ବନ୍ଦଥିବା କାରଖାନା ଏକ ସପ୍ତାହ ପରୀକ୍ଷାମୂଳକ ଭାବେ ଚାଲିବ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌) : ଲକ୍‍ଡାଉନ ଯୋଗୁଁ ଦେଶବ୍ୟାପୀ ନିର୍ମାଣ ଓ ରାସାୟନିକ କାରଖାନାଗୁଡିକ ବନ୍ଦ ରହିଥିଲା । ଅଣ ହଟସ୍ପଟ ଅଞ୍ଚଳରେ ଥିବା କାରଖାନାଗୁଡିକ କେତେକ ସର୍ତ୍ତ ଭିତ୍ତିରେ ଚାଲୁ ଲାଗି ସରକାର ଅନୁମତି ଦେଇଛନ୍ତି । ମେ ୧୭ରେ ଲକଡାଉନ ଅବଧି ଶେଷ ପରେ ଅନ୍ୟସବୁ କାରଖାନା ଚାଲୁ ହେବ । ତେବେ ଏହିସବୁ କାରଖାନା ଚାଲୁ କରିବା ଲାଗି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଓ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନଡିଏମଏ) ନୂଆ ନିୟମାବଳୀ ଜାରି କରିଛି ।

ରବିବାର ମେ ୧୦ତାରିଖରେ ଜାରି ହୋଇଥିବା ନିୟମାବଳୀ ଅନୁଯାୟୀ ଲକଡାଉନ ପରେ ନୂଆ କରି ଚାଲୁ ହେବାକୁ ଯାଉଥିବା କାରଖାନାଗୁଡିକ ଗୋଟିଏ ସପ୍ତାହ ପାଇଁ ପରୀକ୍ଷାମୂଳକ (ଟ୍ରାଏଲ) ଭାବେ ଚାଲୁ କରାଯିବ । ଏହା ସହିତ ସମସ୍ତ ସୁରକ୍ଷା ବିଷୟକୁ ନିଶ୍ଚିତ ଧ୍ୟାନ ଦିଆଯବ । ଅଧିକ ଉତ୍ପାଦନ ବଢାଇବାକୁ ଚେଷ୍ଟା କରାଯିବ ନାହିଁ । ସମ୍ବେଦଶୀଳ ୟୁନିଟ୍‍ ଗୁଡିକରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ସତର୍କ ରହିବାକୁ କୁହାଯିବ । ଯେପରିକି ଅତି ଉଚ୍ଚ ଶବ୍ଦ, ଭାଇବ୍ରେସନ, ଲିକେଜ, ଧୂଆଁ, ଅନିୟମିତ ଘୂର୍ଣ୍ଣାୟମାନ ଆଦି ପ୍ରତି ସତର୍କ ରହିବାକୁ କର୍ମଚାରୀଙ୍କୁ କୁହାଯିବ । ସେହିପରି କୋଭିଡ-୧୯ ସତର୍କତା ପ୍ରତି ଧ୍ୟାନ ଦିଆଯିବ । ସୁରକ୍ଷା ଦୃଷ୍ଟିକୋଣରୁ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ କାରଖାନା ଚାଲୁ ପୂର୍ବରୁ ନିଶ୍ଚିତ କରାଯିବ । ଯେପରିକି ଅଗ୍ନି ନିରାପତ୍ତା ଓ ବୈଦ୍ୟୁତିକ ନିରାପତ୍ତା ନିଶ୍ଚିତ ନହେବା ପର୍ଯ୍ୟନ୍ତ କାରଖାନା ଚାଲୁ କରାଯାଇପାରିବ ନାହିଁ । କୌଣସି ପ୍ରକାର ଲିକେଜ୍‍କୁ ପରିଚାଳନା କରିବାରେ କମ୍ପାନୀ କର୍ତ୍ତୃପକ୍ଷ ଅସମର୍ଥ ହେଲେ ଜିଲା ପ୍ରଶାସନର ସହାୟତା ନିଆଯିବ । ସେହିପରି କଞ୍ଚାମାଲା ଗଚ୍ଛିତ କରିବା ଓ ଶ୍ରମିକମାନଙ୍କ ଲାଗି ମଧ୍ୟ ଗାଇଡଲାଇନ ଜାରି କରିଛନ୍ତି ।

 ମେ ୭ ତାରିଖରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଏଲଜି ପଲିମର କାରଖାନାରେ ଗ୍ୟାସ ଲିକ୍‍ ହୋଇ ୧୧ ଜଣଙ୍କ ମୃତ୍ୟୁ ହେବା ପରେ କେନ୍ଦ୍ର ସରକାର କାରଖାନାଗୁଡିକ ଲାଗିଏହି  ନୂଆ ନିୟମାବଳୀ ଜାରି କରିଛନ୍ତି ।

Leave a Reply

Your email address will not be published.