‘ବ୍ୟର୍ଥ ଯିବନି ବଳିଦାନ’
ନୂଆଦିଲ୍ଲୀ (ଓଟି): ସହିଦମାନଙ୍କ ବଳିଦାନ କେବେ ବ୍ୟର୍ଥ ଯିବନି। ସେହିପରି ବୀରଗଣଙ୍କୁ ଏ ଦେଶ କେବେ ମଧ୍ୟ ଭୁଲିବ ନାହିଁ। ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ସ୍ମରଣ ପୂର୍ବକ ସହିଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପରୋକ୍ତ ମତବ୍ୟକ୍ତ କରିଛନ୍ତି।
ସୂଚନାଯୋଗ୍ୟ ଯେ ପୁଲୱାମା ଆକ୍ରମଣ ଘଟଣାକୁ ବର୍ଷେ ପୂରିବା ଅବସରରେ ସହିଦମାନଙ୍କୁ ଦେଶର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଅବସରରେ ଜମ୍ମୁ କଶ୍ମୀରର ଲେଥପୁରାସ୍ଥିତ ସିଆରପିଏଫ କ୍ୟାମ୍ପରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିବାବେଳେ ଏକ ସ୍ମାରକୀ ପୀଠ ମଧ୍ୟ ଉଦଘାଟିତ ହୋଇଯାଇଛି। ଉକ୍ତ ସ୍ମାରକୀରେ ସହିଦମାନଙ୍କ ନାମ ସହ ଫଟୋ ରହିଛି। ଏପରିକି ସିଆରପିଏଫ୍ର ଉତ୍ସର୍ଗୀକୃତ ସ୍ଲୋଗାନ ‘ସେବା ଏବଂ ନିଷ୍ଠା’ ମଧ୍ୟ ଉଲ୍ଲେଖ ରହିଛି। ଅନ୍ୟପକ୍ଷରେ ଉକ୍ତ ଶ୍ରଦ୍ଧାଞ୍ଜଳି ସଭାକୁ ଗୋପୀନାଥ ଯ।ଦବ ନାମକ ବ୍ୟକ୍ତିଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା। ବେଙ୍ଗାଲୁରୁର ଗୋପୀନାଥ ଦେଶସାରା ବୁଲି ସହିଦଙ୍କ ଘରକୁ ଯାଇ କଳସରେ ମାଟି ଆଣି ଏକତ୍ରିତ କରିଥିଲେ। ଜଣେ ମ୍ୟୁଜିସିଆନ ଓ ଫାର୍ମାସିଷ୍ଟ ଭାବେ କାମ କରୁଥିବା ଗୋପୀନାଥ ସହିଦମାନଙ୍କ ପରିବାରକୁ ଭେଟିବା ପାଇଁ ୬୧ ହଜାର କିଲୋମିଟର ଭ୍ରମଣ କରିଥିଲେ। ତାଙ୍କର ଏଭଳି ଦେଶପ୍ରୀତି ଓ ସହିଦ ଯବାନଙ୍କ ପ୍ରତି ସମ୍ମାନକୁ ଗୁରୁତ୍ଵ ଦିଆଯାଇ ସିଆରପିଏଫର ସ୍ପେଶାଲ ଡିଜି ଜୁଲ୍ଫିକାର ହସନ ସ୍ୱତନ୍ତ୍ର ଭାବରେ ନିମନ୍ତ୍ରଣ କରିଥିଲେ।
ପ୍ରକାଶଯୋଗ୍ୟ ଯେ ଗତବର୍ଷ ଫେବ୍ରୁଆରୀ ୧୪ରେ ସିଆରପିଏଫର ୨୫୪୭ ଜଣ ସୁରକ୍ଷା କର୍ମୀ ୭୮ଟି ବସରେ ଜମ୍ମୁରୁ ଶ୍ରୀନଗର ଯାଉଥିଲେ। ତେବେ ୭୬ ସିଆରପିଏଫ ବାଟାଲିୟନର ଏଚ୍ଆର୍ ୪୯ଏଫ୍ ୦୬୩୭ ବସ୍ ଉପରେ ଆତ୍ମଘାତୀ ଆକ୍ରମଣ ହୋଇଥିଲା। ଆକ୍ରମଣରେ ୪୦ ଯବାନ ସହିଦ୍ ହୋଇଯାଇଥିଲେ। ସେ ମଧ୍ୟରେ ଦୁଇ ଓଡ଼ିଆ ଯବାନ ମଧ୍ୟ ରହିଥିଲେ।