ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ୍ ୨୦୧୯ ପାଇଁ ଭିଡ଼ ଜମାଇଲେଣି ତାରକା
ମେଲବର୍ଣ୍ଣରେ ୮ ତାରିଖ(ଗୁରୁବାର)ରେ ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲର ଶୁଭାରମ୍ଭ କରାଯାଇଛି । ମେଲବର୍ଣ୍ଣଠାରେ ଅନୁଷ୍ଠିତ ଏହି ବର୍ଣ୍ଣାଢ୍ୟ ଉତ୍ସବ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତବର୍ଷ ଏହି ଉତ୍ସବରେ କିଙ୍ଗଖାନ୍ ଶାହରୁଖ୍ ଗେଷ୍ଟ୍ ଅଫ୍ ଅନର୍ ଭାବେ ଆମନ୍ତ୍ରୀତ ହୋଇଛନ୍ତି । ବଲିଉଡ୍ ତାରକାଙ୍କ ମେଳରେ ଏହି ଉତ୍ସବ ବେଶ୍ ରଙ୍ଗୀନ୍ ହୋଇଉଠିଛି । ଆସନ୍ତା ଅଗଷ୍ଟ ୧୫ ତାରିଖ ଭିତରେ ଏହି ଉତ୍ସବରେ ଭାରତର ୨୨ରୁ ଊଦ୍ଧ୍ୱର୍ ଭାଷାର ୬୦ଟି ଫିଲ୍ମ ପ୍ରଦର୍ଶିତ କରାଯିବ । ପ୍ରତ୍ୟେକ ଫିଲ୍ମର ପ୍ରଦର୍ଶନ ପରେ ଦର୍ଶକ ନିଜ ଅଭିନେତା ବା ଅଭିନେତ୍ରୀଙ୍କୁ ଫିଲ୍ମ ସମ୍ପର୍କିତ କିଛି ପ୍ରଶ୍ନ ପଚାରିପାରିବେ ।
‘ଆଇଆଇଏଫ୍ଏମ୍ ୨୦୧୯’ (ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ୍ ମେଲବର୍ଣ୍ଣ) ସମ୍ପର୍କରେ ଶାହରୁଖ୍ କହିଛନ୍ତି ଯେ – ‘ମୁଁ ୧୨ ବର୍ଷ ପୂର୍ବେ ଏଠାକୁ ଆସିଥିଲି । ଅଷ୍ଟ୍ରେଲିଆରେ ଭାରତୀୟ ସିନେମାର ପ୍ରଚାର ଓ ପ୍ରସାର ପାଇଁ ଏଭଳି ଏକ ଉତ୍ସବର ଆୟୋଜନ କରିଥିବାରୁ ମୁଁ ଆୟୋଜକଙ୍କୁ କୃତଜ୍ଞତା ଜ୍ଞାପନ କରୁଛି । ବଲିଉଡର ସମସ୍ତ କଳାକାର ଓ ତାରକାଙ୍କ ପକ୍ଷରୁ ମୁଁ ଧନ୍ୟବାଦ ଜଣାଉଛି’ । ଏହି ଉତ୍ସବର ବିଶେଷ ଆକର୍ଷଣ ହେଉଛି ଡ୍ୟାନ୍ସ କମ୍ପିଟେସନ୍, ଯେଉଁଥିରେ ମଲାଇକା ଅରୋଡ଼ାଙ୍କୁ ଦେଖିବାକୁ ମିଳିବ । ଚଳିତବର୍ଷ ଏହି ଉତ୍ସବରେ କେଉଁସବୁ ଫିଲ୍ମ ପୁରସ୍କୃତ ହେବ, ସେ ସମ୍ପର୍କରେ ଜାଣିବା ପାଇଁ ସିନେପ୍ରେମୀଙ୍କ ଉତ୍କଣ୍ଠା ବଢ଼ିଚାଲିଛି ।