କୁଟା ଖିଅକୁ ଭରସା
ବୁଡ଼ିଯାଉଥିବା ଲୋକଟିଏ ପାଇଁ କୁଟା ଖିଅଟିଏ ବି ଭରସା ହୋଇପାରେ। ପିଢ଼ିପରେ ପିଢ଼ି ଆମକୁ ଏହିଭଳି ନିତିଶିକ୍ଷା ଦିଆଯାଇ ଆସୁଛି। ଏ ବିଷୟରେ ଅନେକ ଗପ ପଢ଼ାଯାଇଛି । ଖାଲି ଯଦୁମଣି ନୁହେଁ, ଆକବର- ବୀରବଲ କାହାଣୀ ମାଧ୍ୟମରେ ମଧ୍ୟ ଆମେ ଏହାକୁ ପଢ଼ିଛୁ ବା ଟିଭିରେ ଦେଖିଛୁ। ଅବଶ୍ୟ ଏ ସାରାଂଶକୁ କହିବା ପାଇଁ ଲେଖକ ଭିନ୍ନ ଭିନ୍ନ କାହାଣୀ ବଣ୍ଣନା କରିଛନ୍ତି!
ଏବେ ଆମେ ସେମିତି ଏକ ଗପ କହିପାରିବା କି ନୁହେଁ, ତାହା ଅଲଗା ବିଷୟ ହେଲେ ବିପଦ ଆସିଲେ ଏ ଶିକ୍ଷା ଆପେ ମନକୁ ଆସିଯାଏ। ସେତେବେଳେ ମନ ଭିତରେ ଥିବା ସବୁ ଆଶା, ଦିନେ ନଗଣ୍ୟ ଲାଗୁଥିବା ଜିନିଷଟିରେ କେନ୍ଦ୍ରୀଭୂତ ହୁଏ। ଆଜି ବି ସେମିତି ଏକ ପରିସ୍ଥିତି ଉପୁଜିଛି। ଆଉ ଆମେ ଦୀପ ଶିଖାଟିଏ ଉପରେ ନିର୍ଭର କରିବାକୁ ଏକାଠି ହେବାକୁ ଯାଉଛୁ, ତାହା ପୁଣି ପରସ୍ପରଠୁ ଦୂରରେ ରହି।
ଏହା ପଛରେ ଏକ ବଳିଷ୍ଠ କାରଣ ରହିଛି, ତାହା ହେଲା ଆମେ ବିଜ୍ଞାନ, ଟେକ୍ନୋଲୋଜି, କୂଟନୀତି ବା ଗୁଳି ଚଳାଇ କରୋନା ଭୁତାଣୁକୁ ପରାସ୍ତ କରିପାରିବୁ ନାହିଁ। ଆମେ କ’ଣ !ଦେଶର ବଡ଼ ବଡ଼ ଶକ୍ତି ଆମେରିକାଠୁ ଆରମ୍ଭ କରି ଜର୍ମାନୀ, ଇଂଲଣ୍ଡ, ଚୀନ, ଋଷ, ଫ୍ରାନ୍ସ, ଇଟାଲୀ, ସ୍ପେନ୍, ଜାପାନ ସମସ୍ତେ ଆଜି ଏହି ଭୁତାଣୁ ଆଗରେ ହାତ ଟେକି ଦେଇଛନ୍ତି। ଅଳ୍ପ କେଇ ଘଣ୍ଟା ବଞ୍ଚିପାରୁଥିବା ଏକ ଭୁତାଣୁକୁ ନେଇ ସେମାନେ ଆତଙ୍କିତ ହୋଇଛନ୍ତି। ଯେଉଁ ଦେଶମାନେ ସବୁଠାରୁ ଉନ୍ନତ ଓ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ପାଇଁ ଗର୍ବ କରୁଥିଲେ ଆଜି ସେଠାରେ ଶବ ସତ୍କାର କରିବାକୁ ବି କେହି ମିଳୁ ନାହାନ୍ତି!
ଏଠି କ’ଣ କରିବାକୁ ହେବ ତାହା କାହାକୁ ଜଣା ନାହିଁ। କ’ଣ ନକରିବାକୁ ହେବ ତାହା ବି ଅଜଣା। ଖାଲି ଯାହା ଆମକୁ ଆଉ କିଛିଦିନ ସଂଗ୍ରାମ ପାଇଁ ଅବସର ଦେବ ବୋଲି ଆମେ ଭାବୁଛୁ ତାହା ହେଲା ପରସ୍ପରଠୁ ଦୂରରେ ରହିବା। କିଛି ସତର୍କତା ନେବା। ଏହି ସମୟ ଭିତରେ ଯଦି ଭଗବାନ ( ପ୍ରକୃତି) ଆମକୁ କିଛି ବରଦାନ ଦିଅନ୍ତି, କାହା ମୁଣ୍ଡରେ ବୁଦ୍ଧି ଖୁନ୍ଦି ଭୁତାଣୁ ମାରିବାର ରାସ୍ତା ଦେଖାନ୍ତି ତେବେ ହୁଏତ ଆମେ ଆଉ କିଛି ଦିନ ବଞ୍ଚିଯିବା!
ଏ ଭୁତାଣୁ କେଉଁଠୁ ଆସିଲା ତାହା ସମସ୍ତଙ୍କୁ ଜଣା। ମିଡିଆଠୁ ସୋଶାଲ୍ ମିଡିଆଯାଏ ସମସ୍ତେ ଏନେଇ ଆଲୋଚନା କରୁଛନ୍ତି। କିନ୍ତୁ ଏଯାଏ ଯାହା ବୈଜ୍ଞାନିକ ତଥ୍ୟ ମିଳିଛି ସେଥିରୁ ପ୍ରମାଣିତ ଯେ ଏହି ଭୁତାଣୁ ମନୁଷ୍ୟକୃତ ନୁହେଁ। ଏହା କୌଣସି ଜୈବିକ ଅସ୍ତ୍ର ନୁହେଁ। କିନ୍ତୁ ଯଦି କିଛି ଲୋକ ଚାହିଁବେ ତେବେ ପ୍ରକୃତିର ଏହି ଅଭିଶାପକୁ ଜୈବିକ ଅସ୍ତ୍ର ଭାବେ ବ୍ୟବହାର କରିପାରିବେ। ଆପଣ ଯଦି ନିଜକୁ ମାନବ ବୋମା କରିବା ପାଇଁ କରୋନାକୁ ମାଧ୍ୟମ କରିବେ ତେବେ ଆମକୁ ବଞ୍ଚାଇବ କିଏ?
ପୁଣି ଆପଣ ତ କହିପାରିବେ ନାହିଁ ଯେ, ଆପଣଙ୍କ ପାଖରେ ସେମିତି ମାନବ ବୋମା ହେବା ପାଇଁ ଖଳ ଚରିତ୍ର ନାହାନ୍ତି? ଏଣୁ ସତର୍କ ରହିବା, ଅଲଗା ରହିବା, ଭଗବାନଙ୍କୁ ଆରାଧନା କରିବା ଏବଂ ପରିସ୍ଥିତିକୁ ଅପେକ୍ଷା କରିବା ହିଁ ଏବେ ଉଚିତ ହେବ।
ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ସକାଳ ୯ଟାରେ ଆମକୁ ସୈନିକଟିଏ ପରି ଦେଶର ଏହି ଲଢ଼େଇରେ ସାମିଲ୍ ହେବାକୁ ଅନୁରୋଧ କରିଛନ୍ତି। ଯେମିତି ଏ ଯୁଦ୍ଧ ବନ୍ଧୁକରେ ଲଢ଼ାଯାଉନି ସେମିତି ଆମକୁ ଶତ୍ରୁକୁ ସାମ୍ନା କରିବାକୁ କେହି କହୁ ନାହାନ୍ତି ମାତ୍ର ଆମକୁ ଏକ ସକାରାତ୍ମକ ଭାବନା ଜାଗ୍ରତ କରିବାକୁ ଏହି ଅନୁରୋଧ ଉଦ୍ଦିଷ୍ଟ। ଏଥିନେଇ ଆଜି ସନ୍ଧ୍ୟାବେଳେ ୯ ମିନିଟ୍ ସମୟ ମାଗିଛନ୍ତି, ତାହା ପୁଣି ଅନ୍ଧାରରେ। ବିଶ୍ଵାସ ରହିଛି ଅନ୍ଧାରରେ ଧ୍ୟାନ ନିବେଶ ହୁଏ। ପୁଣି ସେହି ଅନ୍ଧାରରେ ଯଦି ଗୋଟିଏ ଧୀମା ଆଲୁଅ ଜଳିବ ତେବେ ତାହା ଆମକୁ ଧ୍ୟାନ ନିବେଶ କରିବାରେ ଅଧିକ ସହାୟକ ହେବ।
କେବଳ ହିନ୍ଦୁ ଧର୍ମ ନୁହେଁ, ଖ୍ରୀଷ୍ଟ, ଜୋରାଷ୍ଟ୍ରିୟାନ, ଇସ୍ଲାମ୍ ସବୁ ଧର୍ମ ଧ୍ୟାନ ଦ୍ଵାରା ଆମ ଭିତରେ ଆସ୍ଥା ଓ ବିଶ୍ଵାସ ସୃଷ୍ଟି ଲାଗି ଅବସର ସୃଷ୍ଟି କରିଥାଏ, ଖାଲି ସମ୍ପ୍ରଦାୟ ଭିତ୍ତିରେ ମାଧ୍ୟମ ଯାହା ଭିନ୍ନ ଭିନ୍ନ ରହିଛି। ଏଣୁ ଏହାକୁ ଧର୍ମ, ଜାତିରେ ଯୋଡ଼ିବା କାହିଁକି? ପୁଣି ମୁଣ୍ଡିଆ ମାରି ବା ଛାତି ବାଡ଼େଇ ଯଦି ଆମେ ଭଗବାନଙ୍କ ପାଖରେ ଅର୍ଦଳି କରିପାରୁଛୁ ତେବେ ଏଣୁ ମୋବାଇଲ୍ର ଫ୍ଲାଶ୍ ଲାଇଟ୍ଟିଏ ଜଳାଇଦେଲେ ଅସୁବିଧା କୋଉଠି ରହିଛି?
ଭାରତର ଏହା ହିଁ ବଡ଼ପଣ ଯେ, ଏଠାରେ ଅନେକ ଜାତି, ଧର୍ମ, ପନ୍ଥ ତଥା ବିଶ୍ଵାସ ରହିଛି। ସେମାନେ ପରସ୍ପର ଭିତରେ ଲଢ଼ନ୍ତି, ଅବିଶ୍ଵାସ ବି କରନ୍ତି କିନ୍ତୁ ଦେଶ ଯେତେବେଳେ ଡାକେ ସେତେବେଳେ ସମସ୍ତେ ସବୁକିଛି ଛାଡ଼ି ଏକାଠି ହେବାର ନଜୀର ବି ରହିଛି। ଅନ୍ୟ କୌଣସି ଦେଶରେ ଏହା ପ୍ରହସନ ହୋଇପାରେ କିନ୍ତୁ ଆମ ଦେଶରେ ଏହା ସଂସ୍କୃତି, ପରମ୍ପରା, ଇତିହାସ ଓ ଆମ ଗୌରବ। ଆମେ ଏମିତି ଅନେକଥର ଛୋଟ ଛୋଟ ଘଟଣା ପାଇଁ ଏକାଠି ହୋଇଛୁ, ଆଜି ବତୀ ଜାଳିବାରେ କାହିଁକି ନୁହେଁ?
ସେଇଥିପାଇଁ ତ ଅନେକ ରାଜନୀତିକ ବିବାଦ ଥିଲେ ବି କେହି ଏହାର ବିରୋଧୀ ହୋଇ ନାହାନ୍ତି। ସମସ୍ତେ ଚାହିଁଛନ୍ତି ଯାହା ବି ହେଉ ଏ ବିପତ୍ତି ଭାରତରୁ ଟଳିଯାଉ।
ତା’ହେଲେ ଡେରି କାହିଁକି ଚାଲନ୍ତୁ ସମସ୍ତେ ମିଳିମିଶି ଏଯାଏ ଅପରାଜେୟ ରହିଥିବା ଏହି ଭୁତାଣୁକୁ ଆମେ ଆମ ଆଧ୍ୟାତ୍ଵିକ ଶକ୍ତି ବଳରେ ହରାଇବା। ବିଜ୍ଞାନକୁ ଭୁଲି ଟିକେ ଈଶ୍ଵର, ଆଲ୍ଲା, ଜୀଶୁ, ବୁଦ୍ଧ, ଜୈନଙ୍କୁ ସୁମରଣା କରିବା, ନୀରବରେ ଏକ ନିଷ୍ଠ ହୋଇ…।