କଳାଧନକୁ ଧଳା: ନଂ ୩ରେ ଭାରତ
ନୂଆଦିଲ୍ଲୀ (ଓଟି): ବ୍ୟବସାୟ ଜରିଆରେ କଳାଧନକୁ ଧଳା କରିବା ପ୍ରସଙ୍ଗରେ ଭାରତ ୧୩୫ଟି ଦେଶ ତାଲିକାରେ ତୃତୀୟ ସ୍ଥାନରେ ରହିଛି । ଆମେରିକାର ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ ଗ୍ଲୋବାଲ୍ ଫାଇନାନ୍ସିଆଲ୍ ଇଣ୍ଟିଗ୍ରିଟି (ଜିଏଫ୍ଆଇ) ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ମୁତାବକ, ଭାରତରେ ବ୍ୟବସାୟ ସହ ଜଡ଼ିତ ମନି ଲଣ୍ଡରିଂ ଗତିବିଧି ଜରିଆରେ ଆନୁମାନିକ ୮,୩୫୦ କୋଟି ଡଲାର ଅର୍ଥ ଉପରେ ଚୋରି କରାଯାଏ । ତେବେ ଏଠାରେ ଅନୁଚିତ୍ ଉପାୟରେ ଅର୍ଥକୁ ଅବୈଧ ରୂପେ ଉପାର୍ଜନ କରିବା, ଉକ୍ତ ଅର୍ଥକୁ ସ୍ଥାନାନ୍ତରଣ କରିବା ଏବଂ ଅନ୍ତର୍ଜାତୀୟ ସୀମାରେ ଏହାର ବ୍ୟବହାର କରାଯାଏ ବୋଲି ଜିଏଫ୍ଆଇ ବର୍ଗୀକୃତ କରିଛି ।
ଅନୁଚିତ ଉପାୟରେ ଅର୍ଥପ୍ରବାହର ପ୍ରମୁଖ ସ୍ରୋତ ମଧ୍ୟରେ ଭ୍ରଷ୍ଟାଚାର, ବାଣିଜ୍ୟିକ ଟିକସ ଚୋରି ଏବଂ ଅନ୍ତର୍ଜାତୀୟସ୍ତରର ଅପରାଧ ଆଦି ସାମିଲ ରହିଛି । ଜିଏଫ୍ଆଇ ପକ୍ଷରୁ ଜାରି ହୋଇଥିବା ‘୧୩୫ ବିକାଶଶୀଳ ଦେଶଗୁଡ଼ିକରେ ବ୍ୟବସାୟ ସମ୍ବନ୍ଧିତ ବିତ୍ତୀୟ ପ୍ରବାହ: ୨୦୦୮-୧୭’ ରିପୋର୍ଟରେ କୁହାଯାଇଛି ଯେ, ଏହି ପ୍ରସଙ୍ଗରେ ଚୀନ୍ ୪୫,୭୭୦ କୋଟି ଡଲାର ଅର୍ଥ ଉପରେ ଟିକସ ଚୋରି ସହିତ ପ୍ରଥମ ସ୍ଥାନରେ ରହିଛି । ଚୀନ୍ ପରେ ୮,୫୩୦ କୋଟି ଡଲାର ସହିତ ମେକ୍ସିକୋ, ୮,୩୫୦ କୋଟି ଡଲାର ସହିତ ଭାରତ, ୭,୪୮୦ କୋଟି ଡଲାର ସହିତ ଋଷ୍, ୬,୬୩୦ କୋଟି ଡଲାର ସହିତ ପୋଲାଣ୍ଡ୍ ଆଦି ଦେଶଗୁଡ଼ିକର ସ୍ଥାନ ରହିଛି । ଏହି ରିପୋର୍ଟରେ ଉଦାହରଣ ଦିଆଯାଇ କୁହାଯାଇଛି ଯେ, ମାଦକ ପଦାର୍ଥଗୁଡ଼ିକର ଅବୈଧ ବ୍ୟବସାୟ କରୁଥିବା ସମୂହ ମନି ଲଣ୍ଡରିଂ ଟେକ୍ନିକ୍କୁ ଆପଣାଇ କାର୍ଗୁଡ଼ିକର କ୍ରୟରେ ନାର୍କୋଟିକ୍ସ ବିକ୍ରିରୁ ପ୍ରାପ୍ତ ହୋଇଥିବା ଅର୍ଥର ବ୍ୟବହାର କରନ୍ତି ଏବଂ ଏହାକୁ ଦେଶ ମଧ୍ୟକୁ ରପ୍ତାନି କରାଯାଇ ବିକ୍ରି କରାଯାଏ ।