ଆଇଟିଆଇ ବନ୍ଦ ହେବ: ସ୍କୁଲରେ ହେବ ସ୍କିଲ ଟ୍ରେନିଂ

ଦେଶରେ ସ୍କିଲ ଟ୍ରେନିଂ ପାଇଁ ଦିଆଯାଉଥିବା ଆଇଟିଆଇ ଶିକ୍ଷାକୁ ବନ୍ଦ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଆଗାମୀ ଦିନରେ ଆଇଟିଆଇ ପରିବେର୍ତ୍ତ ସ୍କୁଲମାନଙ୍କରେ ଛାତ୍ରଛାତ୍ରମାନଙ୍କୁ ସ୍କିଲ ଟ୍ରେନିଂ ଦେବାକୁ କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତିକୁ କ୍ୟାବିନେଟ ମଞ୍ଜୁରୀ ମିଳିଲେ ଏହାକୁ ଲାଗୁ କରାଯିବ।

ଗତ ସପ୍ତାହରେ କୌଶଳ ବିକାଶ ମନ୍ତ୍ରାଳୟ, ମାନବ ସମ୍ୱଳ ବିକାଶ ମନ୍ତ୍ରାଳୟ, ଯୁବ ଓ କ୍ରୀଡ଼ା ମନ୍ତ୍ରାଳୟ, ସାମଜିକ ନ୍ୟାୟ ମନ୍ତ୍ରାଳୟର ସଚିବମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଆଇଟିଆଇ ଶିକ୍ଷାକୁ ବନ୍ଦ କରିବା ପାଇଁ ପ୍ରସ୍ତାବ ଆସିବା ପରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସ୍ଥିର ହୋଇଛି।

ଏହି ବୈଠକର ନିଷ୍ପତ୍ତି ଅନୁସାରେ ଆଇଟିଆଇ ଶିକ୍ଷା ଯୋଗୁଁ ୧୨ଶ ପରେ ଛାତ୍ରଛାତ୍ରୀମାନେ ପାଠପଢ଼ା ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଫଳରେ ସେମାନେ ଥିଓରୀ ପାଠରେ ପଛେଇ ଯାଉଛନ୍ତି। ଯଦି ସ୍କୁଲ ସ୍ତରରେ କୌଶଳ ବିକାଶ ଟ୍ରେନିଂ ଦିଆଯିବ ତେବେ ଛାତ୍ରଛାତ୍ରୀମାନେ ନିଜ ମନପସନ୍ଦ ବିଷୟରେ ନିପୁଣ ହୋଇପାରିବେ। ଏଡାଛଡ଼ା ଆଇଟିଆଇ ଶିକ୍ଷା ପୁରୁଣା ପଦ୍ଧତିରେ ଚାଲୁଛି। ଏବେ ଦେଶ ତଥା ପିଲାମାନଙ୍କର ବିକାଶ ପାଇଁ ଆଧୁନିକ ଶିକ୍ଷା ସଂସ୍ଥା ଆବଶ୍ୟକ।

ଏହି ନିଷ୍ପତ୍ତି ମୋଦି ସରକାର-୨ର ୧୦୦ଦିନର ଏଜେଣ୍ଡା ଅନୁସାରେ କରାଯାଇଛି। ଆଇଟିଆଇ ଶିକ୍ଷା ଗୁଣାତ୍ମକ ତଥା ବିଶ୍ୱାସନୀୟ ହେଉନଥିବାରୁ କୌଶଳ ବିକାଶ ମନ୍ତ୍ରାଳୟ ଯୁବକମାନଙ୍କର ସ୍କିଲ ବିକାଶ କରିବା ପାଇଁ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସ୍କିଲ୍ସ ସଂସ୍ଥା ଖୋଲିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଜନ ଅନୁସାରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସ୍କିଲ୍ସରେ ଯୁବକମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ଆଧୁନିକ ଶିକ୍ଷା ଦିଆଯିବ।

ଶ୍ରମ ସମ୍ପନ୍ଧୀୟ ସଂସଦର ସ୍ଥାୟୀ ସମିତି ୨୦୧୮ରେ ଆଇଟିଆଇ ଓ କୌଶଳ ମନ୍ତ୍ରାଳୟର ଯୋଜନା ଉପରେ ୩୩ତମ ରିପୋର୍ଟ ଦାଖଲ କରିସାରିଛି। ଏହି ରିପୋର୍ଟରେ କୁହାଯାଇଛି ଦେଶରେ ଅନେକ ସ୍ଥାନରେ ଗ୍ୟାରେଜ, ଛୋଟ ଦୋକାନ ଓ ଟିଣ ଛାତ ତଳେ ଆଇଟିଆଇ ଖୋଲାଯାଇ ପିଲାମାନଙ୍କୁ ଶିକ୍ଷାନାମରେ ଶୋଷଣ କରାଯାଉଛି। ଏଭଳି ଆଇଟିଆଇ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଥିଲେ ହେଁ ସରକାରୀ କଳ ଏହା ଉପରେ ଅଂକୁଶ ଲଗାଇବାରେ ବିଫଳ ହେଉଛନ୍ତି।

୧୯୫୦ ମସିହାରେ ଆଇଟିଆଇ ଶିକ୍ଷା ଆରମ୍ଭ କରାଯାଇଥିଲା। ସେବେଠାରୁ ଆଇଟିଆଇ ସଂଖ୍ୟା ବଢ଼ିବାରେ ଲାଗିଛି। ୨୦୦୭ରେ ସମଗ୍ର ଦେଶରେ ୧୮୯୬ଟି ସରକାରୀ ଆଇଟିଆଇ ଥିଲା। ୨୦୧୭ ସୁଦ୍ଧା ୯୦୦୦ରୁ ଅଧିକ ଘରୋଇ ଆଇଟିଆଇ ଖୋଲିଛି। ଏହାଛଡ଼ା ୬୦୦୦ରୁ ଅଧିକ ଘରୋଇ ଟ୍ରେନିଂ ସେଣ୍ଟର ଯେଉଁମାନେ କି କୌଶଳ ବିକାଶ ଯୋଜନାରେ ପ୍ରଶିକ୍ଷଣ ଦେଉଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ଓଡ଼ିଶାରେ ୯୬ଟି ପଞ୍ଜିକୃତ ଆଇଟିଆଇ ରହିଛି। ସେମାନଙ୍କ ମଧ୍ୟରୁ ୪୬ଟି ସରକାରୀ ଆଇଟିଆଇ ରହିଛି।

Leave a Reply

Your email address will not be published.