ଆମେରିକାଠୁ ଭାରତ କିଣିବ ୨୪ ‘ରୋମିଓ’
ନୂଆଦିଲ୍ଲୀ(ଓଟି): ଆସନ୍ତା ୨୪ରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ତେବେ ଏହା ପୂର୍ବରୁ ଉଚ୍ଚକ୍ଷମତାସମ୍ପନ୍ନ ୨୪ଟି ଏମ୍ଏଚ୍ ୬୦ଆର୍ ‘ରୋମିଓ’ ସିହାକ ମଲ୍ଟିମିସନ ହେଲିକପ୍ଟର ଆମେରିକାଠାରୁ ଭାରତ କିଣିବ ବୋଲି ଜଣାପଡ଼ିଛି। ଖାଲି ସେତିକି ନୁହେଁ, ୬ଟି ଆପାଚି ହେଲିକପ୍ଟର ମଧ୍ୟ କିଣିବାକୁ ଯୋଜନା କରାଯାଉଛି। ମୋଟି ୩୦ଟି ମିଲିଟାରୀ ହେଲିକପ୍ଟର ପାଇଁ ଆମେରିକା ସହ ୨୫ ହଜାର କୋଟିର ଚୁକ୍ତି ହୋଇଛି।
ସୂଚନାଯୋଗ୍ୟ ଯେ ‘ରୋମିଓ’ ହେଲିକପ୍ଟର ଆମେରିକା, ଅଷ୍ଟ୍ରେଲିଆ, ତୁର୍କୀ ଓ ସ୍ପେନର ସେନାବାହିନୀ ବ୍ୟବହାର କରୁଥିବାବେଳେ ଭାରତୀୟ ନୌସେନାରେ ମଧ୍ୟ ଏହା ସାମିଲ୍ ହେବାକୁ ଯାଉଛି। କ୍ୟାବିନେଟ କମିଟି ଅନ୍ ସିକ୍ୟୁରିଟି (ସିସିଏସ)ର ସୂଚନା ଅନୁଯାୟୀ, ଆସନ୍ତା ସପ୍ତାହରେ ହେଲିକପ୍ଟର କିଣିବାକୁ ଅନୁମୋଦନ ମିଳିଯିବ ଏବଂ ଟ୍ରମ୍ପଙ୍କ ଭାରତ ଗସ୍ତ କାଳରେ ଉକ୍ତ ଚୁକ୍ତିର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ସୂଚନା ଅନୁୟାୟୀ ଏମଏଚ ୬୦ଆର ପାଇଁ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୧୬ ପ୍ରତିଶତ କିସ୍ତି ଦେବାକୁ ପଡ଼ିବ। ଡିଲ୍ ହେବାର ୨ ବର୍ଷ ପରେ ହେଲିକପ୍ଟର ଅର୍ଡରର ପ୍ରଥମ କିସ୍ତି ଆସିବ ଏବଂ ୪ ବର୍ଷ ମଧ୍ୟରେ ସମସ୍ତ ୨୪ଟି ହେଲିକପ୍ଟର ଭାରତକୁ ଆସିଯିବ। ଅର୍ଥାତ୍ ମୋଦୀ ସରକାରଙ୍କ ଦ୍ଵିତୀୟ ପାଳିର କାର୍ଯ୍ୟକାଳ ଶେଷ ବେଳକୁ ସମସ୍ତ ହେଲିକପ୍ଟର ଭାରତୀୟ ସେନାରେ ସାମିଲ୍ ହୋଇପାରିବ ବୋଲି କୁହାଯାଉଛି।
କଣ କରିପାରିବ ‘ରୋମିଓ’
ବୁଡ଼ାଜାହାଜକୁ ଖୋଜିବା ସମେତ ଯୁଦ୍ଧ ଓ ଉଦ୍ଧାର କାର୍ଯ୍ୟରେ ‘ରୋମିଓ’ ସହଯୋଗ କରିବ। ଏପରିକି ପାଣିରେ ଲୁଚି ଯାଉଥିବା ବୁଡ଼ାଜାହାଜକୁ ମଧ୍ୟ ଆକଶ ମାର୍ଗରେ ଥାଇ ଏହି ହେଲିକପ୍ଟର ଠାବ କରିପାରିବ। ବିଶ୍ୱରେ ଅତ୍ୟାଧୁନିକ ସାମୁଦ୍ରିକ ହେଲିକପ୍ଟର ମଧ୍ୟରେ ଏହା ଅନ୍ୟତମ ଏବଂ ଶତ୍ରୁ ପକ୍ଷକୁ ଘାଇଲା କରିବାରେ ଦୃଢ଼ ସକ୍ଷମ। ବିଶେଷଜ୍ଞଙ୍କ ମତରେ ହିନ୍ଦ୍ ମହାସାଗରରେ ଚୀନର ବଢୁଥିବା ଶକ୍ତିକୁ ଦୃଷ୍ଟିରେ ରଖି ଭାରତ ଏଭଳି ଉଚ୍ଚକ୍ଷମତାସମ୍ପନ୍ନ ହେଲିକପ୍ଟର କିଣିବାକୁ ଯାଉଛି। ରୋମିଓ ହେଲିକପ୍ଟରରେ ୫ ଜଣ ବସିପାରିବେ। ଏହାର ଲମ୍ୱା ୬୪ ଫୁଟ ରହିଥିବା ବେଲେ ଉଚ୍ଚତା ୧୭ ଫୁଟ ରହିଛି। ୨୭୦ କିଲୋମିଟର ପ୍ରତିଘଣ୍ଟା ଏବଂ ଆବଶ୍ୟକ ପଡ଼ିଲେ ୩୩୦ କିଲୋମିଟର ବେଗରେ ପ୍ରତିଘଣ୍ଟାରେ ଗତି କରିବ। ଏକକାଳୀନ ୮୩୦ କିଲୋମିଟର ପର୍ଯ୍ୟନ୍ତ ଉଡ଼ାଣ ସହ ୧୨ ହଜାର ଫୁଟ ଉଚ୍ଚରେ ମଧ୍ୟ ଏହା ଉଡ଼ିପାରିବ।