ନାମାଙ୍କନରୁ ସିଧା ଦାୟିତ୍ଵ: ଜେପି ନଡ୍ଡା ବିଜେପି ସଭାପତି

ନୂଆଦିଲ୍ଲୀ: ଓଡ଼ିଶା ଭଳି ଝଲକ ଦେଖିବାକୁ ମିଳିଛି ବିଜେପିର ରାଷ୍ଟ୍ରୀୟ ନିର୍ବାଚନୀ କ୍ଷେତ୍ରରେ। କିଛିଦିନ ତଳେ ରାଜ୍ୟ ବିଜେପି ସଭାପତି ପାଇଁ ନିର୍ବାଚନ ହେବାକୁ ଥିଲା। କିନ୍ତୁ ନାମାଙ୍କନପତ୍ର ଦାଖଲ କରିଥିଲେ କେବଳ ସମୀର ମହାନ୍ତି। ବାସ୍, ନିର୍ଦ୍ଵନ୍ଦ୍ଵରେ ଶ୍ରୀ ମହାନ୍ତି ସଭାପତି ଦାୟିତ୍ଵ ପାଇଥିଲେ। ଠିକ୍‌ ସେହିପରି ଆଜି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଛନ୍ତ ଜଗତ ପ୍ରକାଶ ନଡ୍ଡା। ଉକ୍ତ ପଦବୀ ପାଇଁ ଆଜି ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିଲା କିନ୍ତୁ ଶ୍ରୀ ନଡ୍ଡାଙ୍କ ବ୍ୟତୀତ କେହି ନାମାଙ୍କନପତ୍ର ଦାଖଲ କରିନଥିଲେ। ଶ୍ରୀ ନଡ୍ଡାଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ କରାଯିବା ପରେ ସେ ଅମିତ ଶାହଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ ଯେ ଗତବର୍ଷ ଜୁନ ମାସରେ ନଡ୍ଡାଙ୍କୁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିଲା। ଆଜି ନଡ୍ଡା ନାମାଙ୍କନ ଦାଖଲ କରିବା ପୂର୍ବରୁ ତାଙ୍କୁ ଶାହଙ୍କ ସମେତ ରାଜନାଥ ସିଂହ ଓ ନୀତୀନ ଗଡ଼କରୀଙ୍କ ସମର୍ଥନ ମିଳିଥିଲା। ତେବେ କେହି ବିରୋଧରେ ପ୍ରାର୍ଥୀ ହୋଇ ନଥିବାରୁ ନଡ୍ଡା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେଲେ ବୋଲି କେନ୍ଦ୍ରମନ୍ତ୍ରୀ ରାଧା ମୋହନ ସିଂହ  ଘୋଷଣା କରିଥିଲେ। ନଡ୍ଡା ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବାବେଳେ ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ରହିଥିଲେ। ଏଥିସହ ବହୁ ବରିଷ୍ଠ ନେତା ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।  

Leave a Reply

Your email address will not be published. Required fields are marked *