#କୋଭିଡ୍-୧୯: ସଜାଗ ଭାରତୀୟ ସେନା, ପ୍ରସ୍ତୁତ କଲେ ୯ ହଜାର ବେଡ୍

ନୂଆଦିଲ୍ଲୀ(ଓଟି): ମହାମାରୀ କରୋନା ଆତଙ୍କ ଭିତରେ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି ଭାରତୀୟ ସେନା। କରୋନା ଚିକିତ୍ସା ପାଇଁ ସେନା ବାହିନୀ ପ୍ରସ୍ତୁତ କରିଛନ୍ତି ୯ ହଜାର ବେଡ୍। ଏଥିସହ ୮୫୦୦ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ସହାୟତା ଏଥିପାଇଁ ଅଣ୍ଟା ଭିଡ଼ିଛନ୍ତି। ଏପରିକି ସଶସ୍ତ୍ର ବାହିନୀ ଗତ ୩ ଦିନ ମଧ୍ୟରେ ସାମରିକ ବିମାନ ସାହାଯ୍ୟରେ ୨୫ ଟନ ମେଡିକାଲ ଉପକରଣ ସାରା ଦେଶରେ ଯୋଗାଇଛନ୍ତି।  ଦେଢ଼ଲକ୍ଷ ଲିଟର ସାନିଟାଇଜର ବିଭିନ୍ନ ସଂସ୍ଥାକୁ ଯୋଗାଇଛନ୍ତି। ଏଥିସହ ଡିଆରଡିଓ ପକ୍ଷରୁ ୫ ସ୍ତର ବିଶିଷ୍ଟ ଏନ୍୯୯ ମାସ୍କ ମଧ୍ୟ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି।

କରୋନା ଚିକିତ୍ସା ପାଇଁ ୨୮ଟି ହସ୍ପିଟାଲରେ ୯ ହଜାର ବେଡ୍‌ ବ୍ୟବସ୍ଥା କରାଯାଇଥିବା ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ ରାୱତ କହିଥିବାବେଳେ ବାୟୁସେନା ମୁଖ୍ୟ କର୍ମବୀର ସିଂହ କହିଛନ୍ତି ଯେ ଦିଲ୍ଲୀ, ସୁରଟ, ଚଣ୍ଡୀଗଡ଼, ମଣିପୁର, ନାଗାଲାଣ୍ଡ, ଜମ୍ମୁ କଶ୍ମୀର ଏବଂ ଲଦାଖ କ୍ଷେତ୍ରରେ ୨୫ ଟନ ମେଡିକାଲ ଉପକରଣ ଯୋଗାଇ ଦିଆଯାଇଛି।

ସୂଚନା ଅନୁସାରେ ଡିଆରଡିଓ ସମେତ ୩ ସେନାବାହିନୀକୁ ସମସ୍ତ ଆବଶ୍ୟକ ବ୍ୟବସ୍ଥା କରିବାକୁ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଆଦେଶ ଦେଇଛନ୍ତି। ମେଡିକାଲ ଉପକରଣ ଷ୍ଟକ ରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଡିଆରଡିଓ ମୁଖ୍ୟ ଡାକ୍ତର ସତୀଶ ରେଡ୍ଡୀ କହିଛନ୍ତି ଯେ, ସଂସ୍ଥା ପକ୍ଷରୁ ୧୦ ହଜାର ଏନ୍୯୯ ମାସ୍କ ତିଆରି ହୋଇସାରିଲାଣି। ଖୁବ୍‌ଶୀଘ୍ର ତାଙ୍କ ସଂସ୍ଥା ଦିନକୁ ୨୦ ହଜାର ମାସ୍କ ତିଆରି କରିବ। ଇତିମଧ୍ୟରେ ଦିଲ୍ଲୀ ପୁଲିସକୁ ମାସ୍କ ଯୋଗାଇ ଦିଆଯାଇଛି। ଏପରିକି ଗୋଟିଏ ଭେଣ୍ଟିଲେଟର ଏକାଥରକେ ୪ଜଣ ରୋଗୀଙ୍କ ବ୍ୟବହାରରେ ଲାଗିପାରିବା ଭଳି ଉଦ୍ୟମ କରାଯାଉଛି।

Leave a Reply

Your email address will not be published.