ଆଇଏଫଏଫଆଇ ୨୦୧୯ରେ ପ୍ରଦର୍ଶିତ ହେବ ଧର୍ମେନ୍ଦ୍ର ଓ କାକାଙ୍କ ଫିଲ୍ମ

ପ୍ରତିବର୍ଷ ଗୋଆରେ ଅନୁଷ୍ଠିତ ହୋଇ ଆସୁଥିବା ଭାରତୀୟ ଅନ୍ତଃରାଷ୍ଟ୍ରୀୟ ଫିଲ୍ମ ଫେଷ୍ଟିଭାଲ୍ (ଆଇଏଫଏଫଆଇ) ୫୦ ବର୍ଷ ପୁରଣ କରିବ । ଆସନ୍ତା ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ବର୍ଣ୍ଣାଢ୍ୟ ଉତ୍ସବରେ ବିଶେଷ ଅତିଥି ଭାବେ ମହାନାୟକ ବିଗ୍ ବିଙ୍କୁ ନିମନ୍ତ୍ରଣ କରାଯାଇଛି । ଏହାର ବିଶେଷ ଆକର୍ଷଣ ହେଉଛି ଏଥର ୭୦ରୁ ୯୦ ଦଶକର ଅନେକ ସୁପରହିଟ୍ ଫିଲ୍ମ ପ୍ରଦର୍ଶିତ ହେବ । ସେଥିରେ ରାଜେଶ୍ ଖାନ୍ନା ଓ ଧର୍ମେନ୍ଦ୍ରଙ୍କ ଭଳି ସୁପରହିଟ୍ ହିରୋମାନଙ୍କ ଅନେକ କ୍ଲାସିକାଲ୍ ଫିଲ୍ମ ପ୍ରଦର୍ଶିତ ହେବ ବୋଲି ସୂଚନା ମିଳିଛି । ‘ଗୋଲଡେନ୍ ଲାଇନିଙ୍ଗ୍’ ଶ୍ରେଣୀରେ ଧର୍ମେନ୍ଦ୍ରଙ୍କ ‘ସତ୍ୟକାମ’ ଓ ରାଜେଶ୍ ଖାନ୍ନାଙ୍କ ‘ଆରାଧନା’ ସାମିଲ୍ ହୋଇଛି । ଏହିଦୁଇଟି ଫିଲ୍ମ ୧୦୬୯ରେ ରିଲିଜ୍ ହୋଇଥିଲା ।

‘ଆରାଧନା’ ରାଜେଶ୍ ଖାନ୍ନାଙ୍କ ପ୍ରଥମ ସୁପରହିଟ୍ ଫିଲ୍ମ ଥିଲା ଏବଂ ଏହାର ନିର୍ଦ୍ଦେଶକ ଥିଲେ ଶକ୍ତି ସାମନ୍ତ । ଏହାର ଲିଡ୍ ନାୟିକା ଥିଲେ ଶର୍ମିଳା ଟାଗୋର୍ । ଅନ୍ୟ ପକ୍ଷରେ ଋଷିକେଶ୍ ମୁଖାର୍ଜିଙ୍କ ନିର୍ଦ୍ଦେଶିତ ‘ସତ୍ୟକାମ’ । ‘ଏହି ଫିଲ୍ମ ମୋ କ୍ୟାରିୟର୍ ମଧ୍ୟରେ ସବୁଠାରୁ ଭଲ ନିର୍ଦ୍ଦେଶନା ବୋଲି ନିଜେ ଋଷି କହିଥିଲେ’ । ଏକଥା ଧର୍ମେନ୍ଦ୍ର ମିଡିଆକୁ ଜଣାଇବା ସହ ‘ଆଇଏଫଏଫଆଇ’ର ଏହି ନିଷ୍ପତି ପାଇଁ ଧନ୍ୟବାଦ ଜଣାଇଛନ୍ତି । ଶର୍ମିଳାଙ୍କ ପକ୍ଷରୁ ମଧ୍ୟ ଏହାକୁ ସ୍ୱାଗତ କରାଯାଇଛି ଏବଂ ସେ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *