କରୋନା କ୍ରିଟିକାଲ୍: ଆଲୋକ ଦେଖାଇଲେ ଭାରତୀୟ ବୈଜ୍ଞାନିକ
ନୂଆଦିଲ୍ଲୀ(ଓଟି): ପୁଣି ଜଣେ ଭାରତୀୟ ବିଶେଷଜ୍ଞ ସାରା ବିଶ୍ଵକୁ ଆଲୋକ ଦେଖାଇଛନ୍ତି। ଫଳରେ ବିଶ୍ଵ ବ୍ୟାପୀ ନୂତନ ଆଶା ସଞ୍ଚାର ହୋଇଛି। ମାରାତ୍ମକ ଭୂତାଣୁ କରୋନା ଭଲ ହୋଇପାରିବ ବୋଲି ସମ୍ଭାବନା ସୃଷ୍ଟି ହୋଇଛି। ଅଷ୍ଟ୍ରେଲିଆରେ ଗବେଷଣା କରୁଥିବା ସମ୍ପୃକ୍ତ ପ୍ରବାସୀ ଭାରତୀୟ ବୈଜ୍ଞାନିକ ହେଉଛନ୍ତି ପ୍ରଫେସର ଏସ୍ଏସ୍ ଭାସନ୍।
ସୂଚନାଯୋଗ୍ୟ ଯେ କରୋନା ଆତଙ୍କରେ ବିଶ୍ଵ ଥରହର। ଏଥିରୁ ବର୍ତ୍ତିବା ପାଇଁ ଏବଂ ଏହି ରୋଗ ନିରାକରଣ ଲାଗି ବିଭିନ୍ନ ଦେଶର ବୈଜ୍ଞାନିକମାନେ ଗବେଷଣା ଚଳାଇଛନ୍ତି। ଏହିକ୍ରମରେ ଅଷ୍ଟ୍ରେଲିଆର ଏକ ଗବେଷଣା ସଂସ୍ଥାରେ ପ୍ରଫେସର ଭାସନ୍ କରୋନାର ପ୍ରତିଷେଧକ ଉଦ୍ଭାବନ କରିଛନ୍ତି। ଏନେଇ ଖବର ପ୍ରକାଶ ପାଇବା ପରେ ସାରା ବିଶ୍ଵରେ ନୂଆ ଆଲୋକ ସଞ୍ଚରି ଯାଇଛି। ଅଷ୍ଟ୍ରେଲିଆର କମନ୍ୱେଲ୍ଥ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ସିଏସ୍ଆଇଆର୍ଓ) ଲାବ୍ରେ କରୋନା ଭାଇରସ ସମ୍ପର୍କରେ ଗବେଷଣା କରାଯାଉଥିବାବେଳେ ଗତ ସପ୍ତାହରେ ଜଣେ ଆକ୍ରାନ୍ତ ବ୍ୟକ୍ତିଙ୍କ ନମୁନାରୁ ମିଳିଥିବା ଭୂତାଣୁକୁ ପୃଥକୀକରଣ ବା ଆଇସୋଲେଟ୍ କରିବାରେ ପ୍ରଫେସର ଭାସନ ଓ ତାଙ୍କ ଟିମ୍ ସଫଳ ହୋଇଥିଲେ। ଏହାଦ୍ଵାରା ଖୁବ୍ଶୀଘ୍ର କରୋନାର ପ୍ରତିଷେଧକ ବାହାର କରିହେବ ଏବଂ ଏନେଇ ଅଧିକ ଗବେଷଣା ଚାଲିଛି ବୋଲି ସେ କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଡେଙ୍ଗୁ, ଚିକେନଗୁନିଆ ଏବଂ ଜିକା ଭଳି ଭାଇରସ୍ ନିରାକରଣ ପାଇଁ ପ୍ରଫେସର ଭାସନ କାମ କରିସାରିଛନ୍ତି।
ସହାୟତାର ହାତ ବଢ଼ାଇଲା ଆମେରିକା
ଚୀନରୁ ବିଶ୍ଵର ଚଉଦିଗକୁ ବ୍ୟାପିଥିବା ମାରାତ୍ମକ କରୋନା ଭାଇରସ୍ ଲାଗି ଆତଙ୍କ ଥମିବାର ନାଁ ଧରୁନି। ଇତିମଧ୍ୟରେ ଚୀନରେ ୭୨୨ ଜଣଙ୍କ ପ୍ରାଣ ଚାଲିଗଲାଣି। ସେହିପରି ୩୫ ହଜାରରୁ ଅଧିକ ଆକ୍ରାନ୍ତ ହୋଇପଡ଼ିଛନ୍ତି। ଏଭଳି ସ୍ଥିତିରେ କରୋନା ବିପତ୍ତିକୁ ଟାଳିବା ପାଇଁ ଆମେରିକା ସହାୟତାର ହାତ ବଢ଼ାଇଛି। ଚୀନ ସମେତ ଅନ୍ୟ ଦେଶକୁ ଆମେରିକା ସରକାର ୧୦୦ ମିଲିୟନ ଡଲାର ସହାୟତା ଘୋଷଣା କରିଛନ୍ତି। ଶୁକ୍ରବାର ରାତିରେ ଆମେରିକା ପରରାଷ୍ଟ୍ର ସଚିବ ମାଇକ ପୋମ୍ପେଓ ଏହି ଘୋଷଣା କରିଛନ୍ତି।