ମା’ ଭୂମିକାରେ ନର୍ସ; ସାରା ଦେଶରୁ ମିଳୁଛି #ସଲାମ

ନୂଆଦିଲ୍ଲୀ (ଓଟି): ମହାମାରୀ ଭୂତାଣୁ ଭୟ କାହାକୁ ଅବା ନାହିଁ। କିନ୍ତୁ ଡାକ୍ତର ଓ ନର୍ସମାନେ ଏଭଳି ସ୍ଥିତିରେ ଅସଲ ଯୋଦ୍ଧା ସାଜିଛନ୍ତି। ନିଜ ଜୀବନକୁ ବିପଦରେ ପକାଇ ରୋଗୀ ସେବାରେ ଆଦୌ ହେଳା କରିନାହାନ୍ତି। ଏଭଳି ସ୍ଥିତିରେ ଦେଶର କେତେକ ନର୍ସ ଆହୁରି ପାଦେ ଆଗକୁ ବଢ଼ି ଉତ୍ସର୍ଗୀକୃତ ସେବାର ଶୀର୍ଷ ନିଦର୍ଶନ ପ୍ରତିପାଦନ କରିପାରିଛନ୍ତି। ସାକ୍ଷାତ ମା’ର ଭୂମିକା ନିର୍ବାହ ପାଇଁ ସାରା ଦେଶରୁ ସଲାମ… ସଲାମ… ଶୁଭେଚ୍ଛା ସେମାନଙ୍କ ଉଦ୍ଦେଶ୍ୟରେ ଦିଆଯାଉଛି।

ସୂଚନା ଅନୁସାରେ ଛତିଶଗଡ଼ର କୋରବା ଜିଲ୍ଲାର କାଟଘୋରା ସମ୍ପ୍ରତି କରୋନାର ହଟସ୍ପଟ ହୋଇସାରିଛି। ବହୁ ସଂଖ୍ୟାରେ କରୋନା ପଜିଟିଭ୍ ମାମଲା ସେଠାରେ ରହିଛି। ସେହିପରି ସମ୍ପୃକ୍ତ ଅଞ୍ଚଳରେ ଏକ ପରିବାର କରୋନାରେ ଆକ୍ରାନ୍ତ ହୋଇଯାଇଛନ୍ତି। ଜଣଙ୍କ ପରେ ଜଣେ କରୋନାରେ ସଂକ୍ରମିତ ହେବା ପରେ ସେମଧ୍ୟରେ ଦୁଇ ମହିଳା ରହିଛନ୍ତି। ଏପରିକି ଜଣେ ମହିଳାଙ୍କ ଶିଶୁଟିଏ ଥିବାବେଳେ ସେ ଚାହିଁଲେ ମଧ୍ୟ ନିଜ ସନ୍ତାନକୁ କ୍ଷୀର ଦେଇପାରୁନାହାନ୍ତି। ପୁଣି ସପରିବାର କରୋନା ଆକ୍ରାନ୍ତ ଯୋଗୁଁ ପିଲାର ଯତ୍ନ ନେବାକୁ ମଧ୍ୟ କେହି ନାହିଁ। ଏଭଳି ଜଟିଲ ପରିସ୍ଥିତିରେ ପିଲାଟିର ମା’ ସାଜିଛନ୍ତି ମେଡିକାଲର ନର୍ସମାନେ। ଏମ୍ସ ମେଡିକାଲରେ ନର୍ସମାନେ ଶିଶୁଟି ପାଇଁ ମା’ର କର୍ତ୍ତବ୍ୟ ପାଳନ କରିବା ସହ କ୍ଷୀରପାନ କରାଉଛନ୍ତି। ଡାକ୍ତରଖାନାରୁ ସାମ୍ନାକୁ ଆସିଥିବା ଏକ ଚିତ୍ର ପାଇଁ ସାରା ଦେଶରୁ ସମ୍ପୃକ୍ତ ନର୍ସମାନଙ୍କୁ ଶହଶହ ଶୁଭେଚ୍ଛା ଜ୍ଞାପନ କରାଯାଉଛି।

ସମସ୍ତଙ୍କ ମୁହଁରେ ଗୋଟିଏ କଥା- ବାଃ! ସଲାମ୍…

Leave a Reply

Your email address will not be published. Required fields are marked *