ଅରବିନ୍ଦ ପାଢ଼ୀଙ୍କୁ ସୂଚନା ଲୋକସମ୍ପର୍କ ଟ୍ବିଟରରେ ରୋକ୍!
ଭୁବନେଶ୍ଵର, (ଓଟି): ସୂଚନା ଓ ଲୋକସମ୍ପର୍କ ବିଭାଗର ଟ୍ବିଟର ହ୍ୟାଣ୍ଡଲ୍ ବରିଷ୍ଠ ଆଇଏଏସ୍ ଅଧିକାରୀ ଅରବିନ୍ଦ ପାଢ଼ୀଙ୍କୁ ବ୍ଲକ୍ କରିଛି। ଅବଶ୍ୟ ଏହି ବ୍ଲକ୍ କିଛି ସମୟ ପାଇଁ ହୋଇଥିଲା କିନ୍ତୁ ଏହା ଡ. ପାଢ଼ୀଙ୍କୁ ଯଥେଷ୍ଟ ଆଘାତ ଦେଇଥିବା ଜଣାପଡ଼ିଛି। ନିଜ ଟ୍ବିଟର ଆକାଉଣ୍ଟରେ ଡ. ପାଢ଼ୀ ଏ ବିଷୟକୁ ଉଲ୍ଲେଖ କରି ବର୍ତ୍ତମାନର ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଞ୍ଜୟ କୁମାର ସିଂହଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଦୃଷ୍ଟି ଆକର୍ଷଣର ୫ ମିନିଟ୍ ଭିତରେ ତାଙ୍କୁ ପୁଣିଥରେ ସ୍ଵଭାବିକ୍ ଭାବେ ସୂଚନା ଓ ଲୋକସମ୍ପର୍କ ବିଭାଗର ଟ୍ବିଟର ହ୍ୟାଣ୍ଡଲ୍ ଦେଖିବା ଏବଂ ମତ ଦେବା ଲାଗି ଉନ୍ମୁକ୍ତ କରାଯାଇଛି।
ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ୧୫ ମିନିଟ୍ ସମୟରେ ଆଇସିଆର୍ଆଇଟି କଣ୍ଟ୍ରି ନିର୍ଦେଶକ ଡ. ଅରବିନ୍ଦ ପାଢ଼ୀ ଏ ବିଷୟକୁ ତାଙ୍କ ଟ୍ବିଟରରେ ଉଲ୍ଲେଖ କରିଥିଳେ। ନିଜ ମୋବାଇଲ୍ର ଏକ ସ୍କ୍ରିନ୍ ଶଟ୍କୁ ଉପସ୍ଥାପନ କରି ଡ. ପାଢ଼ୀ ଉଲ୍ଲେଖ କରିଥିଲେ ଯେ, ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ଟ୍ବିଟର ଆକାଉଣ୍ଟ ତାଙ୍କୁ ବ୍ଲକ୍ କରିଛି। ଏହା ଆକସ୍ମିକ ହୋଇପାରେ ବୋଲି ସେ ଆଶଙ୍କା କରିଥିଲେ ମଧ୍ୟ ସେଥିରେ ଆଚମ୍ବିତ ହୋଇଥିବା କହିଛନ୍ତି।
ଅରବିନ୍ଦଙ୍କ ଏହି ପ୍ରତିକ୍ରିୟାକୁ ଡେ କନ୍ସଲ୍ଟାଣ୍ଟ ନାମକ ଏକ ସଂସ୍ଥା ସୂଚିତ କରିବାକୁ ଯାଇ ଏ ବିଷୟକୁ ଅଜଣା ତ୍ରୁଟି ବୋଲି ସ୍ଵୀକାର କରିଛି। ଅରବିନ୍ଦଙ୍କୁ ଏ ମାଟିର ସନ୍ତାନ ବୋଲି କହିଛନ୍ତି।
ମାତ୍ର ୫ ମିନିଟ୍ ଭିତରେ ତାଙ୍କ କ୍ଷୋଭକୁ ସ୍ଵୀକାର କରାଯାଇ ତାହାର ଜବାବ ଦିଆଯାଇପାରିଥିବାରୁ ତାହାକୁ ଡ. ପାଢ଼ୀ ପ୍ରଶଂସା ମଧ୍ୟ କରିଛନ୍ତି।