୯୦ କୋଟି ଟପିବେ ଇଣ୍ଟରନେଟ୍ ୟୁଜର୍ସ
ନୂଆଦିଲ୍ଲୀ(ଓଟି): ଆଉ ୩ବର୍ଷ ମାତ୍ର। ଆସନ୍ତା ୨୦୨୩ ସୁଦ୍ଧା ଭାରତରେ ଇଣ୍ଟର୍ନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ବୃଦ୍ଧି ପାଇ ୯୦.୭ କୋଟିରେ ପହଞ୍ଚିଯିବ। ପ୍ରାଦ୍ୟୋଗୀକି କମ୍ପାନୀ ସିସ୍କୋ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି। ୨୦୧୮ରେ ଦେଶରେ ମୋଟ ୩୯.୮ କୋଟି ଲୋକ ଇଣ୍ଟର୍ନେଟ୍ର ଉପଯୋଗ କରୁଥିଲେ। ସିସ୍କୋର ରିପୋର୍ଟରେ କୁହାଯାଇଛି ଯେ, ୨୦୨୩ ସୁଦ୍ଧା ଦେଶରେ ଇଣ୍ଟର୍ନେଟ୍ ସହ ଜଡ଼ିତ ଉପକରଣ ୨୧୦ କୋଟି ପର୍ଯ୍ୟନ୍ତ ପହଞ୍ଚିବ। ଏଥିମଧ୍ୟରୁ ଏକଚତୁର୍ଥାଂଶ ମେସିନ୍ରୁ ମେସିନ୍ (ଏମ୍୨ଏମ୍) ମଡ୍ୟୁଲ୍ଯୁକ୍ତ ଯନ୍ତ୍ର ହେବ। ସେହି ସମୟରେ ଦେଶରେ ମୋବାଇଲ୍ ଉପଯୋଗକାରୀଙ୍କ ସଂଖ୍ୟା ୯୬.୬ କୋଟିରେ ପହଞ୍ଚିବ ଯାହାକି ମୋଟ ଜନସଂଖ୍ୟାର ୬୮ ପ୍ରତିଶତ। ୨୦୧୮ରେ ଏହି ସଂଖ୍ୟା ୭୬.୩ କୋଟି ବା ମୋଟ ଜନସଂଖ୍ୟାର ୫୬% ଥିଲା । ସେହିପରି ଆଉ ୩ବର୍ଷ ବେଳକୁ ପ୍ରତି ୨୦ ଜଣଙ୍କ ମଧ୍ୟରେ ଜଣେ ଲୋକ ୫ଜି କନେକ୍ସନ୍ ରଖିଥିବେ ବୋଲି କୁହାଯାଇଛି।