କରୋନା ଭୟ: କେନ୍ଦ୍ରାପଡ଼ାରେ ଯାଜପୁର ସୀମା ସିଲ
କେନ୍ଦ୍ରାପଡ଼ା,(ଓଡ଼ିଶା ଟାଇମ୍): ପଡ଼ୋଶୀ ରାଜ୍ୟ ଓ ଜିଲ୍ଲାରୁ ତାଙ୍କ ଜିଲ୍ଲାକୁ କାଳେ କରୋନା ମାଡ଼ି ଆସିବ ସେ ଆତଙ୍କ ଏବେ ବିଭିନ୍ନ ଜିଲ୍ଲାରେ ଘାରିଛି। ମୁଖ୍ୟମନ୍ତ୍ରୀ ବିଭିନ୍ନ ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବା ଲାଗି ଆହ୍ବାନ ଦେଇଥିବା ବେଳେ ଏବେ କେନ୍ଦ୍ରାପଡ଼ା ଜିଲ୍ଲାବାସୀ ଅନ୍ୟ ଜିଲ୍ଲାର ସୀମାକୁ ବନ୍ଦ କରିବା ଲାଗି ଆଗଭର ହୋଇଛନ୍ତି। ଏହିକ୍ରମରେ ଯାଜପୁର ଜିଲ୍ଲାର ସୀମାକୁ ବନ୍ଦ କରିଦିଆଯାଇଛି। ନିକଟରେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବାରୁ କେନ୍ଦ୍ରାପଡ଼ାକୁ କାଳେ ତାଙ୍କ ସମ୍ପର୍କୀୟ ଆସି ସଂକ୍ରମଣ କରାଇବେ ସେହି ଭୟ ଲୋକଙ୍କ ମନରେ ସୃଷ୍ଟି ହୋଇଛି।
ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରୁ କରୋନା ସଂକ୍ରମୀତ ଠାବ ହେବା ପରେ କେନ୍ଦ୍ରାପଡ଼ା ଜିଲ୍ଲାର ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ଯାଜପୁର ଜିଲ୍ଲାରୂ ସୀମାକୁ ଡେରାବିଶ, କେନ୍ଦ୍ରାପଡ଼ା, ପଟ୍ଟାମମୁଣ୍ଡାଇ, ଆଳି, ରାଜକନିକା ବ୍ଲକର ସୀମା ଲାଗି ଥିବାରୁ ଓ ଯାଜପୁର ଜିଲ୍ଲା ସହ ଏହି ସବୁ ଅଂଚଳର ଲୋକଙ୍କର ପାରିବାରିକ ତଥା ବ୍ୟବସାୟିକ ସମ୍ପର୍କ ନନିବିଡ଼ ଥିବାରୁ ଉଭୟ ଜିଲ୍ଲାକୁ ଉଭୟ ଜିଲ୍ଲାର ଲୋକଙ୍କର ପ୍ରତିଦିନ ଯାତାୟତ ହେବା ସହ ଉଭୟ ଜିଲ୍ଲାର ହାଟ ବଜାରକୁ ଉଭୟ ଜିଲ୍ଲାର ଲୋକେ ଯାତାୟତ କରନ୍ତି । କିନ୍ତୁ ଯାଜପୁର ଜିଲ୍ଲାର ବିଭିନ୍ନ ଅଂଚଚଳରୁ କରୋନା ସଂକ୍ରମିତ ଠାବ ହେବା ପରେ କେନ୍ଦ୍ରାପଡ଼ା ଜିଲ୍ଲାବାସୀ ଆତଙ୍କିତ ହୋଇପଡ଼ିଛନ୍ତି । ଯାଜପୁର ଜିଲ୍ଲାରୁ କାଳେ କୌଣସି ସଂକ୍ରମିତ ବ୍ୟକ୍ତି ନିଜ ଅଂଚଳକୁ ଚାଲିଆସି କରୋନା ଭୂତାଣୁ ବାଂଟି ଦେବ ସେହି ଭୟରେ ଏବେ କେନ୍ଦ୍ରାପଡ଼ା ଜିଲ୍ଲାର ଲୋକମାନେ ଯାଜପୁର ଜିଲ୍ଲାର ସୀମାକୁ ଲାଗିଥିବା ବିଭିନ୍ନ ରାସ୍ତାକୁ ବାଉଁସ ବାଡ଼, କଂଟା ଆଦି ଦ୍ୱାରା ସିଲ କରୁଥିବା ଦେଖାଯାଉଛି ।
କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାର ସୀମାରେ ପ୍ରବାହିତ ବ୍ରାହ୍ମଣୀ, ବିରୁପା ନଦୀ ଉପରେ ଥିବା ପୋଲ ଗୁଡ଼ିକ ଉପରେ ଲୋକମାନେ କଂଟା ଓ ବାଉଁସ ପକାଇ ଯାତାୟତ ବନ୍ଦ କରୁଛନ୍ତି । କିନ୍ତୁ କିଛି ଅମାନିଆ ଲୋକ ଡଙ୍ଗା ଦ୍ୱାରା ନଦୀ ପାର ହୋଇ ଯାତାୟତ କରୁଥିବା ଦେଖାଯାଉଛି । ସରପଂଚମାନଙ୍କୁ ମୁଖ୍ୟମନ୍ତ୍ରୀ ଜିଲ୍ଳାପାଳ କ୍ଷମତା ପ୍ରଦାନ କରିବପା ପରେ ସରପଂଚଙ୍କ ତତ୍ୱାବଧାନରେ ରାସ୍ତା ସିଲ ପ୍ରକ୍ରିୟା ଅଧିକ ତ୍ୱରାନ୍ୱିତ ହୋଇଛି ।