ସ୍ୱାଧିନ ସାଂସଦ ଶୂନ୍ୟ ହେବାକୁ ଯାଉଛି ଲୋକସଭା?
- ପ୍ରଥମ ଲୋକସଭାରେ ୩୭ ସ୍ୱାଧିନ ସାଂସଦ
- ଗତ ଲୋକସଭାରେ ମାତ୍ର ୩ଜଣ ସ୍ୱାଧିନ ସାଂସଦ
ଚଳିତ ନିର୍ବାଚନରେ କେତେ ଜଣ ସ୍ୱାଧିନ ପ୍ରାର୍ଥୀ ଲୋକସଭାର ସାଂସଦ ଭାବେ ନିର୍ବାଚିତ ହେବେ? ଏହା ହିଁ ଏବେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତ ଲୋକସଭା (୧୬ତମ)ରେ ମାତ୍ର ତିନି ଜଣ ସ୍ୱାଧିନ ପ୍ରାର୍ଥୀ ଲୋକସଭାର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ସେମାନେ ହେଲେ ଆସାମ କୋକ୍ରାଝର ଲୋକସଭା ଆସନରୁ ନବା କୁମାର ସରାନିଆ, କେରଳ ଚଲାଗୁଡି ଲୋକସଭା ଆସନରୁ ଇନୋସେଣ୍ଟ, କେରଳ ଇଡୁକି ଲୋକସଭା ଆସନରୁ ଆଡ଼ଭୋକେଟ ଜୋୟେସ ଜର୍ଜ। ଏହି ନେତାମାନେ ନିଜ ନିଜ ଅଞ୍ଚଳରେ ନଷ୍ଠାର ସହିତ ଲୋକମାନଙ୍କର ସେବା କରିଥିବେ। ତେଣୁ ସେମାନେ ସ୍ୱାଧିନ ପ୍ରାର୍ଥୀ ଭାବରେ ବିଜୟ ଲାଭ କରିଥିଲେ। କାରଣ ବର୍ତ୍ତମାନ ନିର୍ବାଚନରେ ଯେପରି ଅର୍ଥ ଖର୍ଚ୍ଚ କରାଯାଉଛି ତାହା ଜଣେ ସ୍ୱାଧିନ ପ୍ରାର୍ଥୀଙ୍କ ପକ୍ଷରେ ସମ୍ଭବ ନୁହେଁ।

ଏଲ ସିଂହଭି, ମିନୁ ମସାନୀ, ଜେବି କୃପାଳାନୀ, ବିକେ କୃଷ୍ଣମେନନ
ପ୍ରଥମ ଲୋକସଭା ନିର୍ବାଚନରେ ୩୭ ସ୍ୱାଧିନ ପ୍ରାର୍ଥୀ ସାଂସଦ ଭାବେ ନିର୍ବାଚିତ ହୋଇଥିବାବେଳେ ୧୫ଶ ଲୋକସଭା ନିର୍ବାଚନରେ ୯ଜଣ ସ୍ୱାଧିନ ପ୍ରାର୍ଥୀ ନିର୍ବାଚିତ ହୋଇଥିଲେ। ସମୟ ଥିଲା ମିଦାନପୁର ଓ ତ୍ରିଭେନ୍ଦ୍ରମରୁ ବିକେ କୃଷ୍ଣମେନନ, ଭଙ୍କଜ୍ଞଲପୁର ଓ ସୀତାମାଢ଼ୀରୁ ଆଚାର୍ଯ୍ୟ କୃପାଳାନୀ, ରାଞ୍ଚିରୁ ମିନୁ ମସାନୀ, ଯୋଦ୍ଧପୁରରୁ ଲକ୍ଷ୍ମୀମିତ୍ତଲ ସିଂହଭି, ଚତରାରୁ ଇନ୍ଦ୍ରଜିତ ସିଂହ ନାମଧାରୀ, ବିକାନେରରୁ ମହାରାଜା କରଣୀ ସିଂହ, ସିଲଂଗରୁ ଜିଜି େସ୍ୱଲ ସମେତ ଅନେକ ସ୍ୱାଧିନ ପ୍ରାର୍ଥୀ ଲୋକସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇ ଆସୁଥିଲେ।

ଏହି ନେତାମାନେ ମହାମନିଷୀ ଭାବେ ଲୋକମାନଙ୍କର ସେବା କରୁଥିଲେ। କୃପାଳାନୀ ଜଣେ ପ୍ରମୁଖ ସ୍ୱାଧିନତା ସଂଗ୍ରାମୀ ହେବା ସହିତ କଂଗ୍ରେସର ସଭ୍ୟ ଥିଲେ। ଲକ୍ଷ୍ମୀମିତ୍ତଲ ସିଂହଭିଙ୍କ ଭଳି ଜରେ ସରସ୍ୱତୀ ପୁତ୍ର ଏ ଦେଶ ଦେଖିପାରିବ କି ନାହିଁ ତାହା ସନ୍ଦେହ। ସେ ସାଂସଦ ହୁଅନ୍ତୁ କି କୌଣସି ସଂସ୍ଥାର ପ୍ରଫେସର ହୁଅନ୍ତୁ ଦରମା ବାବଦକୁ ମାତ୍ର ଏକ ଟଙ୍କା ନେଉଥିଲେ। ଆଜି ବି କାନପୁରରେ ଦାଦା ବାନାର୍ଜୀଙ୍କ ସମ୍ପର୍କରେ ପଚାରିଲେ ଲୋକମାନେ ଅନେକ କଥା ଶୁଣାଇବେ।

ମଜଦୂର ନେତା ଏସ. ଏମ. ବାନାର୍ଜୀ ୧୯୫୭,୧୯୬୨, ୧୯୬୭ ଓ ୧୯୭୧ ପର୍ଯ୍ୟନ୍ତ ଲଗାତର ଭାବେରେ କୋଳକାତାରୁ ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଜିତି ସାଂସଦ ହୋଇଥିଲେ। ଦାଦା ବାନାର୍ଜୀ କୋଲକାତାର ହୋଇଥିଲେ ହେଁ ୪ଥର ସ୍ୱାଧିନ ଭାବେ କାନପୁରରୁ ସାଂସଦ ନିର୍ବାଚିତ ହୋଇଛନ୍ତି। ଆଚାର୍ଯ୍ୟ କୃପାଳାନୀ ସିନ୍ଧ ପ୍ରଦେଶର ଲୋକ ହୋଇଥିଲେ ବି ବିହାରରୁ ସ୍ୱାଧିନ ଭାବେ ଲଢ଼ି ସାଂସଦ ହୋଇଥିଲେ।
ଭାରତ ସ୍ୱାଧିନ ହେବା ପରେ ସ୍ୱାଧିନ ପ୍ରାର୍ଥୀମାନେ ଲୋକସଭାରେ ନିଜର ଦବଦବା ରଖିଥିଲେ। ୧୯୫୨ରେ ପ୍ରଥମ ଲୋକସଭା ନିର୍ବାଚନରେ ୩୭ଜଣ ସ୍ୱାଧିନ ପ୍ରାର୍ଥୀ ନିର୍ବାଚିତ ହୋଇଥିଲେ। ଯାହାକି ସଂସଦର ମୋଟ ସଦସ୍ୟ ସଂଖ୍ୟାର ୭ ପ୍ରତିଶତ ଥିଲା। ଏହି ସ୍ୱାଧିନ ପ୍ରାର୍ଥୀଙ୍କ ନିର୍ବାଚନ ଜିତିବା ହାର ଧିରେ ଧିରେ ହ୍ରାସ ପାଇ ୨୦୦୯ (୧୫ଶ ଲୋକସଭା) ବେଳକୁ ୯ଜଣରେ ସୀମିତ ଥିଲା।
୧୯୫୨ ନିର୍ବାଚନରେ ଅଂଶଗ୍ରହଣ କରିଥିବା ୧୮୭୪ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୮ ପ୍ରତିଶତ ଅର୍ଥାତ୍ ୫୩୩ଜଣ ସ୍ୱାଧିନ ପ୍ରାର୍ଥୀ ଥିଲେ। ଏଥିରେ ୩୭ଜଣ ସ୍ୱାଧିନ ପ୍ରାର୍ଥୀ ବିଜୟୀ ହୋଇଥିଲେ। ୧୯୫୭ରେ ଏହି ସ୍ୱାଧିନ ପ୍ରାର୍ଥୀଙ୍କ ସଂଖ୍ୟା ୩୧ ପ୍ରତିଶତ ଥିଲା। ଏହି ନିର୍ବାଚନରେ ୪୨ଜଣ ସ୍ୱାଧିନ ପ୍ରାର୍ଥୀ ବିଜୟୀ ହୋଇଥିଲେ।
୧୯୬୨ରେ ହୋଇଥିବା ୩ୟ ନିର୍ବାଚନରେ ସ୍ୱାଧିନ ପ୍ରାର୍ଥୀଙ୍କ ଜିତିବା ସଂଖ୍ୟା ମାତ୍ର ୨୦ଜଣକୁ ହ୍ରାସ ପାଇଥିଲା। ୧୯୬୭ରେ ଚତୁର୍ଥ ଲୋକସଭା ନିର୍ବାଚନରେ ସ୍ୱାଧିନ ପ୍ରାର୍ଥୀଙ୍କ ଜିତିବା ସଂଖ୍ୟା ୩୫କୁ ବୃଦ୍ଧି ପାଇଥିଲା। ଏଥିରେ ଉତ୍ସାହିତ ହୋଇ ୧୯୭୧ (୫ମ ଲୋକସଭା) ନିର୍ବାଚନରେ ସ୍ୱାଧିନ ପ୍ରାର୍ଥୀଙ୍କ ସଂଖ୍ୟା ୪୦ ପ୍ରତିଶତକୁ ବୃଦ୍ଧି ପାଇଥିଲା। ଏମାନଙ୍କ ମଧ୍ୟରୁ ମାତ୍ର ୧୪ଜଣ ବିଜୟୀ ହୋଇଥିଲେ। ଆବଶ୍ୟକ ଅନୁସାରେ ଭୋଟ ପାଇନଥିବାରୁ ୯୪ ପ୍ରିତିଶତ ପ୍ରାର୍ଥୀଙ୍କ ଅମାନତ ଜବତ ହୋଇଥିଲା।
୬ଷ୍ଠ ଲୋକସଭା ନିର୍ବାଚନରେ ମୋଟ ପ୍ରାର୍ଥୀଙ୍କ ମଧ୍ୟରୁ ୫୦ ପ୍ରତିଶତ ସ୍ୱାଧିନ ପ୍ରାର୍ଥୀ ଥିଲେ। ୭ମ ଲୋକସଭା ନିର୍ବାଚନରେ ଏହି ସ୍ୱାଧିନ ପ୍ରାର୍ଥୀଙ୍କ ସଂଖ୍ୟା ୭୧ ପ୍ରତିଶତକୁ ବୃଦ୍ଧି ପାଇଥିଲା। ୧୧ଶ ଲୋକସଭା ନିର୍ବାଚନରେ ସ୍ୱାଧିନ ପ୍ରାର୍ଥୀଙ୍କ ସଂଖ୍ୟା ୭୬ ପ୍ରତିଶତ ଥିଲା।
୧୯୯୮ରେ ଅମାନତ ଅର୍ଥ ପରିମାଣ ବୃଦ୍ଧି ପାଇବାରୁ ସ୍ୱାଧିନ ପ୍ରାର୍ଥୀଙ୍କର ନିର୍ବାଚନରେ ଅଂଶ ଗ୍ରହଣ କରିବା ସଂଖ୍ୟା ହ୍ରାସ ପାଇଥିଲା। କେବଳ ସେତିକି ନୁହେଁ ଏହି ସ୍ୱାଧିନ ପ୍ରାର୍ଥୀମାନେ ମୋଟ ୧୦୦ ଭୋଟ ପାଇପାରିନଥିଲେ। ନିର୍ବାଚନ ପ୍ରଚାର ଏତେ ପରିମାଣରେ ବୃଦ୍ଧି ପାଇଛି ଯେ ଆଉ କୌଣସି ସ୍ୱାଧିନ ପ୍ରାର୍ଥୀ ନିର୍ବାଚନ ଲଢ଼ିବା ସମ୍ଭବ ହୋଇପାରୁନାହିଁ।