ଇଣ୍ଡିଆ ଟୁଡେ ପଲିଟିକାଲ ଏକ୍ସଚେଞ୍ଜ ସର୍ଭେ : ନବୀନ ସର୍ବାଧିକ ଲୋକପ୍ରିୟ

ଗତକାଲି ଟାଇମ୍ସ ନାଓ-ଭିଏମଆର ଜନମତ ସର୍ଭେ ପ୍ରକାଶ ପାଇବାର ୨୪ଘଣ୍ଟା ମଧ୍ୟରେ ଆଜି ଇଣ୍ଡିଆ ଟୁଡେ଼ ପଲିଟିକାଲ ଏକ୍ସଚେଞ୍ଜ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଗତକାଲି ଟାଇମ୍ସ ନାଓ-ଭିଏମଆର ରିପୋର୍ଟକୁ ଏଥିରେ ଖାରଜ କରିଦିଆଯାଇଛି। ଇଣ୍ଡିଆ ଟୁଡେ ପଲିଟିକାଲ ଏକ୍ସଚେଞ୍ଜ ପକ୍ଷରୁ କରାଯାଇଥିବା ଏକ ଜନମତ ସର୍ଭେ ଅନୁସାରେ ୨୦୦୦ ମସିହାରୁ ମୁଖ୍ୟମନ୍ତ୍ରୀତ୍ୱରେ ଥିବା ନବୀନ ପଟ୍ଟନାୟକ ବର୍ତ୍ତମାନ ମଧ୍ୟ ଲୋକପ୍ରିୟତାର ଶୀର୍ଷରେ ଅଛନ୍ତି। ଯଦିଓ ଗତ ଚାରି ମାସ ମଧ୍ୟରେ ତାଙ୍କର ଲୋକପ୍ରିୟତାରେ ସାମାନ୍ୟ ହ୍ରାସ ଘଟିଛି ତଥାପି ସେ ରାଜ୍ୟର ଅନ୍ୟନେତାଙ୍କ ଠାରୁ ଆଗରେ ଅଛନ୍ତି।

ଜାନୁଆରି ମାସରେ ହୋଇଥିବା ସର୍ଭେ ରିପୋର୍ଟ ଅନୁସାରେ ପ୍ରାୟ ୫୨ ପ୍ରତିଶତ ଅଂଶଗ୍ରହଣକାରୀ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି। ୨୦୧୮ ସେପ୍ଟେମ୍ବର ଓ ନଭେମ୍ବରରେ ଏହି ସମର୍ଥନ ଯଥାକ୍ରମେ ୫୪ ଓ ୫୯ ପ୍ରତିଶତ ଥିଲା।

ମୁଖ୍ୟମନ୍ତ୍ରୀ ପସନ୍ଦରେ ରାଜ୍ୟବାସୀଙ୍କ ମନରେ ଏବେ ବି ନମ୍ବନ ୱାନ ଅଛନ୍ତି ନବୀନ ପଟ୍ଟନାୟକ। ଇଣ୍ଡିଆ ଟୁଡ଼େ ପଲିଟିକାଲ ଷ୍ଟକ ଏକ୍ସଚେଞ୍ଜ ସର୍ଭେ ତାଲିକାରେ ନବୀନ ମୁଖ୍ୟମନ୍ତ୍ରୀ ପସନ୍ଦ ତାଲିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପିସିସି ସଭାପତି ନିରଞ୍ଜନ ପଟନାୟକଙ୍କୁ ବହୁ ପଛରେ ପକାଇଛନ୍ତି । ରାଜ୍ୟ ବିଜେପିର ମଙ୍ଗୁଆଳ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଛରେ ପକାଇ ନବୀନଙ୍କୁ ୫୨% ସହ ଏକ ନମ୍ବର ସ୍ଥାନରେ ରଖିଛନ୍ତି ରାଜ୍ୟବାସୀ । ଏହି ସର୍ଭେ ରିପୋର୍ଟ ଅନୁସାରେ ରାଜ୍ୟରେ ନବୀନଙ୍କ ବାଦ୍ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୬%, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ୮%, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ୧% ଏବଂ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କୁ ମାତ୍ର ୧% ଲୋକ ମୁଖ୍ୟମନ୍ତ୍ରୀ ଭାବେ ପସନ୍ଦ କରୁଛନ୍ତି ।

ଅନପକ୍ଷରେ ସଂଖ୍ୟାଧିକ ଓଡ଼ିଶାବାସୀ ନରେନ୍ଦ୍ର ମୋଦିଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଆଶା ପ୍ରକାଶ କରୁଛନ୍ତି। ଜାନୁଆରିରେ ସଂଗୃହୀତ ତଥ୍ୟ ଅନୁସାରେ ୫୮ ପ୍ରତିଶତ ଅଂଶଗ୍ରହଣକାରୀ ନରେନ୍ଦ୍ର ମୋଦିଙ୍କୁ ନିର୍ବାଚିତ କରିବା ସପକ୍ଷରେ ଅଛନ୍ତି। ଏହି ତଥ୍ୟ ଅନୁସାରେ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ୨୦ ପ୍ରତିଶତ ଓ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ଭାବେ ୧୦ ପ୍ରତିଶତ ଦେଖିବାକୁ ଚାହାନ୍ତି।

Leave a Reply

Your email address will not be published.