ଘନଉଛି ଯୁଦ୍ଧ ଆଶଙ୍କା: ଟ୍ରମ୍ପଙ୍କ ୫୨ ଜବାବରେ ୧୦୦ ସ୍ଥାନକୁ ଟାର୍ଗେଟ୍ କଲା ଇରାନ

ନୂଆଦିଲ୍ଲୀ(ଓଟି): ଜେନେରାଲ ସୁଲେମାନୀଙ୍କ ନିହତ ପରେ ଇରାନ ଲାଲ ଝଣ୍ଡା ଉଡାଇ ପ୍ରତିଶୋଧ ଲାଗି ଯୁଦ୍ଧ କରିବାକୁ ସଂକେତ ଦେଇଥିଲା। ଏହାର ଜବାବ ମଧ୍ୟ ଦେଇଥିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ। ସେ କହିଥିଲେ ଯେ ତାଙ୍କ ନିକଟରେ ଅତ୍ୟାଧୁନିକ ଜ୍ଞାନକୌଶଳର ଯୁଦ୍ଧାସ୍ତ୍ର ରହିଛି ଏବଂ ଇରାନର ୫୨ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଆକ୍ରମଣ କରିବାକୁ ଟାର୍ଗେଟ୍ କରାଯାଇଥିବା ସେ ସୂଚାଇଥିଲେ। ତେଣୁ ଆମେରିକାର କୌଣସି ସୈନ୍ୟ କିମ୍ବା ସମ୍ପତ୍ତିକୁ ଟାର୍ଗେଟ କଲେ ସେ ଆଦୌ ଛାଡ଼ିବେ ନାହିଁ ବୋଲି ଦେଇଥିଲେ ଚେତାବନୀ। ଅନ୍ୟପକ୍ଷରେ ଇରାନ୍ ବୁଧବାର ସକାଳୁ ନିଜର ଆମେରିକା ପ୍ରତିଶୋଧ ଯୁଦ୍ଧାଭିଯାନ ଆରମ୍ଭ କରିଦେଇଛି। ଇରାକ ସ୍ଥିତ ଆମେରିକା ସୈନ୍ୟ କ୍ୟାମ୍ପ ଉପରେ ବାଲାଷ୍ଟିକ୍ ମାଡ କରିଥିବାବେଳେ ଅନେକ ଆମେରକୀୟ ସୈନ୍ୟ ମୃତାହତ ହୋଇଥିବା ମଧ୍ୟ ଦାବି କରିଛି। ଏପରିକି ଯଦି ଆମେରିକା ପୁଣି କିଛି କ୍ଷତି କରିବାକୁ ପ୍ରୟାସ କରେ ତେବେ ଅହୁରି ୧୦୦ଟି ସ୍ଥାନରେ ଆକ୍ରମଣ କରିବ ବୋଲି ଇରାନ ଦେଇଛି କଡା ଚେତାବନୀ। ଫଳରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ସ୍ଥିତି ଘନେଇବାରେ ଲାଗିଛି।

ସୂଚନା ଅନୁସାରେ ବୁଧବାର ସକାଳେ ଇରାକ ରାଜଧାନୀ ବାଗଦାଦରେସ୍ଥିତ ଆମେରିକାର ୨ଟି ସେନା ଶିବିରକୁ ଇରାନ ଟାର୍ଗେଟ କରିଥିଲା। ଘନଘନ ବାଲାଷ୍ଟିକ କ୍ଷେପଣାସ୍ତ୍ର ମାଡ଼ କରିବା ସହ ଏଥିରେ ଆମେରିକାର ୮୦ରୁ ଅଧିକ ସୈନ୍ୟ (ତେହେରାନୀ ଅନୁସାରେ ଆତଙ୍କବାଦୀ) ନିହତ ହୋଇଥିବା ଇରାନର ସରକାରୀ ଟିଭି ଚ୍ୟାନେଲରେ ଦାବି କରିଛି। ଏପରିକି ଆମେରିକା ପ୍ରତିଶୋଧପରାୟଣ ହୋଇ ଆକ୍ରମଣ କଲେ ଆହୁରି ୧୦୦ ସ୍ଥାନରେ କ୍ଷେପଣାସ୍ତ୍ର ମାଡ଼ କରିବୁ ବୋଲି ଇରାନ ଚେତାବନୀ ଦେଇଛି।  କିନ୍ତୁ ମୃତାହତଙ୍କ ସମ୍ପର୍କରେ ଆମେରିକା ସ୍ପଷ୍ଟ କରିନଥିବାବେଳେ ପେଣ୍ଟାଗନର ପ୍ରବକ୍ତା ଜୋନାଥନ ହୋଫମ୍ୟାନ ଇରାନର ମିସାଇଲ ଆକ୍ରମଣକୁ ସ୍ୱୀକାର କରିଛନ୍ତି। ସେହିପରି ଟ୍ରମ୍ପ ‘ଅଲ ଇଜ ୱେଲ’ ବୋଲି ଟୁଇଟ କରିଛନ୍ତି।

ଉଲ୍ଳେଖଯୋଗ୍ୟ ଯେ ଆମେରିକା-ଇରାନ ମୁହାଁମୁହିଁ ହୋଇଥିବାବେଳେ କୌଣସି ଭାରତୀୟ ଇରାକ ଯାତ୍ରା କରନ୍ତୁ ନାହିଁ ବୋଲି ନୂଆଦିଲ୍ଲୀ ଆଡଭାଇଜରି ଜାରି କରିଛି । ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଇରାକରେ ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟଙ୍କୁ ସତର୍କ କରିଦିଆଯାଇଛି।

[] ରିପୋର୍ଟ: ଏସପି

 
 
 

Leave a Reply

Your email address will not be published. Required fields are marked *