ତୁର୍କୀକୁ ଭାରତର ତ୍ୱରିତ ଚେତାବନୀ
ନୂଆଦିଲ୍ଲୀ: ତୁର୍କୀକୁ ଭାରତ ତ୍ୱରିତ ଚେତାବନୀ ଦେଇଛି । ଆମର ଆଭ୍ୟନ୍ତରୀଣ ମାମଲାରେ କେହି ହସ୍ତକ୍ଷେପ ନକରନ୍ତୁ ବୋଲି ଭାରତ ସ୍ପଷ୍ଟ କରିଛି । ଜମ୍ମୁ ଓ କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାବେଳେ ତୁର୍କୀର ରାଷ୍ଟ୍ରପତି ରେଜେପୁ ତାୟିବୁ ୟେରେଦୁଆନ୍ ଏ ନେଇ ଟିପ୍ପଣୀ ଦେବାକୁ ନେଇ ଭାରତ ନିନ୍ଦା କରିଛି । ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର ଏନେଇ ତୁର୍କୀକୁ ତାଗିଦ୍ କରିବା ସହ କହିଛନ୍ତି ଯେ- ଭାରତର ଜାମ୍ମୁ ଓ କଶ୍ମୀର ପାଇଁ ପାକିସ୍ତାନ ପଟୁ ବିପଦ ରହିଥିବା ନେଇ ତୁର୍କୀ ଜାଣିବା ଦରକାର । ତେଣୁ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନକରିବାକୁ ଆମେ ତୁର୍କୀର ନେତାଙ୍କୁ କହିଛୁ ବୋଲି ରବୀଶ କହିଛନ୍ତି । ସୂଚନାଯୋଗ୍ୟ ଯେ କଶ୍ମୀର ପ୍ରସଙ୍ଗରେ ଭାରତର ଏକତରଫା ନିଷ୍ପତ୍ତି ସମସ୍ୟା ବଢ଼ାଇଦେଇଛି ଏଣୁ ନିରପେକ୍ଷ ଆଲୋଚନା କରି ଭାରତ-ପାକ୍ ସମସ୍ୟା ସମାଧାନ କରାଯିବାକୁ ତୁର୍କୀ ରାଷ୍ଟ୍ରପତି ୟେରେଦୁଆନ୍ ମନ୍ତବ୍ୟ ଦେଇଥିଲେ । ତେବେ ଏହାକୁ ଭାରତ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି ।