ଜାନୁଆରୀ ସୁଦ୍ଧା କମିଛି ଟିକସ ଆଦାୟ
ନୂଆଦିଲ୍ଲୀ(ଓଟି): ଗତ ଏପ୍ରିଲ ପହିଲାରୁ ଜାନୁଆରୀ ୨୫ ସୁଦ୍ଧା ମୋଟ ୭.୩ ଲକ୍ଷ କୋଟି ଟିକସ ଆଦାୟ ହୋଇଛି। ଯାହାକି ଗତ ଆର୍ଥିକ ବର୍ଷର ଏହି ସମୟ ମଧ୍ୟରେ ୫.୪ ପ୍ରତିଶତ କମ୍ ବୋଲି ଜଣାପଡ଼ିଛି। ଗତ ବର୍ଷ ଟିକସ ଆଦାୟ ପରିମାଣ ୭.୭ ଲକ୍ଷ କୋଟି ଟଙ୍କା ରହିଥିଲା। ତେବେ ବ୍ୟକ୍ତିଗତ ଆୟକର, କମ୍ପାନୀ ଟିକସ ଏବଂ ସିକ୍ୟୁରିଟି ଟ୍ରାଞ୍ଜାକ୍ସନ ଟିକସ ଆଦିରେ ଚଳିତ ବର୍ଷ ହ୍ରାସ ପରିଲକ୍ଷିତ ହୋଇଛି। ପ୍ରକାଶଯୋଗ୍ୟ ଯେ, ୨୦୧୮-୧୯ ବର୍ଷ ତୁଳନାରେ ୧୭ ପ୍ରତିଶତ ଅଭିବୃଦ୍ଧିରେ ୨୦୧୯-୨୦ ବର୍ଷରେ ମୋଟ ୧୩.୫ ଲକ୍ଷ କୋଟି ଟଙ୍କା ପ୍ରତ୍ୟକ୍ଷ ଟିକସ ଭାବେ ଆଦାୟ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା । କିନ୍ତୁ ବିଭିନ୍ନ କାରଣକୁ ନେଇ ଟିକସ ଆଦାୟ ହ୍ରାସ ପାଇ ଚାଳିଥିବା ବେଳେ ଏହା କେନ୍ଦ୍ର ସରକାରଙ୍କ ପାଇଁ ମୁଖ୍ୟ ଚିନ୍ତାର କାରଣ ପାଲଟିଛି । ୨୦୧୯-୨୦ ଆର୍ଥିକ ବର୍ଷ ଶେଷ ହେବାକୁ ଆଉ ମାତ୍ର ଦୁଇ ମାସ ରହିଥିଲା ବେଳେ ଟିକସ ଲକ୍ଷ୍ୟଧାର୍ଯ୍ୟ ପୂରଣ ହେବା ଅସମ୍ଭବ ବୋଲି କୁହାଯାଇଛି । ହାରାହାରି ଭାବେ ଗତବର୍ଷ ତୁଳନାରେ ଚଳିତ ବର୍ଷ ପ୍ରତ୍ୟକ୍ଷ ଟିକସ ଆଦାୟ ୧୦ ପ୍ରତିଶତ ହ୍ରାସ ପାଇବ ବୋଲି ଟିକସ ବୋର୍ଡ ପକ୍ଷରୁ ଆକଳନ କରାଯାଇଛି । ମୋଟ ରାଜସ୍ୱ ମଧ୍ୟରୁ ୮୦ ପ୍ରତିଶତ ଅର୍ଥ ପ୍ରତ୍ୟକ୍ଷ ଟିକସ ସୂତ୍ରରୁ ଆସିଥିଲା ବେଳେ ସାମ୍ପ୍ରତିକ ମାନ୍ଦାବସ୍ଥାକୁ ନେଇ ବିଭିନ୍ନ କ୍ଷେତ୍ରରେ ଚାହିଦା ହ୍ରାସ ପାଇବା ସହିତ ନିଯୁକ୍ତିରେ ମଧ୍ୟ ହ୍ରାସ ଘଟିଥିବାରୁ ଚଳିତ ବର୍ଷ ଟିକସ ଆଦାୟ କମିଥିବା କୁହାଯାଇଛି।
ସୂଚନା ଅନୁସାରେ ଆର୍ଥିକ ମାନ୍ଦାବସ୍ଥାକୁ ନେଇ ଅର୍ଥନୀତିର ବିଭିନ୍ନ ଦିଗ ପ୍ରଭାବିତ ହୋଇଥିଲା ବେଳେ ଗତ ୨୦ ବର୍ଷ ମଧ୍ୟରେ ଏଭଳି ସ୍ଥିତି ପ୍ରଥମ ଘଟଣା ବୋଲି କେନ୍ଦ୍ରୀୟ ଟିକସ ବୋର୍ଡ ପକ୍ଷରୁ କୁହାଯାଇଛି।