ଭାରତ-ଚୀନ ସେନା ମୁହାଁମୁହିଁ: ଅନେକ ସୈନିକ ଆହତ
ଭୁବନେଶ୍ୱର, (ଓଡ଼ିଶା ଟାଇମ୍): କରୋନା ମହାମାରୀ ସଂକ୍ରମଣକୁ ପ୍ରତିରୋଧ କରିବା ଲାଗି ଭାରତ ଏହାର ଆଭ୍ୟନ୍ତରୀଣ ବ୍ୟାପାରରେ ବ୍ୟସ୍ତ ରହିଥିବାବେଳେ ସୀମାନ୍ତରେ ଚୀନ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଛି । ଉତ୍ତର ସିକିମର ନକୁଲା ସେକ୍ଟର ନିକଟରେ ଭାରତ ଓ ଚୀନ ସୈନିକ ମୁହାଁମୁହଁ ହୋଇଛନ୍ତି । ଶନିବାର ଉଭୟ ପକ୍ଷର ୧୫୦ ସୈନିକଙ୍କ ମଧ୍ୟରେ ମୁହାଁମୁହିଁ ସଂଘର୍ଷ ହୋଇଥିଲା। ଏହି ସଘର୍ଷରେ ଭାରତର ୪ ସୈନିକ ଆହତ ହୋଇଥିବାବେଳେ ଚୀନର ୭ ସୈନିକ ଆହତ ହୋଇଥିବା ସୂଚନା ମିଳିଛି। ପରେ ଉଭୟ ପକ୍ଷଙ୍କ ଭିତରେ ଆଲୋଚନା ପରେ ସଂଘର୍ଷ ପ୍ରଶମିତ ହୋଇଛି।
ନକୁଲା ହେଉଛି ଉତ୍ତର କାଶ୍ମୀରର ଏକ ପାର୍ବତ୍ୟ ରାସ୍ତା । ଏହା ୫୦୦୦ ମିଟର ଉଚ୍ଚରେ ଅବସ୍ଥିତ । ଭାରତ ଓ ଚୀନର ସୈନିକମାନେ ଏହି ସୀମାନ୍ତ ରାସ୍ତାରେ ପାଟ୍ରୋଲିଂ କରୁଥିବାବେଳେ ମୁହାଁମୁହିଁ ହୋଇଥିଲେ । ଭାରତ ଓ ଚୀନର ସୀମାନ୍ତକୁ ନେଇ ଅନେକ ସମୟରେ ମୁହାଁମୁହିଁ ହେଉଥିଲେ ମଧ୍ୟ ନକୁଲା ସେକ୍ଟରରେ ଏପରି କେବେହେଲେ ଘଟି ନଥାଏ । ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ର ଅନ୍ୟ କେତେକ ବିବାଦୀୟ ସ୍ଥାନକୁ ନେଇ ଦୁଇ ଦେଶ ମଧ୍ୟରେ ମୁହାଁମୁହିଁ ହୋଇଥାଏ । ୨୦୧୯ ସେପ୍ଟେମ୍ବରରେ ପୂର୍ବ ଲଦାଖର ପୋଙ୍ଗଅଙ୍ଗ ହ୍ରଦ କୂଳରେ ଦୁଇଦେଶର ସୈନିକ ମୁହାଁମୁହିଁ ହୋଇଥିଲେ । ଉଭୟ ପକ୍ଷ ମଧ୍ୟରେ ଆଲୋଚନା ପରେ ଏହା ସମାଧାନ ହୋଇଥିଲା । ସେହିପରି ୨୦୧୭ ଜୁନ୍ ୧୬ରେ ସିକିମ୍ ସୀମାନ୍ତ ଡୋକଲାମ ନିକଟରେ ଭାରତ ଓ ଚୀନ ସେନା ଦୀର୍ଘ ଦିନ ଧରି ମୁହାଁମୁହିଁ ହୋଇଥିଲେ । ଏହା ଦୁଇଦେଶ ମଧ୍ୟରେ ଯୁଦ୍ଧର ଆଶଙ୍କା ସୃଷ୍ଟି କରିଥିଲା । ମାତ୍ର ଉଭୟଙ୍କ ମଧ୍ୟରେ ଆପୋଷ ଆଲୋଚନା ଦ୍ୱାରା ଏହାର ସମାଧାନ ହୋଇଥିଲା । ଡୋକଲାଭ ଭଳି ବିବାଦୀୟ ଅଞ୍ଚଳରେ ଚୀନ ସେନାର ରାସ୍ତା ନିର୍ମାଣକୁ ଭାରତ ବିରୋଧ କରିବାରୁ ବିବାଦ ସୃଷ୍ଟି ହୋଇଥିଲା । ୭୩ଦିନ ଧରି ମୁହାଁମୁହିଁ ପରିସ୍ଥିତ ଲାଗି ରହିବା ପରେ ଅଗଷ୍ଟ ୨୮ରେ ଏହା ସମାଧାନ ହୋଇଥିଲା । ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଉପରେ ଭାରତ ସରକାର ସର୍ବାଧିକ ଗୁରୁତ୍ୱ ଦେଉଥିବାବେଳେ ବାରମ୍ବାର ବିବାଦ ସୃଷ୍ଟି ହେଉଛି ।