ଭାରତ ରାଜନୀତିରେ ଦଳ ବଡ଼ ନା ବ୍ୟକ୍ତି
ଭାରତୀୟ ରାଜନୀତିରେ ଦଳର ପ୍ରାଧାନ୍ୟ ଯଥେଷ୍ଟ ଅନୁଭୂତ ହୋଇ ଆସିଛି। ବିଭିନ୍ନ ସମୟରେ ଇତିହାସ ଏହାର ସାକ୍ଷୀ ରହିଛି। ଏପରିକି ସାହି, ଗାଁ, ଗଳି, ତଥା ପରିବାର ନିଜକୁ ରାଜନୀତିକ ପରିବେଶରେ ଏକ ନିର୍ଦିଷ୍ଟ ଦଳସହ ଯୋଡ଼ିବା ବି ଆମେ ଦେଖିଛୁ। କିନ୍ତୁ ଗଲା ଦଶନ୍ଧି ଭିତରେ ଏହି ଚିନ୍ତାଧାରାରେ ପରିବର୍ତ୍ତନ ହୋଇଛି କି? ଦଳଠୁ ନେତା ବେଶୀ ପ୍ରଭାବଶାଳୀ ହୋଇଛନ୍ତି କି?
ଆଜି ଏ ପ୍ରଶ୍ନ ଉଠିବା ପଛରେ କାରଣ ହେଉଛି, ନିର୍ବାଚନ ତଥା ମତାମତ ଗଣନା ପରବର୍ତ୍ତୀ ସମୟରେ ବିଶିଷ୍ଟ ନେତାମାନଙ୍କ ପ୍ରତି ଲୋକଙ୍କ ସମର୍ଥନ ବଢ଼ିବା। ରାଷ୍ଟ୍ରସ୍ତରରେ କହନ୍ତୁ କି ରାଜ୍ୟ ସ୍ତରରେ ଏହି କଥା ସ୍ପଷ୍ଟ ଯେ, ଏହିପରି କିଛଇ ନେତାଙ୍କ ଭାବମୂର୍ତ୍ତି ଆଗରେ ଦଳର ଚିହ୍ନ ଗୌଣ ପ୍ରାୟ। ନିକଟରେ ବିଜେପି ଏହାକୁ ଅନୁଭବ ବି କରିଛି। ସେଥିଲାଗି ପାର୍ଟିର ନିର୍ବାଚନୀ ପ୍ରଚାର ପାଇଁ ବ୍ୟବହାର କରାଯାଉଥିବା ବ୍ୟାନର ଓ ପତାକାରେ ଦଳର ଚିହ୍ନ ପଦ୍ମଫୁଲଠୁ ମୋଦିଙ୍କ ଫଟୋକୁ ଯଥେଷ୍ଟ କମାଯାଇଥିଲା।
ବ୍ରାଣ୍ଡ୍ ମୋଦି, ନବୀନ, ମମତା
ଏହା ନିଃସନ୍ଦେହ ଯେ, ବ୍ୟକ୍ତିକୁ ଦେଖି ଲୋକ ଭୋଟ୍ ଦେବା ପରମ୍ପରା ଦକ୍ଷିଣ ଭାରତରେ ଦୀର୍ଘବର୍ଷ ହେଲା ଚଳି ଆସୁଛି। ଟିଡିପି, ଡିଏମ୍କେ, ଏଆଇଡିଏମ୍କେ, ପ୍ରଭୃତି ଆଞ୍ଚଳିକ ଦଳ ସେହି ଆଧାରରେ ଗଢ଼ି ଉଠିଛି ଯେତେବେଳେ ଚନ୍ଦ୍ରବାବୁ ନାଇଡ଼ୁ, ଏମ୍ କରୁଣାନିଧି, ଜୟଲଳିଥାଙ୍କ ଅଭ୍ୟୁଦୟ ହୋଇଛି। ଲୋକେ ସେତେବେଳେ ଦଳର ଚିହ୍ନକୁ ଭୁଲି ଜଣେ ନିର୍ଦିଷ୍ଟ ବ୍ୟକ୍ତି ଭିତରେ ନିଜ ଶାସକଙ୍କୁ ଦେଖିଛନ୍ତି।

ଧୀରେ ଧୀରେ ଏହି ଧାରା ଓଡ଼ିଶା ଓ ପଶ୍ଚିମବଙ୍ଗକୁ ବ୍ୟାପୀ ଶେଷରେ ସାରା ଦେଶ ପାଇଁ ଏକ ଆହ୍ବାନ ଓ ଆଲୋଚନା କରିବାର ସମୟ ସୃଷ୍ଟି କରିଛି। ଯେଉଁ ଦେଶରେ ଶାସକଙ୍କୁ ଏକଚ୍ଛତ୍ରବାଦୀ ନକରାଇବା ଲାଗି (ପ୍ରଧାନମନ୍ତ୍ରୀ ବା ଦେଶର ଶାସନ ମୁଖ୍ୟଙ୍କୁ ଆମେରୀକୀୟ ରାଷ୍ଟ୍ରପତିଙ୍କ ଭଳି) ସିଧାସଳଖ ନିର୍ବାଚନ କରାଯାଏ ନାହିଁ, ଆଜି କିନ୍ତୁ ତାହା ପରୋକ୍ଷରେ ଆମ ସମ୍ବିଧାନର ଉଦ୍ଦେଶ୍ୟକୁ ଆଉଥରେ ସମୀକ୍ଷା କରିବା ଲାଗି ଅବସର ସୃଷ୍ଟି କରୁଛି। ଯଦିଓ କୌଣସି ରାଜନୀତିକ ଦଳ ଏଯାଏ ଏ ବିଷୟରେ ଚିନ୍ତା କରି ସମ୍ବିଧାନକୁ ବଦଳାଇବା ଲାଗି ଚାହିଁ ନାହାନ୍ତି କିନ୍ତୁ ପରିସ୍ଥିତି ସେହି ରାଜନୀତିକ ଦଳଙ୍କୁ ଦେଶର ହୃଦ୍ସ୍ପନ୍ଦନ ଅନୁସାରେ ଜଣେ ଜଣେ ଯୋଗଜନ୍ମାକୁ ଖୋଜିବା ଲାଗି ବାଧ୍ୟ କରିଛି। ଯଦି ତାହା ହୋଇଛି ତେବେ ବିଜେପି ଭଳି ଦଳର ଦେଶରେ ଅଭିବୃଦ୍ଧି ହୋଇଛି ନହେଲେ କଂଗ୍ରେସର ପରିବାରବାଦକୁ ଚ୍ୟାଲେଞ୍ଜ୍ ଦେଇ କିଛି ବ୍ୟକ୍ତି ବିଶେଷଙ୍କ ଦ୍ଵାରା ନୂଆ ଦଳ ଗଢ଼ିଛି ଆଉ କଂଗ୍ରେସର ପତନ ଜାରି ରହିଛି।
ଏଥର ମୂଳ ପ୍ରଶ୍ନ ବ୍ୟକ୍ତି ଦଳଠୁ ବଡ଼ କି?
ଏ ପ୍ରଶ୍ନର ଉତ୍ତର ଅନେକେ ନାଁ ହିଁ କହିବେ। କାରଣ କେତେବେଳେ ବି ବ୍ୟକ୍ତି ସଂଗଠନ ବା ସଂସ୍ଥା ଉପରେ ନୁହେଁ। ନରେନ୍ଦ୍ର ମୋଦି ବି ଦେଶ ପ୍ରସଙ୍ଗରେ ଯେତେବେଳେ କିଛି କହିଛନ୍ତି ସେତେବେଳେ ଆଗ ଦେଶ ବୋଲି କହିଛନ୍ତି। କିନ୍ତୁ ଯେଉଁ ପରିସ୍ଥିତିରେ ରାଜନୀତି ଗତି କରୁଛି ଏହା କ’ଣ ତାହାର ବିପରୀତ ନୁହେଁକି?
ଓଡ଼ିଶାର ରାଜନୀତିକ ଇତିହାସ କହୁଛି, ବିନା ନବୀନ ପଟ୍ଟନାୟକଙ୍କ ନାଁରେ ଓଡ଼ିଶାରେ ବିଜେଡି ନେତାମାନେ ଛତର ଖାଇଛନ୍ତି। ଆଉ ତାଙ୍କରି ଅନୁଗାମୀ ହୋଇ ଅଚିହ୍ନା ଲୋକଟିଏ ବି ଆମ ପ୍ରତିନିଧି ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କର ପ୍ରଭାବ ଓଡ଼ିଶାରେ ସେମିତି ପଡ଼ି ନଥିଲେ ବି ଅଳ୍ପ ବହୁତେ ତାହା ରାଜ୍ୟରେ ଓ ଉଲ୍ଲେଖନୀୟ ଭାବେ ସାରା ଦେଶରେ ଅନୁଭୂତ ହୋଇଛି।
ସେହିପରି ମୋଦିଙ୍କ ଭାଷଣ ଓ ରଣନୀତିରେ ସାରା ଦେଶ ପ୍ରଭାବିତ ହୋଇଛି। ସେଥିଲାଗି ଦେଶରେ ଯେତେବେଳେ ନିର୍ବାଚନ ହୋଇଛି ସେତେବେଳେ ଏକ ସ୍ଥିର ସରକାର ପାଇଁ ମୋଦିଙ୍କ ହାତମୁଠାକୁ ଅଧିକ ଟାଣ କରିଛନ୍ତି। ୨୦୧୪ରେ ଯେଉଁ ସ୍ଥିତି ୨୮୨ରେ ସୀମିତ ଥିଲା ଏବେ ତାହା ୩୫୨ ପାର କରିବ ବୋଲି ଆକଳ ନ କରାଯାଉଛଇ ।ଆଉ ତାଙ୍କ କାର୍ଯ୍ୟରେ ବାଧା ଦେବା ଲାଗି ବିରୋଧୀ ବି ରହିବେ ନାହିଁ।
ଗଣତନ୍ତ୍ରର ବିଷାରଦମାନେ ଏହାକୁ ଏକ ଅଭାବନୀୟ ପରିସ୍ଥିତି କହିପାରନ୍ତି କିନ୍ତୁ ଏହା ସତ ଯେ ରାଷ୍ଟ୍ର ଏବେ ଏକ ବ୍ରାଣ୍ଡ ଚାହୁଁଛି, ତାହା ଦଳ ନୁହେଁ ବରଂ ଯିଏ ଦେଶକୁ ନେତୃତ୍ଵ ଦେବ ତାହାରି ଉପରେ ନିର୍ଭର କରୁଛି।
କେତେଦିନ?
ଏ ପ୍ରଶ୍ନ ବି ସ୍ଵଭାବିକ। ଓଡ଼ିଶାରେ ବି ପଚରା ଯାଉଛି ନବୀନଙ୍କ ପରେ କିଏ? ଜୟଲଳିଥାଙ୍କ ପରେ ଏଆଇଡିଏମ୍କେର ହାଲ୍ କ’ଣ ହେଲା ତାହା ସଭିଙ୍କୁ ଜଣା। ଏଣୁ ମୋଦିଙ୍କ ପରେ ବିଜେପି କ୍ୟାଡର୍କୁ ସମ୍ଭାଳିବା ପାଇଁ ପରବର୍ତ୍ତୀ ନେତା ଏଇ ୫ ବର୍ଷରେ ଜନ୍ମ ନେବେ ତ?