କରୋନା କୋକୁଆ: ଚୀନବାସୀଙ୍କ ଇ-ଭିସା ବାତିଲ୍

ନୂଆଦିଲ୍ଲୀ(ଓଟି): ସାରା ବିଶ୍ଵରେ କରୋନା କୋକୁଆ ଭୟ ଖେଳାଇ ଦେଇଛି। ଚାହୁଁ ଚାହୁଁ ଭାରତ ସମେତ ବିଶ୍ଵର ୨୫ଟି ଦେଶକୁ ଚୀନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ୍‌ ବ୍ୟାପିଯାଇଛି। ଦୀର୍ଘ ୧୭ବର୍ଷ ପରେ ଦେଖାଦେଇଥିବା ଏହି ଆତଙ୍କ ପୂର୍ବ ତୁଳନାରେ ଅଧିକ ଘାତକ ସ୍ଥିତି ସୃଷ୍ଟି କରିବାର ଆଶଙ୍କା ଉପୁଜିଲାଣି। ସୂଚନାଯୋଗ୍ୟ ଯେ ୨୦୦୨ରେ କରୋନା ଭାଇରସ୍ ଚୀନରୁ କିଛି ଦଶେକୁ ବ୍ୟାପିଥିବାବଳେ ସେଥିରେ ୮୦୦ ଜଣ ପ୍ରାଣ ହରାଇଥିଲେ। ସମ୍ପ୍ରତି ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ମଧ୍ୟ ଏହାକୁ ବିଶ୍ଵର ବିଷମ ପରିସ୍ଥିତି ବୋଲି ଘୋଷଣା କରିବା ସହ ସବୁ ଦେଶକୁ ନିଜନିଜର ସତର୍କତା ଅବଲମ୍ବନ କରିବାକୁ ନିର୍ଦେଶ ଦେଇସାରିଲେ। ଏହିକ୍ରମରେ ପୂର୍ବରୁ ଚୀନରେ ପଢୁଥିବା କେରଳ ଜଣେ ଛାତ୍ର କରୋନା ଭାଇରସ୍ ଆକ୍ରାନ୍ତ ଥିବା ଜଣାପଡ଼ିଥିବା ବେଳେ ଆଜି ପୁଣି ଜଣେ ସଂକ୍ରମିତ ବ୍ୟକ୍ତି ଠାବ ହୋଇଛନ୍ତି। ଏହା ଭାରତର ଦ୍ଵିତୀୟ ଆକ୍ରାନ୍ତ ସଂଖ୍ୟା ହୋଇଥିଲେ ମଧ୍ୟ ସାଧାରଣରେ ଆତଙ୍କ ଥମୁନି। ଫଳରେ ସରକାର ମଧ୍ୟ ଆଶୁ ପଦକ୍ଷେପ ନେବାର ବ୍ୟବସ୍ଥା କରୁଚନ୍ତି। ଆଜି କେନ୍ଦ୍ର ସରକାର ଚୀନବାସୀଙ୍କ ଇ-ଭିସା ବାତିଲ କରିଦେଇଛନ୍ତି। ପରିସ୍ଥିତି ଦୃଷ୍ଟିରୁ ସାମୟିକ ଭାବେ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି।

ଭାରତୀୟ ଦୂତାବାସ ପକ୍ଷରୁ ଚୀନବାସୀଙ୍କ ଇ-ଭିସା ବାତିଲ ସମ୍ପର୍କରେସୂଚନା ଦିଆଯାଇଛି। ଏ ସମ୍ପର୍କରେ ଚୀନରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ଟ୍ୱିଟ୍‌ ଜରିଆରେ ମଧ୍ୟ ଜଣାଇ ଦିଆଯାଇଛି। କେତେକ ପରିସ୍ଥିତିକୁ ଲକ୍ଷ୍ୟକରି ଏଭଳି ପଦକ୍ଷେପ ନିଆଯାଇଥିବାବେଳେ ଚୀନରେ ବାସ କରୁଥିବା ଅନ୍ୟ ଦେଶର ନାଗରିକଙ୍କ ପାଇଁ ମଧ୍ୟ ଇ-ଭିସା ବାତିଲ କରାଯାଇଥିବା ଆଡଭାଇଜାରିରେ ଦର୍ଶାଯାଇଛି।

ଫିଲିଫାଇନ୍ସରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ

ଅନ୍ୟପକ୍ଷରେ ଚୀନର ହୁବେଇ ପ୍ରଦେଶ ଉହାନ୍‌ ସହରରୁ ଫିଲିପାଇନ୍ସ ଫେରିଥିବା ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତରେ ପ୍ରାଣ ହରାଇଥିବା ଜଣାପଡ଼ିଛି। ୪୪ ବର୍ଷ ବୟସ୍କ ସମ୍ପୃକ୍ତ ବ୍ୟକ୍ତି ନିମୋନିଆରେ ପୀଡ଼ିତ ଥିବା କୁହାଯାଇଛି।

Leave a Reply

Your email address will not be published. Required fields are marked *