ଚନ୍ଦ୍ରାୟନ-୨: ଲ୍ୟାଣ୍ଡର୍‌ ସହ ସଂଯୋଗ ହରାଇଲା ଇସ୍ରୋ

ଭୁବନେଶ୍ଵର, (ଓଟି): ଭାରତୀୟ ମହାକାଶ ଗବେଷଣା ସଂସ୍ଥା ( ଇସ୍ରୋ)କୁ ଶକ୍ତ ଧକ୍କା ଲାଗିଛି। ଶେଷ ମୁହୂର୍ତ୍ତରେ ବାଙ୍ଗାଲୋର ସହରରେ ସ୍ଥାପନ କରାଯାଇଥିବା ଏହାର ଅର୍ଥ ଷ୍ଟେସନ୍‌ ‘ମକ୍ସ’ ସହ ଚନ୍ଦ୍ରାୟନ-୨ରେ ଥିବା ଲ୍ୟାଣ୍ଡର ‘ବିକ୍ରମ’ ସହ ସଂଯୋଗ ଛିନ୍ନ ହୋଇଛି। ଏ ବାବଦରେ ଆବଶ୍ୟକ ତଥ୍ୟର ପରୀକ୍ଷଣ ଇସ୍ରୋ ପକ୍ଷରୁ ଜାରି ରହିଛି। କିନ୍ତୁ ଦେଶବାସୀଙ୍କ ଅପେକ୍ଷା ଉପରେ ଏହି ବିଫଳତା ପାଣି ପକାଇ ଦେଇଛି। ତେବେ ଏହି ଲ୍ୟାଣ୍ଡରର ଅବତରଣ ପାଇଁ ଅପେକ୍ଷା କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍‌ ଜରିଆରେ କହିଛନ୍ତି ଯେ, ବୈଜ୍ଞାନିକମାନେ ସର୍ବଦା ଭାରତକୁ ଗର୍ବିତ କରିଛନ୍ତି। ଆପଣମାନେ ଧୈର୍ଯ୍ୟ ହରାନ୍ତୁ ନାହିଁ’।

ଚନ୍ଦ୍ରାୟନ-୨ର ସଫଳତା ସାରା ପୃଥିବୀରେ ଏକ ଇତିହାସ ରଚି ଥାଆନ୍ତା। କାରଣ ଏହି ମହାକାଶ ଯାନ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବା ଲକ୍ଷ୍ୟ ରଖିଥିଲା, ଯେଉଁଠାରେ ଆଜିଯାଏ କୌଣସି ଦେଶର ମହାକାଶଯାନ ପହଞ୍ଚି ପାରି ନାହିଁ। 

ଶନିବାର ପ୍ରାତଃ ୧ଟା ୩୮ ମିନିଟ୍‌ ସମୟରେ ଲ୍ୟାଣ୍ଡର ସଫଳତାର ସହ ‘ରଫ୍‌ ବ୍ରେକିଂ ଫେଜ୍‌’ ସମ୍ପୂଣ୍ଣ କରିଥିଲା। ଏହି ପ୍ରକ୍ରିୟାକୁ ଦେଖି ଇସ୍ରୋର ବୈଜ୍ଞାନିକମାନେ ସ୍ମିତ ହାସ୍ୟ ଦେଇଥିଲେ। ଆଉ କିଛି ସମୟ ପରେ ଶେଷ ପର୍ଯ୍ୟାୟ ଶେଷ କରି ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ର ପୃଷ୍ଠରେ ଧୀର ଅବତରଣ କରିଥାଆନ୍ତା। କିନ୍ତୁ ଏହି ଅବସର ଆଉ ମିଳିଲା ନାହିଁ। ହଠାତ୍‌ ଭୂପୃଷ୍ଠ ସହ ବିକ୍ରମ୍‌ ଲ୍ୟାଣ୍ଡରର ସମ୍ପର୍କ ଚ୍ଛିନ୍ନ ହୋଇଗଲା। ଏହା ନିରାଶ ଆଡ଼କୁ ମୁହାଁଇଲା। ପରବର୍ତ୍ତୀ ସମୟରେ ଏହି ସମ୍ପର୍କ ଛିନ୍ନ ହୋଇଥିବା ଇସ୍ରୋ ପକ୍ଷରୁ ଘୋଷଣା କରାଯାଇଛି। 

 

Leave a Reply

Your email address will not be published. Required fields are marked *