ପ୍ରତିଶ୍ରୁତି ରକ୍ଷାରେ ବିଫଳ ହୋଇଛନ୍ତି ଚୀନ୍‌ କମ୍ପାନୀ, ଟେଷ୍ଟ କିଟ୍‌ ଫେରାଯିବ: ଆଇସିଏମ୍‌ଆର୍‌

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  କରୋନା ଭୁତାଣୁ ବା ନୋଭେଲ୍‌ କରୋନା ଭୁତାଣୁକୁ ଆମେରିକା ଚୀନ୍‌ ଭାଇରସ୍‌ ବୋଲି ଆଖ୍ୟା ଦେଇଛି। ଯଦିଓ ଭାରତ ଏ ସମ୍ପର୍କରେ କିଛି ମତ ରଖି ନାହିଁ କିନ୍ତୁ ଚୀନରୁ ଜନ୍ମ ନେଇଥିବା ଏହି ଭୁତାଣୁର ସଂକ୍ରମଣ ବାବଦରେ ଜାଣିବା ଲାଗି ଚୀନ ଭାରତକୁ ପ୍ରଦାନ କରିଥିବା ଦ୍ରୁତ ପରୀକ୍ଷଣ ଟେଷ୍ଟ କିଟ୍‌ ବା ଆଣ୍ଟିବଡି କରୋନା ଟେଷ୍ଟ୍‌ କିଟ୍‌ ଗୁଡ଼ିକରୁ ଅଧିକାଂଶ ତ୍ରୁଟିପୂଣ୍ଣ ଜଣାପଡ଼ିଛି। ଭାରତର ମେଡିକାଲ୍‌ ଗବେଷଣା ପରିଷଦ ଆଇସିଏମ୍‌ଆର୍‌ଙ୍କ ସୂଚନା ଅନୁସାରେ ଚୀନର ଦୁଇଟି କମ୍ପାନୀ ଯୋଗାଇଥିବା ପରୀକ୍ଷଣ କିଟ୍‌ ତ୍ରୁଟିପୂଣ୍ଣ ରହିଛି। ଏହି କମ୍ପାନୀମାନେ କିଟ୍‌ ପ୍ରଦାନ ବେଳେ ଯେଉଁ ଆଶ୍ଵାସନା ଦେଇଥିଲେ ତାହା ଉଲ୍ଲଂଘନ ହୋଇଛି ବୋଲି ଆଇସିଏମ୍‌ଆର ଜଣାଇଛନ୍ତି। ପରୋକ୍ଷରେ ଚୀନ କମ୍ପାନୀମାନଙ୍କ ଦ୍ଵାରା ଏହା ଏକ ବଡ଼ ଧରଣର ଧୋକା ବୋଲି ବିବେଚିତ ହୋଇଛି।

ଏପ୍ରିଲ୍‌ ୨୧ ତାରିଖ ଦିନ ଆଇସିଏମ୍‌ଆର୍‌ ରାଜ୍ୟଗୁଡ଼ିକରୁ ଟେଷ୍ଟ କିଟ୍‌ରେ ଭୁଲ୍‌ ଫଳାଫଳ ବାହାରୁଥିବା ଅଭିଯୋଗ ପାଇଁ ଏହି ପରୀକ୍ଷଣ ସ୍ଥଗିତ ରଖିବାକୁ ପାଇଁ ଆଦେଶ ଦେଇଥିଲେ। ଓଡ଼ିଶାରେ ମଧ୍ୟ ୪୯୭୫ଟି ନମୁନା ଏହି ଦ୍ରୁତ ପରୀକ୍ଷଣ କିଟ୍‌ ଦ୍ଵାରା ହୋଇଥିଲା। ହେଲେ ଏସବୁର ଫଳାଫଳକୁ ବାତିଲ୍‌ କରାଯାଇଛି।

ଆଜି ପରିଷଦ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ ଏ ବିଷୟ ସ୍ପଷ୍ଟ କରାଯାଇଛି। ଏଥିରେ କୁହାଯାଇଛି ଯେ, ଚୀନର ଗୁୱାଗ୍‌ଜୋଉ ୱଙ୍ଗ୍‌ଫୋ ବାୟୋଟେକ୍‌ ଏବଂ ଝୁଆଇ ଲିଭ୍‌ଜୋନ୍‌ ଡାଏଗ୍ନୋଷ୍ଟେିକ୍‌ ଦ୍ଵାରା ଦିଆଯାଇଥିବା କିଟ୍‌ର ମାନକ ପରୀକ୍ଷଣ କରାଯାଇଛି। ଯେଉଁ ଫଳାଫଳ ଆସିଛି ସେଥିରେ ସେନ୍ସିଟିଭିଟିର ଅନେକ ପାର୍ଥକ୍ୟ ରହିଛି। ସର୍ଭିଲାନ୍ସ ପାଇଁ ଉଦ୍ଦିଷ୍ଟ ଏହି ପରୀକ୍ଷଣ କିଟ୍‌ ପ୍ରଦାନ ପୂର୍ବରୁ ଯେଉଁ ପ୍ରତିଶୁତି ଦେଇଥିଲେ ତାହା ଏଥିରେ ପୂରଣ ହୋଇ ନାହିଁ।

ଏହି ତ୍ରୁଟିକୁ ଲକ୍ଷ୍ୟ କରି ରାଜ୍ୟ ସରକାରମାନଙ୍କୁ ସେମାନଙ୍କ ପାଖରେ ମହଜୁଦ୍‌ ଆଣ୍ଟିବଡି କିଟ୍‌କୁ ଫେରସ୍ତ କରିବାକୁ ଆଦେଶ ଦିଆଯାଇଛି। ଏଗୁଡ଼ିକୁ ସମ୍ପୃକ୍ତ ପ୍ରଦାନକାରୀଙ୍କୁ ଫେରସ୍ତ କରାଯିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।

ଆଣ୍ଟିବଡି କିଟ୍‌ଗୁଡ଼ିକର ଏହି ଅବସ୍ଥାକୁ ଦେଖି ଆଇସିଏମ୍‌ଆର୍‌ ରାଜ୍ୟମାନଙ୍କୁ ନିର୍ଭରଯୋଗ୍ୟ ଆର୍‌ଟିପିସିଆର୍‌ ପରୀକ୍ଷାକୁ ବ୍ୟାପକ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ଏହି ପରୀକ୍ଷଣ ଭୁତାଣୁକୁ ଖୁବ୍‌ ଶୀଘ୍ର ଧରିବାରେ ସହାୟକ ହୋଇଥାଏ। ଏହାଦ୍ଵାରା ସମ୍ପୃକ୍ତ ସଂକ୍ରମିତ ବ୍ୟକ୍ତିଙ୍କୁ ତୁରନ୍ତ ଏକାନ୍ତୀକରଣ ସୁଯୋଗ ପ୍ରଦାନ କରିଥାଏ ବୋଲି ଆଇସିଏମ୍‌ଆର୍‌ କହିଛନ୍ତି।

ଆଇସିଏମ୍‌ଆର୍‌ର ବିଜ୍ଞପ୍ତିକୁ ଏଠାରେ ଡାଉନ୍‌ଲୋଡ୍‌ କରନ୍ତୁ।  

 

Leave a Reply

Your email address will not be published.