କେନ୍ଦ୍ରମନ୍ତ୍ରୀ ଓ ଅଧିକାରୀଙ୍କ ଅଫିସରେ କାର୍ଯ୍ୟ ଆରମ୍ଭ
ନୂଆଦିଲ୍ଲୀ (ଓଟି): କେନ୍ଦ୍ରମନ୍ତ୍ରୀ ଓ ସମ୍ପୃକ୍ତ ଅଧିକାରୀବୃନ୍ଦ ଆଜିଠାରୁ ନିର୍ଦ୍ଦିଷ୍ଟ ମନ୍ତ୍ରଣାଳୟ କାର୍ଯ୍ୟାଳୟରେ କାମ ଆରମ୍ଭ କରିଛନ୍ତି। କରୋନା ସଂକ୍ରମଣ ରୋକିବା ପାଇଁ ଓ ଲକଡାଉନ୍ କାରଣରୁ ସମସ୍ତ ଅଧିକାରୀଙ୍କୁ ଘରେ ରହି କାମ କରିବାକୁ କୁହାଯାଉଥିଲା। ତେବେ ସୋମବାରଠାରୁ ଅଫିସ୍ରେ ଯୋଗଦେବାକୁ ଗତ ଶୁକ୍ରବାର କୁହାଯାଇଥିଲା। ତେବେ କାର୍ଯ୍ୟାଳୟରେ ତଥା ଅଧିକାରୀଙ୍କ ମଧ୍ୟରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଛି। ସେହିପରି ଅଫିସରେ ପ୍ରବେଶରେ ପୂର୍ବରୁ ସମସ୍ତଙ୍କ ସ୍କ୍ରିନିଂ କରାଯାଉଛି।
ଅନ୍ୟପକ୍ଷରେ କରୋନା ଆତଙ୍କ ପାଇଁ ଦେଶରେ ଲକଡାଉନ୍ ଜାରି ରହିଥିବାବେଳେ ଅର୍ଥନୀତି ଧିମେଇ ଯାଇଛି। ଏହାକୁ ଗତିଶୀଳ କରିବା ପାଇଁ ଅଧିକାରୀଙ୍କୁ କାର୍ଯ୍ୟାଳୟରେ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି। ଲକଡାଉନ ସମୟରେ ସ୍ୱାସ୍ଥ୍ୟ, ଶିକ୍ଷା, ଅର୍ଥ, ଗ୍ରାମ୍ୟ ବିକାଶ, କୃଷି ଆଦି ମନ୍ତ୍ରଣାଳୟ ସକ୍ରିୟ ଭାବେ କାମ କରୁଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ, ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କ ବ୍ୟତୀତ ନରେନ୍ଦ୍ର ସିଂ ତୋମାର, ନିର୍ମଳା ସୀତାରମଣ, ଅନୁରାଗ ଠାକୁର ପ୍ରମୁଖ କେନ୍ଦ୍ରମନ୍ତ୍ରୀ ଅଫିସରେ କାର୍ଯ୍ୟ କରୁଛନ୍ତି। ସେହିପରି ଯୁଗ୍ମ ସଚିବ ପାହ୍ୟାର ଅଫିସର ମନ୍ତ୍ରଣାଳୟରେ କାମ ଆରମ୍ଭ କରିଛନ୍ତି।