଲଗା ନାୟିକା ଭାବେ ଖୁବ୍ ନାଁ କମାଇଥିଲେ। ୟୁକ୍ରେନୀୟ ମଡେଲ ଓଲଗା ହଲିଉଡରେ ବେଶ ସଫଳ ହୋଇପାରିଛନ୍ତି। ତେବେ ତାଙ୍କୁ କିଭଳି କରୋନା ଆକ୍ରାନ୍ତ ହେଲା ସେ ସମ୍ପର୍କରେ ସେ କିଛି ଜଣାଇନାହାନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ହଲିଉଡ୍ ଅଭିନେତା ଟମ୍ ହେଙ୍କସ୍ ଓ ତାଙ୍କ ପତ୍ନୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିଲେ। ଅଷ୍ଟ୍ରେଲିଆରେ ସୁଟିଂ ବେଳେ ତାଙ୍କ ପତ୍ନୀ ରିଟା ୱିଲସନ୍ ଅସୁସ୍ଥ ହୋଇଥିଲେ। ଦୁହେଁ ଏପର୍ଯ୍ୟନ୍ତ ସୁସ୍ଥ ହୋଇନଥିବା ଜଣାପଡ଼ିଛି।