ଅଲୋଡ଼ା ନେହରୁ: ରାଜରାସ୍ତାରୁ ନେହରୁଙ୍କ ନାଁ ଲିଭାଇ ଦେଲେ ଓଡ଼ିଶା ସରକାର
ଭୁବନେଶ୍ଵର, (ଓଟି): କିଏ କହୁ ବା ନକହୁ, ଗଭୀର ସମୁଦ୍ରଗର୍ଭର ସ୍ରୋତ ଭଳି ଓଡ଼ିଶାରେ ବିଜେଡି ନେତୃତ୍ଵାଧୀନ ସରକାର ବିଜେପିର ଆଦର୍ଶରେ ଠେଲି ହୋଇ ଚାଲିଛି। ସେ ଜିଏସ୍ଟି ହେଉ ବା ବିମୁଦ୍ରାକରଣ ଅଥବା ପୁଣି ନାଗରିକତ୍ଵ ସଂଶୋଧନ ଆଇନ ସବୁଥିରେ ସମର୍ଥନ କରିବା ପରେ ଏବେ ଦେଶର ଇତିହାସରୁ ପଣ୍ଡିତ ନେହରୁଙ୍କ ଗରିମାକୁ ଗୌଣ କରିବା ପାଇଁ ଚେଷ୍ଟା ଚାଲିଛି ବୋଲି ଯେଉଁ ଅଭିଯୋଗ ହେଉଛି, ସେଥିରେ ନିଜକୁ ଏକ ପକ୍ଷ ଭାବେ ଉପସ୍ଥାପିତ କରିଛନ୍ତି ଓଡ଼ିଶା ସରକାର।
କଥା ହେଉଛି ରାସ୍ତାର ନାମକରଣକୁ ନେଇ। ଜୁଲାଇ ୩୦ ତାରିଖରେ ରାଜ୍ୟର ସଚିବାଳୟକୁ ‘ଲୋକସେବା ଭବନ‘ ଭାବେ ନାମିତ କରି ଲୋକଙ୍କ ଉଦ୍ଦେଶ୍ୟରେ ରାଜ୍ୟ ପ୍ରଶାସନକୁ ସମର୍ପିତ କରିଥିବା ନବୀନ ସରକାର ଆଗକୁ କେବେ ହେେ ତା ସମ୍ମୁଖ ରାସ୍ତାର ନାମକରଣ ବଦଳାଇବାକୁ ଚିନ୍ତା କରି ନଥିଲେ। କିନ୍ତୁ ଡିସେମ୍ବର ୫ ତାରିଖରେ ଏମିତି ହଠାତ୍ ଏକ ନିଷ୍ପତ୍ତି ନିଆଯାଇ ତାହାର ବିଜ୍ଞପ୍ତି ପ୍ରକାଶ କରିଦିଆଗଲା। ପୁଣି ସେତିକି ନୁହେଁ ଏହି ବିଜ୍ଞପ୍ତିକୁ ଗଣମାଧ୍ୟମର ଗୋଚରାର୍ଥେ ଡିସେମ୍ବର ୧୪ ତାରିଖ ଦିନ ବଣ୍ଟନ କରାଗଲା। ଏଥିରେ ଲୋକସେବାଭବନର ସମ୍ମୁଖ ରାସ୍ତା ଯାହା ଏଜି ଛକରୁ ଆଚାର୍ଯ୍ୟ ବିହାର ପର୍ଯ୍ୟନ୍ତ ଲମ୍ବିଛି ତାହାର ନାମ କରଣକୁ ବଦଳାଇ ଦିଆଯାଇଥିବା ଘୋଷଣା କରାଗଲା। ଏମିତି କି ଏହି ବିଜ୍ଞପ୍ତିରେ ଏହି ରାସ୍ତାର ପୁରୁଣା ନାଁ କ’ଣ ଥିଲା ତାହାକୁ ବି ଉଲ୍ଲେଖ କରାଗଲା ନାହିଁ। ଅର୍ଥାତ୍ ଲୋକଙ୍କୁ ଭୁଆଁ ବୁଲାଇ ସରକାର ରାତାରାତି ସେହି ରାସ୍ତାର ଠିକଣା ବଦଳାଇଦେଲେ। ସରକାରଙ୍କ ଏହି ନିଷ୍ପତ୍ତିକୁ ଦେଖି ଏବେ ସେଠାରେ ଥିବା ଗୁରୁତ୍ଵପୂଣ୍ଣ କାର୍ଯ୍ୟାଳୟ ଯେମିତି ରାଜ୍ୟ ଗ୍ରନ୍ଶଗାର, ରବୀନ୍ଦ୍ର ମଣ୍ଡପ, ହାଉସିଂ ବୋର୍ଡ଼, ଅଭିଲେଖାଗାର, ବିଜ୍ଞାନ ପାର୍କ, ବିଡିଏ. ବୟନିକା, ପାରାଦୀପ ଫସ୍ଫେଟ୍, ଆଞ୍ଚଳିକ ଶିକ୍ଷାକେନ୍ଦ୍ରଳ ସମବାୟ ବ୍ୟାଙ୍କ୍ ସମସ୍ତେ ଠିକଣା ବଦଳାଇବା ଲାଗି ଉଦ୍ୟମ ଆରମ୍ଭ କରିଦେଲେଣି।
ପାଠକେ ହୁଏତ ଜାଣି ନଥିବେ ଯେ ସେହି ରାସ୍ତାର ନାଁ କ’ଣ ଥିଲା? ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହରୁଙ୍କ କୃତୀ ଓ ଅବଦାନକୁ ସ୍ମରଣ କରିବା ତଥା ତାଙ୍କ ପ୍ରତି ଏ ଜାତିକୁ କୃତଜ୍ଞ କରିବା ଲାଗି ଏପରି ସେହି ରାସ୍ତା ନାଁ ପଣ୍ଡିତ ଜବାହାରଲାଲ୍ ନେହରୁ ମାର୍ଗ ବୋଲି ଦିଆଯାଇଥିଲା। ଠିକ୍ ସେହିଭଳି ଭୁବନେଶ୍ଵରର ଜିରୋ ପଏଣ୍ଟ ଅର୍ଥାତ୍ ମାଷ୍ଟର କ୍ୟାଣ୍ଟିନ୍ରୁ ବିଧାନସଭା ଯାଏ ଲମ୍ବିଥିବା ରାସ୍ତାକୁ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ନାଁରେ ନାମିତ କରାଯାଇଥିଲା।
ହେଲେ ରାଜ୍ୟ ସରକାର ବିନା କୌଣସି ନାଗରିକ ପରାମର୍ଶ ତଥା ଆଲୋଚନାରେ ରାସ୍ତାର ନାଁକୁ ବଦଳାଇଦେଲେ। ଯେଉଁ ସରକାର ଲୋକଙ୍କ ମତ, ବା ଭାବ ତଥା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ଗରିମାକୁ ସମ୍ମାନ ଦେଉ ନାହିଁ ସେତେବେଳେ ସରକାର ଏ ରାସ୍ତା ବା ସଚିବାଳୟର ନାଁକୁ ଲୋକଙ୍କ ସେବାର ଭବନ ବା ଲୋକସେବା ଭବନ ବୋଲି ନାମକରଣ କରିବାର କି ଯଥାର୍ଥତା ରହିଛି?
ପ୍ରଶ୍ନ ଉଠୁଛି ଏହା ବିଜେପି ଆଦର୍ଶରେ ଅନୁପ୍ରାଣୀତ ହେବାର ଆଉ ଏକ ଉଦାହରଣ କି? ଯଦି ରାଜ୍ୟ ସରକାର ଦେଶର ସ୍ଵାର୍ଥ ପାଇଁ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ଅର୍ଥନୀତିକ ଓ ସାମାଜିକ ପ୍ରସଙ୍ଗରେ ସମର୍ଥନ କରୁଛନ୍ତି, ତେବେ ରାସ୍ତାର ନାମକରଣ ହଠାତ୍ ବଦଳାଯିବା ପଛରେ କି ସ୍ଵାର୍ଥ ଯୋଡ଼ି ହୋଇଛି ତାହା ସ୍ପଷ୍ଟ କରିବେ କି? ନାଁ ଏ ରାସ୍ତାକୁ କାହା ନାଁରେ ନାମକରଣ କରାଯାଇଥିଲା ସେ ବାବଦରେ ସରକାର ଅଜ୍ଞ ଥିଲେ?
ପଶ୍ଚିମବଙ୍ଗଠୁ ଭୟଙ୍କର
ନିକଟ ଅତୀତରେ କିଛି ଦୁର୍ବୁତ୍ତ ପଶ୍ଚିମବଙ୍ଗର ରାଜରାସ୍ତାରେ ନେହରୁଙ୍କ ପ୍ରତିମୂତ୍ତିର୍ର୍ ଉପରେ କାଳି ଫୋପାଡ଼ିବାରୁ ରାଜନୀତିକ ଝଡ଼ ଆରମ୍ଭ ହୋଇଥିଲା। ଏହାକୁ ନେଇ ପ୍ରତିବାଦ ବି ହୋଇଥିଲା। ଯଦିଓ ଏହା ରାଜନୀତିକ ପ୍ରତିବାଦ ଥିଲା କିନ୍ତୁ ସେତେବେଳେ ଏହାକୁ ଦୁର୍ବୁତ୍ତଙ୍କ କାର୍ଯ୍ୟ ବୋଲି କହି ଏଡ଼ାଇ ଦିଆଯାଇଥିଲା। ଓଡ଼ିଶାରେ କିନ୍ତୁ ସରକାରୀ ଭାବେ ନେହରୁଙ୍କ ନାଁକୁ ଲିଭାଇ ଦିଆଯାଇଛି। ଏହା କାଳୀମା ଫୋପାଡ଼ିବାଠୁ ଅଧିକ ଭୟଙ୍କର ନୁହେଁକି?